ରାଜ୍ୟରେ ‘ମଦ’ର ହୋମ୍‌ ଡେଲିଭରୀ: ଜାଣନ୍ତୁ କେମିତି କରିବେ ଅର୍ଡର, କ’ଣ ରହିବ ଏକ୍ସଟ୍ରା ଚାର୍ଜ ?

1 min read

ଭୁବନେଶ୍ୱର: ଲକଡାଉନ୍ ପାଇଁ ପାଖାପାଖି ୬୦ ଦିନ ହେବ ରାଜ୍ୟରେ ବନ୍ଦ ପଡିଥିବା ମଦ ଦୋକାନ ଖୋଲିବ । କିନ୍ତୁ କାଉଣ୍ଟରରୁ ବିକ୍ରି ହୋଇପାରିବ ନାହିଁ ମଦ । ଏଥିପାଇଁ ଗ୍ରାହକଙ୍କୁ ଅନଲାଇନ୍ ସପିଂ କରିବାକୁ ପଡିବ । ଆଉ ଘରେ ପହଂଚିବ  ମଦ । ଏନେଇ ରାଜ୍ୟ ସରକାର ଶନିବାର ଦିନ ଘୋଷଣା କରିଛନ୍ତି । ତେବେ ଏଥିପାଇଁ ଗ୍ରାହକଙ୍କୁ ପକେଟରୁ ୫୦ ପ୍ରତିଶତ ପ୍ଲସ ଡେଲିଭରି ଚାର୍ଜ୍ ଅଧିକ ଖର୍ଚ୍ଚ  କରିବାକୁ ପଡିବ । 

ଖୁବ୍‌ ଶୀଘ୍ର ଆରମ୍ଭ ହେବ ମଦ ବିକ୍ରୀ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିସାରିଛି । ସକାଳ ୭ରୁ ସନ୍ଧ୍ୟା ୬ ମଧ୍ୟରେ ମଦ ବିକ୍ରୀ ପାଇଁ ଅନୁମତି ଦେଇଛନ୍ତି ସରକାର । ତେବେ ମଦ କୌଣସି କାଉଣ୍ଟର ବା ଦୋକାନରୁ କିଣା ଯାଇପାରିବନାହିଁ ବୋଲି କୁହାଯାଇଛି । ମଦ କେବଳ ହୋମ୍‌ ଡେଲିଭରୀ କରାଯିବା ପାଇଁ ଅନୁମତି ଦେଇଛନ୍ତି ସରକାର । ଘରେ ବସି ଅର୍ଡର ଦେଲେ ପହଞ୍ଚିବ ମଦ । ତେବେ ଏହି ବ୍ୟବସ୍ଥା ୨୪ ମେ’ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ।

ତେବେ ହୋମ୍‌ ଡେଲିଭରୀରେ ମଧ୍ୟ ଅନେକ କଟକଣା ରହିଛି । ମଦର ଏମ୍‌ଆର୍‌ପିଠାରୁ ୫୦ ପ୍ରତିଶତ ଅଧିକ ଦରରେ ବିକ୍ରି କରାଯିବ । ଏହି ୫୦ ପ୍ରତିଶତ କୋଭିଡ୍‌ ଫି ଭାବେ ରାଜ୍ୟ ସରକାରଙ୍କ ପାଖକୁ ଯିବ । ଖାଲି ସେତିକି ନୁହେଁ ହୋମ୍‌ ଡେଲିଭରୀ ପାଇଁ ପ୍ରତି ୧୦୦୦ ଟଙ୍କାର ମଦରେ ୧୦୦ ଟଙ୍କା ଚାର୍ଜ ଲାଗିବ । ଯଦି ମଦ ଦାମ୍‌ ୧୦୦୦ ଟଙ୍କାରୁ ଅଧିକ ହେବ ତେବେ ପ୍ରତି ୫୦୦ ଟଙ୍କାରେ ୨୫ ଟଙ୍କା ଅଧିକ ଚାର୍ଜ ଲାଗିବ ।

