ଡ୍ରାଗନକୁ ଡରାଉଛି ଶୀତ,ଲଦାଖରେ ପ୍ରତିଦିନ ବଦଳୁଛନ୍ତି ଚୀନ ସୈନିକ

1 min read

ନୂଆଦିଲ୍ଲୀ: ଯେଉଁଠି ମାଇନସ ଡିଗ୍ରୀରେ ଭାରତୀୟ ସେନା ସୀମା ଜଗିବାରେ ସକ୍ଷମ, ସେଠି ଶୀତ ସମ୍ଭାଳି ପାରୁନାହିଁ ଚୀନ । ପ୍ରତିଦିନ ନିଜର ସୈନିକ ପରିବର୍ତ୍ତନ କରୁଛି ଡ୍ରାଗନ । ହଁ ଆଜ୍ଞା, ଚୀନ ସେନାର ଏପରି ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି ପୂର୍ବ ଲଦାଖ ସୀମାରେ । ମେ ମାସରେ ଭାରତ- ଚୀନ ସେନା ମଧ୍ୟରେ ଘଟିଥିଲା ରକ୍ତାକ୍ତ ସଂଘର୍ଷ । ଉଭୟ ଦେଶର ଯବାନ ଏହି ସଂଘର୍ଷରେ ହୋଇଥିଲେ ସହିଦ । ଆଉ ଏହା ପରେ ଉଭୟ ଦେଶ ନିଜ ନିଜର ସୀମାକୁ କରିଦେଇଥିଲେ ଏକଦମ କଡାକଡ଼ି ।

ବିଶେଷକରି ପୂର୍ବ ଲଦାଖ ସୀମାରେ ଡ୍ରାଗନ ନିଜର ଅତ୍ୟଧିକ ସେନା ସାମର୍ଥ୍ୟ ବଢାଇଦେଇଥିଲା । କିନ୍ତୁ ବର୍ତ୍ତମାନ ପାଣିପାଗ ପରିବର୍ତ୍ତନ ସହ ଶୀତର ଅତ୍ୟଧିକ କୋପରେ ଥରହର ହେଉଛି ଚୀନ । ଭାରତ ସହ ସଂଘର୍ଷ କରିବାକୁ ସଜବାଜ ହେଉଥିବା ଚୀନ ଏବେ ପ୍ରତିଦିନ ଶୀତ ସହ କରୁଛି ସଂଗ୍ରାମ । ସିଧାସଳଖ କହିବାକୁ ଗଲେ, ପୂର୍ବ ଲଦାଖ ସୀମାରେ ଭାରତୀୟ ସେନା ଶୀତର ଛାତିଫାଡି ସୀମାକୁ ସୁରକ୍ଷା ଦେଉଥିବାବେଳେ କିନ୍ତୁ ଶୀତକୁ ସହ୍ୟ କରିବାରେ ଅସମର୍ଥ ସାଜିଛି ଡ୍ରାଗନ । ଯେଉଁଥିପାଇଁ ପ୍ରତିଦିନ ପୂର୍ବ ଲଦାଖ ସୀମାରେ ପିପୁଲ୍ସ ଲେବରେସନ ଆର୍ମି (ପିଏଲଏ) ସେନାରେ ଘଟୁଛି ପରିବର୍ତ୍ତନ ।

ଖବର ସରାବରାହ ସଂସ୍ଥା ଏଏନଆଇର ସୂଚନା ମୁତାବକ, ଭାରତ-ଚୀନ ନିୟନ୍ତ୍ରଣ ରେଖା ଅର୍ଥାତ ଏଲଓସି ନିକଟରେ ଭାରତୀୟ ସେନା ପିପୁଲ୍ସ ଲେବରେସନ ଆର୍ମି ଠାରୁ ଅଧିକ ସମୟ କାର୍ଯ୍ୟ କରିପାରୁଛନ୍ତି । ସୀମାରେ ପ୍ରତିଦିନ ଡ୍ରାଗନ ସେନା ପରିବର୍ତ୍ତନ କରୁଥିବାବେଳେ, ସେମିତି ବଜ୍ର ପରି ଠିଆ ହୋଇ ସୀମାରେ ସୁରକ୍ଷା ଦେଉଛନ୍ତି ଭାରତୀୟ ସେନା । ତାପମାତ୍ରା ପ୍ରତିଦିନ କମିବା ସହ ତୁଷାରପାତ ମଧ୍ୟ ପ୍ରତିଦିନ ବଢୁଛି । ଫଳରେ ଚୀନ ସେନା ପାଇଁ ବାଧା ସାଜିଛି ପାଗ । ଗୋଟେପଟେ ଶୀତକୁ ଡ୍ରାଗନ ସେନା ଡରୁଥୁବା ବେଳେ, ଅନ୍ୟପଟେ ଭାରତୀୟ ସେନା ଶୀତକୁ ବେଖାତିର କରି ସୁରକ୍ଷାକୁ କରିଛି କଡାକଡି ।

Leave a Reply