ଶୀତଦିନେ ଗର୍ଭବତୀ ନିଜର ଏପରି ନିଅନ୍ତୁ ଯତ୍ନ

ସାଧାରଣତଃ ଗର୍ଭବତୀମାନଙ୍କୁ ନିଜର ଶରୀର ପ୍ରତି ଯତ୍ନବାନ ହେବା ଉଚିତ୍। କିନ୍ତୁ ଶୀତ ଦିନରେ ଏମାନଙ୍କୁ ନିଜ ଶରୀରର ଟିକେ ବିଶେଷ ଧ୍ୟାନ ରଖିବା ଉଚିତ୍। କାରଣ ଏହି ଦିନରେ ଶର୍ଦ୍ଦି, କାଶ ଓ ନାନା ସଂକ୍ରମଣର ଭୟ ରହିଥାଏ। ଆଉ ସବୁଠୁ ଚିନ୍ତାର ବିଷୟ ହେଉଛି ଯଦି ଏହି ସମୟରେ ଆପଣଙ୍କର ଦେହ କିଛି ଖରାପ ହୁଏ ତେବେ ଆପଣ ଏଥିପାଇଁ ଔଷଧ ବି ଖାଇପାରିବେନି। ତେଣୁ ଏଭଳି ସମସ୍ୟାରୁ ବର୍ତ୍ତିବା ପାଇଁ ଆପଣଙ୍କୁ ନିଜର ଇମ୍ୟୁନିଟି ପାୱାର ବା ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇବାକୁ ହେବ। ତେବେ ଆସନ୍ତୁ ଜାଣିବା ଶୀତଦିନରେ କିଭଳି ବଢ଼ାଇବେ ଶରୀରର ଇମ୍ୟୁନିଟି ପାୱାର।

ପର୍ଯ୍ୟାପ୍ତ ପାଣି ପିଅନ୍ତୁ: ଶୀତଦିନରେ  ସାଧାରଣତଃ ଲୋକ କମ୍ ପାଣି ପିଅନ୍ତି। କାରଣ ଅଧିକ ପାଣି ପିଇଲେ ବାରମ୍ବାର ପରିସ୍ରା ଯିବାକୁ ପଡ଼ିଥାଏ। ଆଉ ଶୀତରେ ଲୋକ ରେଜେଇ ତଳୁ ବାହାରି ବାରମ୍ବାର ବାଥରୁମ ଯିବାକୁ ପସନ୍ଦ କରନ୍ତି ନାହିଁ। ହେଲେ ଏଭଳି କଲେ ଆପଣ ସମସ୍ୟାରେ ପଡ଼ିପାରନ୍ତି। ଗର୍ଭବତୀଙ୍କ ଶରୀରରେ ପାଣିର ଅଭାବ ହେଲେ ଡିହାଇଡ୍ରେଶନ ହୋଇଯାଏ। ଫଳରେ ଗର୍ଭସ୍ଥ ଶିଶୁ ପାଇଁ ଏମ୍ନିଓଟିକ ଫ୍ଲୁଇଡ୍ କମ୍ ହୋଇଯାଏ। ଏହାଦ୍ୱାରା ପ୍ରିମ୍ୟାଚ୍ୟୋର୍ ଡେଲିଭରି ବା ସମୟ ପୂର୍ବରୁ ପ୍ରସବ ହେବାର ସମ୍ଭାବନା ରହିଥାଏ। ତେଣୁ ଶୀତ ଦିନରେ ପର୍ଯ୍ୟାପ୍ତ ପାଣି ପିଅନ୍ତୁ । ଯଦି ପାରୁଛନ୍ତି ତେବେ ପାଣି ସହ ଫ୍ରୁଟ୍ ଜୁସ୍ ମଧ୍ୟ ପିଅନ୍ତୁ।

ପାଦକୁ ଗରମ ରଖନ୍ତୁ: ଶୀତଦିନରେ ଶରୀର ମଧ୍ୟରେ ରକ୍ତ ସଞ୍ଚାଳନ ପ୍ରଭାବିତ ହେବାର ଅନେକ  ସମ୍ଭାବନା ରହିଥାଏ। ଯାହା ଫଳରେ ରକ୍ତ ଧମନୀ ଗୁଡ଼ିକ ଫୁଲିଯାଏ। ଏହା ବ୍ୟତୀତ ହାତ ପାପୁଲି ଓ ପାଦ ତଳ  କୁଣ୍ଡେଇ ହେବା, ଲାଲ୍ ହୋଇ ଫଳିଯିବା ସହ ଭିଷଣ ଯନ୍ତ୍ରଣା ମଧ୍ୟ ହୋଇଥାଏ। ତେଣୁ ଏହିସମୟରେ ପାଦକୁ ଘୋଡ଼ାଇ ରଖନ୍ତୁ କିମ୍ବା ସକ୍ସ ପିନ୍ଧନ୍ତୁ। ପାଦ ବଥା ହେଉଥିଲେ ହାଲକା ଉଷୁମ ପାଣିରେ ପାଦକୁ ବୁଡ଼ାଇ ରଖନ୍ତୁ ଉପଷମ ମିଳିବ।

