ଭାରତ-ଚୀନ ସଂଘର୍ଷରେ କ’ଣ ଋଷ ନିରପେକ୍ଷ ରହିବ ? ଯଦି ହଁ ,ତେବେ କାହିଁକି ?

1 min read

ନୂଆଦିଲ୍ଲୀ:  ଗଲବାନ ସଂଘର୍ଷ ପରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏହାରି ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଋଷ ଗସ୍ତରେ ଯାଇଛନ୍ତି । କରୋନାକୁ ନେଇ ବିଶ୍ୱବ୍ୟାପି ଲକଡାଉନ୍ ସ୍ଥିତି ରହିଛି,ଅନେକ ହାଇପ୍ରୋଫାଇଲ ଗସ୍ତ ଓ ଶିଖର ସମ୍ମିଳନୀ ବାତିଲ ହୋଇଛନ୍ତି କିନ୍ତୁ ରାଜନାଥ ଋଷ ଗସ୍ତକୁ ବାତିଲ ନକରି ସେଠାକୁ ଯାଇଛନ୍ତି । ତେଣୁ ଏହା କୁହାଯାଉଛି ଯେ, ଚୀନ ସହ ସଂଘର୍ଷ ଭିତରେ ମସ୍କୋର ସମର୍ଥନ ହାସଲ ପାଇଁ ରାଜନାଥ ଋଷ ଗସ୍ତରେ ଯାଇଛନ୍ତି । ଅବଶ୍ୟ ଋଷ ଆଗରୁ ଏହା ସ୍ପଷ୍ଟ କରିଦେଇଛି ଯେ, ଭାରତ ଓ ଚୀନ ମାମଲାରେ ସେ ହସ୍ତକ୍ଷେପ କରିବ ନାହିଁ । ତେବେ ଯଦି ଭାରତ ଓ ଚୀନ୍ ଯୁଦ୍ଧଭୂମିରେ ମୁହାଁମୁହିଁ ହୁଅନ୍ତି ତେବେ  ଋଷ କାହା ପକ୍ଷରେ ଛିଡା ହେବ ? ଏହା ବର୍ତ୍ତମାନ ଗୋଟିଏ ବଡ ପ୍ରଶ୍ନ ଭାବେ ଉଭା ହୋଇଛି ।

ଭାରତ ଓ ଋଷ ସମ୍ପର୍କ

ଭାରତ ଓ ଋଷ ସମ୍ପର୍କ ଢେର ପୁରୁଣା । ଦୁଇ ଦେଶଙ୍କ ମଧ୍ୟରେ ସମ୍ପର୍କ ଭଲ । ତେଣୁ ଏହା ଆଶା କରାଯାଏ ଯେ,ଭାରତ ଓ ଚୀନ୍ ମଧ୍ୟରେ ସଂଘର୍ଷ ପରିସ୍ଥିତିରେ ଋଷ ନୂଆଦିଲ୍ଲୀକୁ ସମର୍ଥନ କରିବ । କିନ୍ତୁ କିଛି ଘଟଣା ଉପରେ ନଜର ପକାଇଲେ ଲାଗେ ଯେ, ଋଷ ସବୁବେଳେ ଭାରତକୁ ସମର୍ଥନ କରିନାହିଁ । ୨୦୧୭ ଡୋକଲାମ ପ୍ରସଙ୍ଗ କାଳରେ ଋଷ ନିରବ ରହିଥିଲା । ସେହିଭଳି ୧୯୬୨ ଚୀନ୍ ଯୁଦ୍ଧ କାଳରେ ଏହା ଭାରତକୁ ଆକ୍ରମଣକାରୀ ବୋଲି କହିଥିଲା । ସେତେବେଳେ ଜନ୍ ଏଫ୍ କେନେଡିଙ୍କ ନେତୃତ୍ୱରେ ଆମେରିକା ଭାରତକୁ ସାହାଯ୍ୟ କରିଥିଲା । ଆମେରିକା ଯୁଦ୍ଧରେ ସାମିଲ ହେବା ସମ୍ଭାବନା ସୃଷ୍ଟି ହେବା ପରେ ଚୀନ୍ ପଛଘୁଞ୍ଚା ଦେଇଥିଲା । କିନ୍ତୁ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ କାଳରେ ଆମେରିକା ଭାରତ ବିରୋଧରେ ଥିଲା,ଋଷ ଭାରତ ସପକ୍ଷରେ ଥିଲା

ଭାରତ ପାଇଁ ଋଷ ସମର୍ଥନ ଗୁରୁତ୍ୱପୂର୍ଣ୍ଣ କାହିଁକି ?

