ଲୋକାୟୁକ୍ତଙ୍କ ଅଧୀନକୁ ଆସୁ ଭିଜିଲାନ୍ସ, ପ୍ରସ୍ତାବ ଦେଲେ ଲୋକାୟୁକ୍ତ

Lokayukta

ଭୁବନେଶ୍ୱର: ରାଜ୍ୟରେ ଲୋକାୟୁକ୍ତ ଅଧୀନକୁ ଆସିବ କି ଭିଜିଲାନ୍ସ ? ଲୋକାୟୁକ୍ତଙ୍କ ଦ୍ୱାରା ପ୍ରକାଶିତ ବାର୍ଷିକ ରିପୋର୍ଟରେ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେବା ପରେ ଆରମ୍ଭ ହୋଇଛି ବିତର୍କ । ଏପଟେ ରାଜ୍ୟ ସରକାର ଏହାକୁ ଅନୁମତି ଦେବେ ନା ନାହିଁ ତାକୁ ଅପେକ୍ଷା ଥିବା ବେଳେ ବିରୋଧୀ ଦଳ ଏଭଳି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ।

Lokayukta

ଲୋକାୟୁକ୍ତ ଗଠନ ହେବା ପରଠୁ ରାଜସ୍ୱ, ଜଙ୍ଗଲ ଏବଂ ଗୃହ ବିଭାଗ ବିରୋଧରେ ସବୁଠୁ ଅଧିକ ଅଭିଯୋଗ ଆସିଛି । ଏପରିକି ବଡ ବଡ ଦୁର୍ନୀତି ସମ୍ପର୍କୀତ ଅଭିଯୋଗ ଲୋକାୟୁକ୍ତ ଅଫିସରେ ଦାୟର ହେଉଛି । ଏସବୁ ଦୁର୍ନୀତିର ତଦନ୍ତ ଦାଇତ୍ୱ ଭିଜିଲାନ୍ସକୁ ହସ୍ତାନ୍ତର ହେଉଛି । ତେଣୁ ଲୋକାୟୁକ୍ତଙ୍କ ଅଧୀନକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଆସୁ ବୋଲି ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଲୋକାୟୁକ୍ତ । ଏପରି ହେଲେ ଲୋକାୟୁକ୍ତ ଏବଂ ଭିଜିଲାନ୍ସର ବିଶ୍ୱସନୀୟତା ବଜାୟ ରହିବ । ଲୋକାୟୁକ୍ତଙ୍କ ଏଭଳି ପ୍ରସ୍ତାବକୁ କିନ୍ତୁ ସହଜରେ ଗ୍ରହଣ କରିନାହାନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ବିଜୟ କହିଛନ୍ତି ଭିଜିଲାନ୍ସ ଏବଂ ଲୋକାୟୁକ୍ତ ସୃଷ୍ଟିର ଉଦେଶ୍ୟ ଫରକ ରହିଛି । ବଡ଼ ବଡ଼ିଆଙ୍କ କ୍ଷେତ୍ରରେ ଲୋକାୟୁକ୍ତ କାମ କରିବା ଦରକାର । ସବୁ ଗୁଡିକୁ ଏକାଠି କରିଦେଲେ ବଡ ବଡିଆ ଅଭିଯୁକ୍ତଙ୍କ ଉପରେ ଫୋକସ ରହିବ ନାହିଁ ବୋଲି କହିଛନ୍ତି ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ ।

Vigilance

ଏ ପ୍ରସଙ୍ଗରେ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଏ ଘଟଣା ନିକଟରେ ଆସିଛି ସରକାର ତାର ତର୍ଜମା କରିବେ ଆଇନକୁ ଆଖି ଆଗରେ ରଖି ଯାହା କିଛି ନିଷ୍ପତି ନେବେ । ସେପଟେ ବିଜେପି ଓ କଂଗ୍ରେସ ଲୋକାୟୁକ୍ତ ଦେଇଥିବା ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ।

ଲୋକାୟୁକ୍ତ ନିଯୁକ୍ତିରେ ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ । ଏବେ ରାଜସ୍ଥାନ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଅଜିତ ସିଂ ଲୋକାୟୁକ୍ତ ଅଧ୍ୟକ୍ଷ ରହିଥିବା ବେଳେ ୩ ଜଣ ସଦସ୍ୟ କାମ କରୁଛନ୍ତି ।

(ଭବାନୀ ଶଙ୍କର ଦାସ)

Leave a Reply