ବିରାଟ ନଖେଳିବା ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡର ବିତ୍ତୀୟ ସମସ୍ୟା ବଢାଇବ କି ? ଜାଣନ୍ତୁ…

1 min read

ନୂଆଦିଲ୍ଲୀ: ଆଇପିଏଲ ମହାସମର ସରିବା ପରେ ଆସନ୍ତା ନଭେମ୍ୱର ୨୭ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିରିଜ ଆରମ୍ଭ ହେବାକୁ ଯାଉଛି । ପ୍ରଥମେ ୩ଟି ଏକଦିବସୀୟ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହାପରେ ଟି-୨୦ ଓ ଟେଷ୍ଟ ଖେଳାଯିବ । ତେବେ ଭାରତୀୟ କ୍ରିକେଟ୍ ଦଳ ଏହି ଗସ୍ତ ପାଇଁ ଅନେକ ନୂଆ ଚେହେରାଙ୍କୁ ସୁଯୋଗ ଦେଇଥିବା ବେଳେ ପ୍ରାୟ ସମସ୍ତ ଅଭିଜ୍ଞ ଖେଳାଳିଙ୍କୁ ମଧ୍ୟ ସ୍ଥାନ ଦେଇଛି । ମାତ୍ର ଅଧିନାୟକ ବିରାଟ କୋହଲି ସିରିଜର ସବୁ ମ୍ୟାଚ ଖେଳିପାରିବେ ନାହିଁ । ସେ ପିତା ହେବାକୁ ଯାଉଛନ୍ତି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଏକଦିବସୀୟ ଓ ଟି-୨୦ ମ୍ୟାଚ ଖେଳିସାରିବା ପରେ ଗୋଟିଏ ଟେଷ୍ଟ ଖେଳି ସେ ଭାରତ ଫେରିଯିବେ ।

ବଳକା ତିନୋଟି ଟେଷ୍ଟରେ ତାଙ୍କୁ ଦେଖିବାକୁ ମିଳିବନି । ଏଭଳି ଖବର ଆସିବା ପରେ କ୍ରିକେଟ ଜଗତରେ ଓ ବିଶେଷ ଭାବେ ଭାରତୀୟ କ୍ରିକେଟ ବଳୟରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । କିଛି ରିପୋର୍ଟରେ ଏଭଳି ମଧ୍ୟ କୁହାଯାଇଛି ଯେ, ବିରାଟ ନଖେଳିବା ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ପାଇଁ ସମସ୍ୟା ଆଣିପାରେ । ବିଶେଷ ଭାବେ ବୋର୍ଡର ବିତ୍ତୀୟ ସ୍ଥିତି ବିରାଟଙ୍କ ଅନୁପସ୍ଥିତି ଯୋଗୁଁ ପ୍ରଭାବିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏଭଳି ଖବରକୁ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ସିଧାସଳଖ ଭାବେ ଖଣ୍ଡନ କରିଛି ।

ସଫେଇ ଦେଇ କହିଛି ଯେ, ବିରାଟ ନଖେଳିବା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ହୋଇପାରେ । ମାତ୍ର ବୋର୍ଡ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଦୁଇ ଟିମ ମଧ୍ୟରେ ଅନେକ କୁଶଳୀ ଖେଳାଳି ରହିଛନ୍ତି, ଯେଉଁମାନଙ୍କୁ ଦେଖିବା ପାଇଁ ଯଥେଷ୍ଟ ଭିଡ଼ ହେବ । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡର ବିତ୍ତୀୟ ସ୍ଥିତି ଉପରେ ମତପୋଷଣ କରି ବୋର୍ଡ ପକ୍ଷରୁ କୁହାଯାଇଛି ଯେ, କରୋନା ପରେ ବୋର୍ଡ ଏକ ସମ୍ୱେଦନଶୀଳ ସ୍ଥିତି ଦେଇ ଗତି କରୁଛି । କିଛି କର୍ମଚାରୀଙ୍କୁ ସେମାନଙ୍କୁ ମିଳୁଥିବା ଧାର୍ଯ୍ୟ ଦରମାଠାରୁ କମ୍ ଦରମା ଦେବାକୁ ମଧ୍ୟ ବୋର୍ଡ ଏକରକମର ବାଧ୍ୟ ଥିଲା । ମାତ୍ର ଏବେ ସେଭଳି ସ୍ଥିତି ନାହିଁ । ସବୁ ସ୍ୱାଭାବିକ ହେବା ସହ ବୋର୍ଡର ବ୍ୟାପାର ମଧ୍ୟ ସୁଧୁରୁଛି ।

Leave a Reply