ବିଧବା କନିଷ୍ଠ କିରାଣିଙ୍କୁ ଅସଦାଚରଣ ଅଭିଯୋଗ, ଉପ ଜିଲ୍ଲାପାଳଙ୍କୁ ନିଲମ୍ବିତ କଲେ ସରକାର

ବଲାଙ୍ଗିର: ସରକାରୀ ଅଫିସରେ ଅସଦାଚରଣ । ତାହା ପୁଣି ଜଣେ ବିଧବା କନିଷ୍ଠ କିରାଣିଙ୍କୁ । ବଲାଙ୍ଗିର ଉପଜିଲ୍ଲାପାଳଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ସରକାର ବଲାଙ୍ଗିର ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଏଥିସହ ୭ ଦିନ ମଧ୍ୟରେ ପକ୍ଷ ରଖିବାକୁ ଉପ ଜିଲ୍ଲାପାଳଙ୍କୁ ନୋଟିସ୍ ପଠାଯାଇଛି ।

ଅସଦାଚରଣ ନେଇ  ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଅଭିଯୋଗ କରିଥିଲେ । ଉପ ଜିଲ୍ଲାପାଳ ନିଜ ଚ୍ୟାମ୍ବରରେ ଅସଦାଚରଣ କରିଥିବା ନେଇ ଜିଲ୍ଲାପାଳଙ୍କୁ ଜଣାଇଥିଲେ କନିଷ୍ଠ କିରାଣି । ଏହି ଅଭିଯୋଗର ତଦନ୍ତ ପାଇଁ ବଲାଙ୍ଗିର ଜିଲ୍ଲାପାଳ ଡେପୁଟି କଲେକ୍ଟରଙ୍କ ନେତୃତ୍ୱରେ ତଦନ୍ତକାରୀ ଦଳ ଗଠନ କରିବା ସହ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରାଯାଇଥିଲା ।

ତେବେ, ଅଭିଯୋଗ ବିଷୟରେ ଗଣମାଧ୍ୟମ ପ୍ରତିନିଧି ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ମଧ୍ୟ ସେ ପ୍ରସଙ୍ଗରୁ ଓହରି ଯିବାକୁ ଚେଷ୍ଟା କରିଥିଲେ । ସରକାର ବଲାଙ୍ଗିର ଉପ ଜିଲ୍ଲାପାଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ୭ ଦିନ ମଧ୍ୟରେ ପକ୍ଷ ରଖିବାକୁ ନୋଟିସ୍ ଜାରି କରିଛନ୍ତି ।

Leave a Reply