ଆମେରିକା ସଂସଦ ପରିସରରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା, ଗୁଳିମାଡରେ ଜଣେ ମୃତ

1 min read

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଜାରି ରହିଛି ହଟଚମଟ । କଂଗ୍ରେସର ଇଲୋକ୍ଟ୍ରାଲ କଲେଜ ବୈଠକ ପୂର୍ବରୁ ଟ୍ରମ୍ପ ସମର୍ଥକ ହଙ୍ଗାମା କରିଛନ୍ତି। ହେଲେ ଏହି ଘଟଣାକୁ ଚାରିଆଡୁ ନିନ୍ଦା କରାଯାଇଛି।

ସୂଚନା ମୁତାବକ, ଏହି ବୖଠକ ପୂର୍ବରୁ ପୋଲିସ ଓ ଟ୍ରମ୍ପ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଏଥିରେ ଅନେକ ଆହତ ହୋଇଥିବା ବେଳେ ଗୁଳିବାଜିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସ୍ଥିତି ଅଣାୟତ ହେବାରୁ ଓ୍ୱାଶିଂଟନ ଡିସିରେ କର୍ଫ୍ୟୁ ଜାରି କରାଯାଇଛି ।

ଟ୍ରମ୍ପଙ୍କ ସମର୍ଥକ କ୍ୟାପିଟାଲ ବିଲ୍ଡିଂର ସୁରକ୍ଷା ଭଙ୍ଗ କରିଥିବା ନେଇ ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ, ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ପ୍ରମୁଖ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି । ସେପଟେ ଏହି ହଙ୍ଗାମା ପରେ ଟୁଇଟର ଓ ଫେସ୍‌ବୁକ୍ ପକ୍ଷରୁ ଆମେରିକାର ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ୍‌ କରାଯାଇଛି ।

ଅନ୍ୟପଟେ ଏହି ଘଟଣାକୁ ରାଜଦ୍ରୋହ କହିବା ସହ ସମ୍ବିଧାନର ରକ୍ଷା କରିବାକୁ ଟ୍ରମ୍ପଙ୍କୁ ଆହ୍ୱାନ ଦେଇଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍‌ ।

ସେହିପରି ଓ୍ୱାସିଂଟନରେ ଟ୍ରମ୍ପ ସମର୍ଥକଙ୍କ ହିଂସାକୁ ନେଇ ଚିନ୍ତାବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକତନ୍ତ୍ରରେ କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି ମୋଦି କହିଛନ୍ତି ।

Leave a Reply