ଚିକିତ୍ସାରେ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଘରୋଇ ମେଡିକାଲ ନାଁରେ ଏତଲା

ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସ୍‌ଷ୍ଟାଣ୍ଡ ନିକଟ ଗୁରୁଦେବ କ୍ଲିନିକ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଗୋଳନ୍ଥରା ଥାନା ଗୋବିନ୍ଦନଗରର ନବୀନ ସାହୁଙ୍କ ପତ୍ନୀ ସଙ୍ଗୀତା ସାହୁ। ନବୀନ ଏ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । କ୍ଲିନିକ୍ କର୍ମଚାରୀମାନେ ସଙ୍ଗୀତାଙ୍କୁ ଠିକ୍ ଭାବେ ଦେଖାଶୁଣା ନ କରିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଏତଲାରେ ଦର୍ଶାଇଛନ୍ତି ।

ସମ୍ପୃକ୍ତ ଡାକ୍ତର , କ୍ଲିନିକ୍ ମାଲିକ ଏବଂ କର୍ମଚାରୀଙ୍କ ନାମରେ ଏତଲା ଦିଆଯାଇଛି । ସଙ୍ଗୀତା ନିଜର ଶାରୀରିକ ସମସ୍ୟା ନେଇ ବ୍ରହ୍ମପୁର ସହରର ଜଣେ ଜଣାଶୁଣା ମହିଳା ଡାକ୍ତରଙ୍କ ନିକଟକୁ ଯାଇଥିଲେ । ସେଠାରେ ଡାକ୍ତର ଜଣକ ମହିଳାଙ୍କ ପେଟରେ ଟ୍ୟୁମର ଥିବା ଦର୍ଶାଇ ଅସ୍ତ୍ରୋପଚାର କରିବା ପାଇଁ କହିଥିଲେ । ଅସ୍ତ୍ରୋପଚାର ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବାକୁ କହିଥିଲେ।

୨୬ ତାରିଖରେ ସଙ୍ଗୀତା ସମୃକ୍ତ ମହିଳା ଡାକ୍ତରଙ୍କ ନିକଟକୁ ଯାଇ ରୋଗ ବିଷୟରେ କହିଥିବା ବେଳେ ୨୮ ତାରିଖରେ ତାଙ୍କୁ ଗୁରୁଦେବ କ୍ଲିନିକ୍‌ରେ ଭର୍ତ୍ତି ହେବାକୁ କୁହାଯାଇଥିଲା । ଡାକ୍ତର ଆସିବା ପୂର୍ବରୁ କର୍ମଚାରୀମାନେ ତାଙ୍କୁ ଅସ୍ତ୍ରୋପଚାର ପ୍ରକୋଷ୍ଠକୁ ନେଇଥିଲେ। କିଛି ସମୟ ପରେ ସଙ୍ଗୀତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ କ୍ଲିନିକର ଆମ୍ବୁଲାନ୍ସ ଯୋଗେ ଏମକେସିଜି ନିଆଯାଇଥିଲା ।

ମେଡିକାଲରେ ସଂଗୀତାଙ୍କୁ ଛାଡ଼ିଦେଇ ସେଠାରୁ ପଳାଇ ଯାଇଥିଲେ ଘରୋଇ ମେଡିକାଲ କର୍ମଚାରୀ। ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷିତ କରିଥିଲେ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ବର୍ଷକ ପୂର୍ବେ ଗୁରୁଦେବ କ୍ଲିନିକରେ ଜଣେ ନବ ବିବାହିତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଥାନାରେ ଡାକ୍ତର ଏବଂ କ୍ଲିନିକ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ଗୁରୁଦେବ ହସ୍ପିଟାଲରେ  ଚିକିତ୍ସା ଅବହେଳାରୁ ମୃତ୍ୟୁ ଯୋଗୁ ବିଜେପି ଦଳର କର୍ମୀଙ୍କ ସହ ରୋଗୀଙ୍କ ସମ୍ପର୍କୀୟ ହସ୍ପିଟାଲ୍ ସାମ୍ନାରେ ମୃତ ଦେହ ରଖି ରାସ୍ତା ରୋକ କରିଥିଲେ।

ଅପରପକ୍ଷେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଗୁରୁଦେବ ହସ୍ପିଟାଲର ମାଲିକଙ୍କୁ ଗିରଫ ଓ ମେଡିକାଲକୁ ବନ୍ଦ କରିବା ସହ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଘଟଣା ସ୍ଥଳରେ ଉତେଜନା ପୂର୍ଣ୍ଣ ସ୍ଥିତି ଦେଖି ବିଏନପୁର ଥାନା ଆଇଆଇସି ସାରଦା ଦାସଙ୍କ ସମେତ ଟାଉନ୍ ଏସଡିପିଓ ବିଷ୍ଣୁ ପତି ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply