କରୋନା କବଳରେ ୩ ଡାକ୍ତର ଓ ୨୬ ନର୍ସ: ହସ୍ପିଟାଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

1 min read

ମହାରାଷ୍ଟ୍ର: ସୋମବାର ମୁମ୍ୱାଇର ଅଗ୍ରିପଡ଼ାସ୍ଥିତ ଓ୍ୱାକ୍‌ହାର୍ଟ ହସ୍ପିଟାଲ ସିଲ୍ ହୋଇଛି । ୩ ଜଣ ଡାକ୍ତର ଓ ୨୬ ନର୍ସଙ୍କ ସ୍ୱାବ୍‌ ନମୁନା କରୋନା ପଜିଟିଭ୍‌ ଆସିବାପରେ ରବିବାର ଏହି ଅଞ୍ଚଳକୁ କଣ୍ଟେଇନମେଣ୍ଟ ଅଞ୍ଚଳଭାବେ ଘୋଷଣା କରିଛି ମୁମ୍ୱାଇ ମୁନସିପାଲଟି କର୍ପୋରେସନ୍ । ବିଏମ୍‌ସି ଅତିରିକ୍ତ ସ୍ୱାସ୍ଥ୍ୟ କମିଶନର ସୁରେଶ କକ୍‌ଣୀ ହସ୍ପିଟାଲକୁ ସିଲ୍ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ।

ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସଠିକ୍ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଏଭଳି ହୋଇଛି । ୩୦୦ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ  କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ସେମାନଙ୍କ ରିପୋର୍ଟ ନେଗେଟିଭ୍ ନଆସିଲା ଯାଏଁ ସେମାନଙ୍କୁ ବାହାରକୁ ଯିବାକୁ ଦିଆଯିବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ କମିଶନର । ଏଥିସହିତ କାହାଠାରୁ ଆକ୍ରାନ୍ତ ହୋଇଛନ୍ତି ସେ ସମ୍ପର୍କରେ ତଦନ୍ତ କରାଯିବା ନେଇ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି କମିଶନର ।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଲା ଯୋଗୁଁ ଭାଇରସ ସଂକ୍ରମିତ ହୋଇଛି ବୋଲି କୋଭିଡ-୧୯ ଆକ୍ରାନ୍ତ ହୋଇଥିବା ଜଣେ ନର୍ସ ଅଭିଯୋଗ କରିଛନ୍ତି । ମାର୍ଚ୍ଚ ୩୦ରେ କସ୍ତୁରୀବା ଗାନ୍ଧୀ ହସ୍ପିଟାଲରୁ ଜଣେ କରୋନା ପଜିଟିଭ୍ ଓ ୨ ଜଣ ସନ୍ଦିଗ୍ଧଙ୍କୁ ଅଣାଯାଇଥିଲା । ପଜିଟିଭ୍‌ ଆସିଥିବା ରୋଗୀଙ୍କ ଆଇସୋଲେସନ୍‌ରେ ରଖାଯାଇଥିଲା ।

ସନ୍ଦିଗ୍ଧମାନଙ୍କୁ ସାଧାରଣ ବିଭାଗ ଆଇସିୟୁରେ ଓ୍ୱାର୍ଡରେ ରଖାଯାଇଥିଲା । ଯେଉଁଠାରେ ଅନ୍ୟ ରୋଗୀଙ୍କୁ ମଧ୍ୟ ଚିକିତ୍ସା କରାଯାଉଥିଲା । ମାର୍ଚ୍ଚ ୨୮ରେ ସେହି ଓ୍ୱାର୍ଡରେ କାର୍ଯ୍ୟ କରୁଥିବା ୨ ଜଣ ନର୍ସ ପଜିଟିଭ ଆସିଥିଲେ । କିନ୍ତୁ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାନଯାଇ ବାଧ୍ୟତାମୂଳକଭାବେ କାମ କରାଯାଇଥିବାରୁ ଏହି ସଂଖ୍ୟା ୨୬ରେ ପହଞ୍ଚିଥିବା ଜଣେ ହସ୍ପିଟାଲ କର୍ମଚାରୀ ଅଭିଯୋଗ କରିଛନ୍ତିି ।

ଏପ୍ରିଲ ପହିଲାରେ ବିଏମ୍‌ସି ନିରୀକ୍ଷଣରେ ଆସିଥିଲା ସେତେବେଳେ କିଛି ନର୍ସ ସେମାନଙ୍କ ଠାରେ ଦେଖାଦେଉଥିବା ଲକ୍ଷଣ ସମ୍ପର୍କରେ  ଅବଗତ କରାଇଥିଲେ । ଏଥିଲାଗି ମେଡିକାଲର କିଛି ବରିଷ୍ଠ ଅଧିକାରୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା ।

ତେବେ ପଜିଟିଭ୍ ଆସିଥିବା ନର୍ସଙ୍କୁ ଭିଲେପାର୍ଲେ ହସ୍ପିଟାଲକୁ କ୍ୱାରେଣ୍ଟାଇନ୍‌ରେ ନିଆଯାଇଛି । ଏବଂ ଅନ୍ୟ ୨୭୦ କର୍ମଚାରୀ ସ୍ୱାବ୍‌ ସାମ୍ପଲ ଟେଷ୍ଟିଂ ପାଇଁ ପଠାଯାଇଛି ।

ଅପରପକ୍ଷରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଏମ୍‌ସି କମିଶନରଙ୍କ ନିକଟରେ ଫେରାଦ ହୋଇଛି ନର୍ସିଂ ଆସୋସିଏସନ୍‌ ।

Leave a Reply