ରାଜସ୍ଥାନ କଂଗ୍ରେସର ଅଭିଭାବକ ରହିବି,କ’ଣ ପାଇଁ ଏମିତି କହିଲେ ଗହଲୋତ ?

ରାଜସ୍ଥାନ: ସଚିନ ଦଳରେ ରହିବେ । ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଆଲୋଚନା ସରିଛି । ହେଲେ କ’ଣ ପଦପଦବୀ ଦେଇ ତାଙ୍କୁ ସନ୍ତୁଷ୍ଟ କରାଯିବ ତା ଉପରେ ରାଜନୀତିକ ମହଲର ନଜର ରହିଛି । ଏଇ ଭିତରେ ଅଶୋକ ଗହଲୋତଙ୍କ ଏକ ମନ୍ତବ୍ୟ ଏକ ଭିନ୍ନ ଦିଗ ଆଡ଼କୁ ଇସାରା କଲାଣି । ସଚିନ ପାଇଲଟ କଂଗ୍ରେସରେ ରହିବା ନେଇ ଖବର ପ୍ରସାର ହେବା ପରେ ଗଣମାଧ୍ୟମ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କ ପ୍ରତିକ୍ରିୟା ଲୋଡ଼ିଥିଲା । ପ୍ରତିକ୍ରିୟା ରଖି ଏକ ଅଡ଼ୁଆ ଓ ଅସମ୍ପୂର୍ଣ୍ଣ ମନ୍ତବ୍ୟ ଦେଲେ ଗହଲୋତ୍ । କହିଲେ, ଯେତେ ଦିନ ପର୍ଯ୍ୟନ୍ତ ଜୀବିତ ଅଛି ରାଜସ୍ଥାନ କଂଗ୍ରେସର ଅଭିଭାବକ ଭାବେ ରହିବି । ଦଳର ବିଧାୟକମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଦୂର କରିବାର ଦାୟିତ୍ୱ ମଧ୍ୟ ମୋର । ତେବେ ତାଙ୍କ ନେତୃତ୍ୱରେ ପାଞ୍ଚବର୍ଷ ସରକାର ଚାଲିବା ସମ୍ୱନ୍ଧୀତ ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ ଯେ କଂଗ୍ରେସ ପାର୍ଟି ରାଜ୍ୟରେ ୫ବର୍ଷର ସରକାର ଚଳାଇବ ।

ତେବେ ଗହଲୋତଙ୍କ ଏଭଲି ବଙ୍କା ଉତ୍ତରକୁ ନେଇ ଅନେକ ରାଜନୀତିକ ଆକଳନ ହେଉଛି । ଗଣମାଧ୍ୟମର କହିବା କଥା, ଗହଲୋତ ଚାହିଁଥିଲେ ନିଜେ ପାଞ୍ଚ ବର୍ଷ ଶାସନ କରିବା କଥା କହି ପାରିଥାନ୍ତେ ମାତ୍ର ସେ ଏଭଳି ନକରି କଂଗ୍ରେସ ପାଞ୍ଚ ବର୍ଷ ଶାସନ କରିବ ବୋଲି ଦୃଢୋକ୍ତି ବାଢିଛନ୍ତି । ଅର୍ଥାତ୍ କଂଗ୍ରେସ ସରକାରରେ ରହିବା ନେଇ ଦ୍ୱିମତ ନଥିଲେ ମଧ୍ୟ ସରକାରର ନେତୃତ୍ୱ ବଦଳିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ସେ ଆହୁରି କହିଛନ୍ତି, ବିଜେପି ସରକାର ଭାଙ୍ଗିବା ପାଇଁ ଯଥେଷ୍ଟ ପ୍ରୟାସ କଲା, କିନ୍ତୁ ଶେଷରେ ଗୋଟିଏ ହେଲେ ମଧ୍ୟ ଗୋଟିଏ ବିଧାୟକ ନେବାରେ ଅସମର୍ଥ ରହିଲା ।

ଅର୍ଥାତ୍ କଂଗ୍ରେସ କନ୍ଦଳକୁ ଅଶୋକ ଗହଲୋତ୍ ଏବେ ବିଜେପିର ଚକ୍ରାନ୍ତ ବୋଲି ପ୍ରମାଣ କରିବା ଆରମ୍ଭ କଲେଣି । ଅନ୍ୟପଟେ ସଚିନ ପାଇଲଟ୍ ସ୍ପଷ୍ଟ ଶଦ୍ଦରେ ଏକଥା କହିଛନ୍ତି ଯେ ଗହଲୋତ୍ ନିଜ ମନ ମୁତାବକ କାର୍ଯ୍ୟ କରୁଥିଲେ । ସରକାରରେ ତାଙ୍କ ଭୂମିକା ଓ ଗରୁତ୍ୱ ଏକ ସାଧାରଣ ବିଧାୟକଠାରୁ ଅଧିକ ନଥିଲା । ଏକଥା ସେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଜଣାଇ ରାଜସ୍ଥାନ ଫେରିଛନ୍ତି । ଅର୍ଥାତ୍ ଗହଲୋତ୍ ଏବେ ବ୍ୟାକଫୁଟରେ ରହି ଆରୋପ ବିଜେପି ଉପରେ ଲଦୁଥିଲେ ମଧ୍ୟ ସଚିନ ଗହଲୋତଙ୍କ ସପକ୍ଷରେ ମତ ରଖିବା ପାଇଁ ରାଜି ନାହାନ୍ତି । ସଚିନ ଦଳକୁ ଫେରୁଥିବା ହେତୁ କଂଗ୍ରେସ ତାଙ୍କୁ ,ସନ୍ତୁଷ୍ଟ କରିବା ସପକ୍ଷରେ ରହିବ । ଏପଟେ ଗହଲୋତ୍ ବି ମନ ବୁଝାଇସାରି  ତଥାକଥିତ ନିକମ୍ମା ସଚିନଙ୍କୁ  ଏବେ କୋଳେଇ ନେବାକୁ ଏକ ରକମର ବାଧ୍ୟ । ତେବେ ସଚିନ ଓ ତାଙ୍କ ସମର୍ଥିତ ବିଧାୟକଙ୍କ ଅଭିଯୋଗ ଶୁଣିବା ପାଇଁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ତିନିଜଣିଆ କମିଟି ଗଠନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । କମିଟି ପାଖରେ ଅଭିଯୋଗ ଉପସ୍ଥାପିତ ହେବା ପରେ ଜଣାପଡ଼ିବ କ୍ଷତିପୂରଣ କେଉଁ ରାସ୍ତାରେ ହେବ । ଏକଥା ମଧ୍ୟ ଅନୁମାନ କରିବା କଷ୍ଟ ନୁହେଁ ଯେ ଦଳକୁ ପଶିବା ପୂର୍ବରୁ ସଚିନ ନିଜ ଦାବି ସ୍ପଷ୍ଟ କରିସାରିଥିବେ । ହେଲେ କଂଗ୍ରେସ ସଚିନଙ୍କ ଦାବି ପାଇଁ ଗହଲୋତଙ୍କୁ ବାଧ୍ୟ କରିବା ନାଁ ଗହଲୋତଙ୍କ ସପକ୍ଷରେ ସଂଖ୍ୟା ଗରିଷ୍ଠତାକୁ ସମ୍ମାନ ଦେଇ ସଚିନଙ୍କ ସହ ମୂଲଚାଲ କରିବ ତାହା ସମୟ କହିବ ।

Leave a Reply