ଚୀନ୍ ବିରୋଧରେ ଯୁଦ୍ଧ ପରିସ୍ଥିତିରେ ଋଷର ସମର୍ଥନ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶଙ୍କ ମଧ୍ୟରେ ସହଯୋଗ ବେସ ନୀବିଡ ।  ଭାରତ ଅନେକ ପ୍ରକାରର ସାମରିକ ଉପକରଣ ପାଇଁ ଋଷ ଉପରେ ନିର୍ଭରଶୀଳ । ଯୁଦ୍ଧ ବିମାନଠାରୁ ଟ୍ୟାଙ୍କ ଓ ବ୍ରହ୍ମୋସ କ୍ଷେପଣାସ୍ତ୍ର ଏସବୁ ପାଇଁ ଭାରତ ଋଷ ଉପରେ ନିର୍ଭରଶୀଳ । ରାଜନାଥ ସିଂ ଋଷ ଗସ୍ତରେ ଯିବାର ଆଉ ଗୋଟିଏ କାରଣ ହେଉଛି କରୋନା ଯୋଗୁ ପ୍ରତିରକ୍ଷା ଉପକରଣ ଆସିବାରେ ବିଳମ୍ବ ହେଉଛି । ଅନ୍ୟପକ୍ଷରେ ଚୀନର କଠୋର ଆଭିମୁଖ୍ୟକୁ ବଦଳାଇବାରେ ଋଷ ସାହାଯ୍ୟ କରିପାରେ,ତେଣୁ ଋଷକୁ ମନାଇବା ପାଇଁ ମଧ୍ୟ ଭାରତ ଉଦ୍ୟମ କରୁଛି ।

russai china

 

ଚୀନ୍ ଓ ଋଷ ମଧ୍ୟ ଅନ୍ତରଙ୍ଗ ବନ୍ଧୁ

ଋଷ ଓ ଚୀନ ମଧ୍ୟରେ ସୀମାକୁ ନେଇ କଟୁତା ରହିଛି । ଶିତଳ ଯୁଦ୍ଧ କାଳରେ ଋଷ ଚୀନକୁ ବିଶ୍ୱାସ କରୁନଥିଲା । ଚୀନ ସେତେବେଳେ ଆମେରିକା ପଟକୁ ଢଳିଥିଲା । ଚୀନର କମ୍ୟୁନିଷ୍ଟ୍ ଶାସକ ଋଷକୁ ନିରୁତା କମ୍ୟୁନିଷ୍ଟ ରାଷ୍ଟ୍ର ବୋଲି ସେତେବେଳେ ମାନୁନଥିଲେ କି ଋଷର କମ୍ୟୁନିଷ୍ଟ ସରକାର ଚୀନକୁ କମ୍ୟୁନିଷ୍ଟ ଦେଶ ବୋଲି ମାନୁନଥିଲା । କିନ୍ତୁ ୧୯୯୦ ଦଶକ ପରଠାରୁ ଋଷ ଓ ଚୀନ ସମ୍ପର୍କ ବଦଳିଛି । ଉଭୟ ଦେଶଙ୍କ ପାଇଁ ଆମେରିକା ହେଉଛି ଶତ୍ରୁ । ଋଷ ହରାଇଥିବା ବିଶ୍ୱଶକ୍ତି ଟ୍ୟାଗ୍ ପୁଣି ଫେରି ପାଇବା ଚାହୁଁଛି ଓ ଚୀନ୍ ନୂଆ ବିଶ୍ୱ ବ୍ୟବସ୍ଥାରେ ନିଜକୁ ଦ୍ୱିତୀୟ ସୁପରପା୍ୱାର ବୋଲି ଭାବୁଛି । ଦୁଇ ଦେଶ ଆମେରିକାକୁ ନେଇ ଏକମତ । ତେଣୁ ଋଷ ପାଇଁ ପ୍ରଶ୍ନ କେବଳ ଭାରତକୁ ସମର୍ଥନ କରିବା ନୁହେଁ । ମସ୍କୋ ପାଇଁ ପ୍ରଶ୍ନ ହେଉଛି ଆମେରିକାକୁ ଏସିଆରୁ ଦୁରେଇ ରଖିବା । ତେଣୁ ଜିଓ ପଲିଟିକ୍ସ କାରଣରୁ ଋଷ ଭାରତକୁ ସମର୍ଥନ କରିବ କି ନିରପେକ୍ଷ ରହିବ ତାହା ଗୋଟିଏ ବଡ ପ୍ରଶ୍ନ ।

russia army

ଋଷ ପାଇଁ ସ୍ଥିତି ଠିକ୍ ନାହିଁ

ପାକିସ୍ତାନଠାରୁ କମ ଜନସଂଖ୍ୟା ବିଶିଷ୍ଟ ଋଷ ପାଖରେ ବିରାଟ ଭୂଖଣ୍ଡ ରହିଛି । ଏହି ଭୂଖଣ୍ଡର ସୁରକ୍ଷା ପାଇଁ ଋଷକୁ ଟେକ୍ନୋଲୋଜି ଉପରେ ନିର୍ଭର କରିବାକୁ ପଡେ । ବିଶେଷକରି ଆମେରିକା ଆଡୁ ଥିବା ବିପଦ ପାଇଁ ଋଷକୁ ଚୀନ୍ ଉପରେ ନିର୍ଭର କରିବାକୁ ପଡେ । ଅନ୍ୟପକ୍ଷରେ ଅଲଗା ଗୋଟିଏ ଦେଶ ପାଇଁ ଋଷ ନିଜ ପଡ଼ୋଷୀଙ୍କ ସହ ଋଷ ସମ୍ପର୍କ ଖରାପ କରିବାକୁ ଚାହୁଁନି । ତେଣୁ ଋଷ ଭାରତ-ଚୀନ ଯୁଦ୍ଧରେ କାହାକୁ ସମର୍ଥନ କରିବ ଏହାର ସମ୍ଭାବନା ବହୁତ କମ ।

Leave a Reply