ଫ୍ଲୁ ଭ୍ୟାକସିନ୍ ନିଅନ୍ତୁ: ଗର୍ଭାବସ୍ଥାରେ ଫ୍ଲୁ ଭ୍ୟାକସିନ୍ ନେଇଗଲେ ଉଭୟ ମାଆ ଓ ଶିଶୁକୁ ଫ୍ଲୁରୁ ସୁରକ୍ଷା ମିଳିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ଏହି ଟିକା ନେବା ଦ୍ୱାରା ପିଲା ଜନ୍ମର ୬ ମାସ ପର୍ଯ୍ୟନ୍ତ ଫୁଲୁରୁ ସୁରକ୍ଷା ମିଳିଥାଏ। ଏହା ବ୍ୟତୀତ ରେସ୍ପିରେଟ୍ରି ଇନଫେକ୍ଶନର ଭୟ କମ୍ ହୋଇଯାଏ।

କ’ଣ ଖାଇବେ: ଗର୍ଭାବସ୍ଥାରେ, ଏକ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ। ବିଶେଷ କରି ଖାଦ୍ୟରେ ଅନେକ ପ୍ରକାରର ଫଳ ରହିବା ଉଚିତ୍।  ଫଳଗୁଡ଼ିକ ଆମର ଇମ୍ୟୁନିଟି ପାୱାରକୁ ମଜବୁତ କରିଥାଏ। ଅଁଳାରେ ଭିଟାମିନ୍ ସି ଭରପୂର ପରିମାଣରେ ରହିଛି ଯାହା ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ଅକ୍ଷୁର୍ଣ୍ଣ ରଖେ। ଅଁଳା ରସ ବାନ୍ତି, କୋଷ୍ଠକାଠିନ୍ୟ ଏବଂ ଗର୍ଭାବସ୍ଥାର ଅନ୍ୟାନ୍ୟ ସାଧାରଣ ଲକ୍ଷଣକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଅଁଳା ବ୍ୟତୀତ ଆପଣ ପାଳଙ୍ଗ ଶାଗ, ମେଥି ଶାଗ, ସବୁଜ ପିଆଜ ଓ ଭିଟାମିନ ସି ଯୁକ୍ତ ଫଳ ଖାଇ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବେ।

କ୍ରିମ୍ ଏବଂ ଲୋସନ୍ ଲଗାନ୍ତୁ: ଶୀତଦିନରେ ଅତ୍ୟଧିକ ଥଣ୍ଡା ଏବଂ ଶୁଷ୍କ ବାୟୁ ଚର୍ମରୁ ପ୍ରାକୃତିକ ମଶ୍ଚରାଇଜର ଏବଂ ତେଲ କ୍ଷୟ ହୋଇଥାଏ। ଗର୍ଭାବସ୍ଥାରେ ପେଟ ବଢ଼ିଲେ ଚର୍ମ ପ୍ରସାରିତ ହୁଏ ଏବଂ ଶୁଖିଲା ଚର୍ମ ଟାଣିବା ହେତୁ ଆପଣ ଯନ୍ତ୍ରଣା ମଧ୍ୟ ପାଇପାରନ୍ତି। ଏହା ଦ୍ୱାରା ଆପଣଙ୍କ ପେଟରେ ଅଧିକ ଷ୍ଟ୍ରେଚ୍ ମାର୍କ ମଧ୍ୟ ହୋଇପାରେ। ତେଣୁ କିଛି ସମୟ ବ୍ୟବଧ୍ୟାନରେ ଆପଣ ନିଜ ଚର୍ମରେ ବାରମ୍ବାର କ୍ରିମ୍ ଏବଂ ଲୋସନ ଲଗାନ୍ତୁ ଯାହା ଦ୍ୱାରା ଆପଣଙ୍କ ଚର୍ମ ଶୁଷ୍କ ହେବନାହିଁ।

 

Leave a Reply