ପୋଲିସ SIଙ୍କ ଉପରେ ଅତ୍ୟାଚାର ଅଭିଯୋଗ ଆଣିଲେ ମହିଳା ପ୍ରଶିକ୍ଷାର୍ଥୀ

ପାଟନା: ବିହାରର ମୁଜାଫରପୁରରେ ଏକ ପ୍ରଶିକ୍ଷାର୍ଥୀ ମହିଳା ପୋଲିସ ଉପ ନିରୀକ୍ଷକ ବା ଟ୍ରେନି ଏସ.ଆଇଙ୍କ ଉପରେ କାର୍ଯ୍ୟସ୍ଥଳରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି । ମହିଳା ପୋଲିସ ପ୍ରଶିକ୍ଷାର୍ଥୀ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏବଂ ରାଜ୍ୟ ମହିଳା ଆୟୋଗରେ ଅଭିଯୋଗ ଦାଖଲ କରିଛନ୍ତି ।

ମହିଳା ଏସଆଇଙ୍କ ଅଭିଯୋଗ ଅନୁଯାୟୀ ଜଣେ ପୁରୁଷ ପ୍ରଶିକ୍ଷକ ଏସ.ଆଇ ତାଙ୍କ ସହିତ ଦୁର୍ବ୍ୟବହାର କରିଛନ୍ତି । ଏହା ସହିତ ୩୦ ଅଗଷ୍ଟ ୨୦୨୦କୁ ମହିଳାଙ୍କ ପତି ତାଙ୍କୁ ନେବାକୁ ଆସିଥିବା ସମୟରେ ପ୍ରଶିକ୍ଷକ ଏସ.ଆଇ ତାଙ୍କ ସହିତ ମାରପିଟ କରିଥିବା ଅଭିଯୋଗ ଆଣିଛନ୍ତି ଉକ୍ତ ମହିଳା ।

ବିହାର ପୋଲିସ ଆୟୋଗର ଚେୟାରପର୍ସନ ଦିଲମଣି ମିଶ୍ରା ଏହା ବାବଦରେ ମୁଜାଫରପୁରର ବରିଷ୍ଠ ପୋଲିସ ଅଧିକାରୀ ଜୟନ୍ତ କାନ୍ତଙ୍କୁ ରିପୋର୍ଟ ମାଗିଛନ୍ତି । ଜୟନ୍ତ କାନ୍ତଙ୍କ କହିବାନୁଯାୟୀ ଅଭିଯୋଗ ଦାଖଲ ହେବାମାତ୍ରେ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ପୋଲିସ ଏସଆଇ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ମିଡିଆ ସହିତ କଥା ହେବା ସମୟରେ ମହିଳା ଜଣକ ଉକ୍ତ କଥାର ପୁନରାବୃତ୍ତି କରିଛନ୍ତି ।

ଜଣେ ପୋଲିସ କର୍ମଚାରୀ ଯେତେବେଳେ ଏଠାରେ ସୁରକ୍ଷିତ ନୁହେଁ, ରାଜ୍ୟର ସାଧାରଣ ଜନତା କିଭଳି ସୁରକ୍ଷିତ ରହିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ମହିଳା ।

Leave a Reply