ବିଧାନସଭାର ଶୀତ ଅଧିବେଶନ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍‌ । ପ୍ରତିଦିନ ଗୃହ ସାଢ଼େ ଚାରି ଘଣ୍ଟା ଚାଲିବ । ମୌସୁମୀ ଅଧିବେଶନ ପରି ଏଥର ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ । ଯେଉଁମାନଙ୍କ କୋଭିଡ ଟେଷ୍ଟ ରିର୍ପୋଟ ନେଗେଟିଭ୍‌ ଆସିଛି, ସେମାନଙ୍କୁ ବିଧାନସଭାକୁ ଯିବା ପାଇଁ ଅନୁମତି ମିଳିବ । ୨୯ରେ ଆସିବ ବ୍ୟୟ ମଞ୍ଜୁରୀ ବିଲ୍‌ । ଉଷ୍ଣ ହେବ ଏଥର ଶୀତ ଅଧିବେଶନ । ମୁହାଁମୁହିଁ ହେବେ ବିରୋଧୀ ଓ ଶାସକ । ମୁଖ୍ୟ ବିରୋଧୀ ଦଳ ବିଜେପି ଧାନମଣ୍ଡି, ସୀମା ବିବାଦ,ଆଇନଶୃଙ୍ଖଳା, ବିଦ୍ୟୁତ୍ ଦର ବୃଦ୍ଧି ପରି ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ।

ସେହିପରି କଂଗ୍ରେସ ସମାନ ପ୍ରସଙ୍ଗ ସହ କୋଭିଡ୍ ପରିଚାଳନା, ନିଶା କାରବାର, ବେକାରୀ, ସାରୁଅ ଜମି ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇବ । ସେପଟେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ଆଲୋଚନା ମାଧ୍ୟମରେ ତା’ର ଜବାବ ଦିଆଯିବ ବୋଲି ଶାସକ ବିଜେଡି କହିଛି  । ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇବା ସହ ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି କହିଛି ବିଜେଡି ।

ତେବେ ଏନେଇ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୁତୟନ ହୋଇଛନ୍ତି ୨୬ ପ୍ଳାଟୁନ ପୋଲିସ ଫୋର୍ସ । ୨ ଜଣ ଅତିରିକ୍ତ ଡିସିପି, ୧୦ ଜଣ ଏସିପି, ୧୦ଜଣ ଆଇଆଇସି ଓ ୬୧ ଜଣ ଏସଆଇଙ୍କ ସମେତ ୮୦ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାଛଡା ସାଧା ପୋଷାକଧାରୀ ପୋଲିସ, ରୁଫଟପ୍ ସିକ୍ୟୁରିଟି, କ୍ୟୁଆରଟି, ଷ୍ଟ୍ରାଇକିଙ୍ଗ ଫୋର୍ସ ମଧ୍ୟ ମୁତୟନ ହେବେ । ସିସିଟିଭି ସ୍କାନରରେ ରହିବ ମହାତ୍ମା ଗାନ୍ଧି ମାର୍ଗ । ବିଧାନସଭା ଭିତରେ ଓ ବାହାରେ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରଯାଇଛି । କୋଭିଡ କଟକଣା ଯୋଗୁଁ ନଭେମ୍ବର ୩୦ ଯାଏଁ ରାଲି ଓ ଧାରଣା କରିବା ପାଇଁ କାହାରିକୁ ଅନୁମତି ଦିଆଯାଇ ନାହିଁ ।

Leave a Reply