ହୋମ୍‌ ଡେଲିଭରୀ ପାଇଁ କିଛି ନିର୍ଦ୍ଦିଷ୍ଟ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକନାକୁ ଅନୁମତି ଦିଆଯାଇଛି । ତେବେ କେଉଁ ଦୋକାନକୁ ଅନୁମତି ଦିଆଯାଇଛି ତାହା OSBC ଓ୍ୱେବ୍‌ସାଇଟ୍‌ରେ ଉପଲବ୍ଧ ଅଛି । ଓଏସ୍‌ବିସି ଓ୍ୱେବ୍ ସାଇଟ୍‌ OSBC.Co.in ରେ ଜିଲ୍ଲା ଓ୍ୱାରୀ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନଙ୍କ ତଥ୍ୟ ରହିଛି । ଏହା ସହ ଓ୍ୱେବ୍‌ସାଇଟ୍‌ରେ ବିଭିନ୍ନ ବ୍ରାଣ୍ଡର ମଦର ଏମ୍‌ଆର୍‌ପି ମଧ୍ୟ ଉଲ୍ଲେଖ ରହିଛି ।

ଠିପି ବନ୍ଦ ଓ ଠିପି ଖୋଲା ମଦ ଦୋକାନ ସେମାନଙ୍କ ମୋବାଇଲ ନମ୍ବର, ହ୍ୱାଟ୍ସଆପ୍‌ ନମ୍ବର, ଇମେଲ୍‌, ୟୁପିଆଇ ସମ୍ବନ୍ଧରେ ନିଜ ଦୋକାନ ସାମ୍ନାରେ ବିସ୍ତୃତ ଓ ପ୍ରାଞ୍ଜଳ ଭାବେ ତଥ୍ୟ ଦେବେ । ଯାହାଦ୍ୱାରା ସେମାନେ ଅନ୍ ଲାଇନ୍‌ରେ ଅର୍ଡର ଗ୍ରହଣ କରିପାରିବେ । ତେବେ ଦୋକାନୀଙ୍କୁ ଏହା ନିଶ୍ଚିତ କରିବାକୁ ପଡ଼ିବ ଯେ ଦୋକାନ ଆଗରେ ଯେଭଳି ଲୋକଙ୍କ ଭିଡ଼ ନହୁଏ । ଖାଲି ସେତିକି ନୁହେଁ ରିଟେଲର ମାନେ ନିଜେ ହୋମ୍‌ ଡେଲିଭରୀ କରିପାରିବେ ନଚେତ୍‌ ହୋମ୍‌ ଡେଲିଭରୀ କରୁଥିବା ସଂସ୍ଥା ଯୋଗାଯୋଗ କରିପାରିବେ ।

ହେଲେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଏବଂ ସପିଂ ମଲ୍‌ରେ ଏହି ସୁବିଧା ମଦ ବିକ୍ରୀ ପାଇଁ ଅନୁମତି ନାହିଁ । ବିଦେଶୀ ମଦ ଓ ବିୟର ଉପରେ ଲାଗିବ ସ୍ୱତନ୍ତ୍ର କୋଭିଡ୍‌ ଫି’ । ଅର୍ଡର କରିବାର ୬ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ମଦ ।

ମଦ ହୋମ୍‌ ଡେଲିଭରୀ କରୁଥିବା ସଂସ୍ଥା ଏକ୍ସାଇଜ୍‌ କମିଶନରଙ୍କ ପାଖରୁ ଏନ୍‌ଓସି ନେବା ବାଧ୍ୟତାମୂଳକ ହେବ । ଯେଉଁ ସଂସ୍ଥାକୁ ହୋମ୍‌ ଡେଲିଭରୀ ପାଇଁ ଅନୁମତି ମିଳିଛି ସେମାନଙ୍କ ନାଁ ଓଏସ୍‌ବିସି ଓ୍ୱେବ୍‌ସାଇଟ୍‌ରେ ପ୍ରକାଶ ପାଇବ ।

ମଦର ଏମ୍‌ଆର୍‌ପି ଓ ଡେଲିଭରୀ ଚାର୍ଜ ବ୍ୟତୀତ ଅଧିକ ମୂଲ୍ୟ କେହି ହାଙ୍କିପାରିବେ ନାହିଁ । ଯଦି ଅଧିକ ଦାମ୍‌ରେ କେହି ବିକ୍ରି କରିବେ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply