ବନ୍ୟାରେ ବୁଡ଼ିଗଲା ଘର, କଦଳୀ ନାଆରେ ୪ ପ୍ରାଣୀର ପରିବାର

ଗୌହାଟି: ଦାଉ ସାଧୁଛି ପ୍ରକୃତି । ବନ୍ୟା ଆଣୁଛି ବିପତ୍ତି । ବର୍ଷା ଭସାଇ ନେଇଛି ଘରଦ୍ୱାର । ବେସାହାରା ପୂରା ପରିବାର । ବନ୍ୟାରେ ବେହାଲ ହୋଇ ପଡ଼ିଛି ଆସାମ ଓ ବିହାର । ଚାରିଆଡ଼େ ଖାଲି ପାଣି ଆଉ ପାଣି । କୁହାଯାଏ ‘ଜଳ ବିହୁନେ ସୃଷ୍ଟି ନାସ, ଜଳ ବହୁଳେ ସୃଷ୍ଟି ନାସ’ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବନ୍ୟା ପ୍ରପୀଡ଼ିତ ଆସାମରେ । ଜଳ… ଜଳ… ଜଳ… ଆଖି ପାଉଥିବା ଯାଏଁ ଚାରିଆଡ଼େ ଯୁଆଡ଼େ ଦେଖିବେ ଖାଲି ଜଳ ହିଁ ଦେଖାଯାଉଛି ।

ପ୍ରାୟ ୪ ଦିନ ହେଲା ବନ୍ୟା ଜଳ କବଳରେ ରହିଛି ବିହାର ଓ ଆସାମର ଅଧିକାଂଶ ଜିଲ୍ଲା । ରାସ୍ତା ଘାଟ ସବୁ ଜଳାର୍ଣ୍ଣବ ହୋଇ ଯାଇଥିବା ବେଳେ ନାଆ ପାଲଟିଛି ଭରସା । ଜୀବନ ବଞ୍ଚାଇବାକୁ କେଉଁଠି ୩ ଛୁଆଙ୍କୁ ଧରି ମାଆ କଦଳୀ ଫାଟୁକାରେ ବନ୍ୟା ଜଳରେ ସଂଘର୍ଷ କରୁଛି ତ ଆଉ କିଏ ନାଆରେ ଛେଳି ସହ ଖୋଜୁଛି ବାସସ୍ଥଳୀ ଠିକଣା ।…

ହୃଦୟକୁ ବିଦାରି ଦେଉଥିବା ଏ ଚିତ୍ର ଆସାମର । ମାଆ କୋଳରେ କଅଁଳ ଛୁଆ । ସାଥିରେ ଆଉ ୨ ଭାଇ ଭଉଣୀ । କଦଳୀ ଫାଟୁକାରେ ସବାର ହୋଇଛନ୍ତି ମାଆ ଛୁଆ ଚାରିଜଣ । ଜଣାନାହିଁ ଏ ଫାଟୁକା ଜଳରୁ କେମିତି ଜୀବନ ବଞ୍ଚାଇବ ? ତଥାପି କଅଁଳା ଛୁଆକୁ କୋଳରେ ଧରି ମାଆ କଦଳୀ ଫାଟୁକାରେ ବନ୍ୟା ପାଣିରେ ଜୀବନ ଖୋଜୁଛି । ପେଟରେ ଭୋକ ସହ ବଞ୍ଚିବାର ଆଶା ନେଇ ଆଗକୁ ଗଡ଼ି ଚାଲିଛି ଫାଟୁକା ।

ଏ ଚିତ୍ର ହେଉଛି ବନ୍ୟାରେ ବେହାଲ୍ ବିହାରର । ଗୋଟିଏ ଡଙ୍ଗାରେ ବସି ପାଣି ଭିତରେ ଜୀବନ ଖୋଜୁଛନ୍ତି ପ୍ରାୟ ୧୦ ଜଣ । ଘରେ ବନ୍ୟା ପାଣି ପଶିବା ପରେ ମଣିଷ ସହ ନାଆରେ ବାସ ସ୍ଥାନ ଖୋଜୁଛି ଛେଳି । କରୋନା ମହାମାରୀ ଜୀବନ ଡଙ୍ଗାକୁ ଅଟକାଇ ଦେଇଥିବା ବେଳେ ବନ୍ୟାର ଡଙ୍ଗାରେ ମଣିଷ ଖୋଜୁଛି ବଞ୍ଚିବାର ରାହା । ଆଶା ବାସ ସ୍ଥାନ ଖଣ୍ଡେ ମିଳିଯିବ ।

Leave a Reply