କାହିଁକି ପାଳନ ହୁଏ ନୌସେନା ଦିବସ ?

1 min read

ବିଶାଖାପାଟଣା : ପାଣି ଭିତରେ ଶତ୍ରୁକୁ ମାତ୍ ଦେବାର ପରାକ୍ରମ । ଜଳ ପଥରେ ଭାରତର ଅଭେଦ୍ୟ ପ୍ରାଚୀର । ମାଟି ମାଆକୁ ସତତ ଶତ୍ରୁର ଡାହାଣିଆ ନଜରରୁ ରକ୍ଷା କରିବାର ପଣ ଖାଇଛନ୍ତି ଆମ ଜବାନ । ଭାରତୀୟ ନୌସେନା । ଜଳପଥର ସଜାଗ ପ୍ରହରୀ । ବିଶ୍ବର ଶ୍ରେଷ୍ଠ ୧୦ ନୌସେନା ଭିତରୁ ଅନ୍ୟତମ । ଗ୍ଲୋବାଲ ରାଙ୍କିଙ୍ଗରେ ଏହାର ସ୍ଥାନ-୭ । ଦକ୍ଷିଣ ଏସିଆର ଏହା ସବୁଠୁ ଶକ୍ତିଶାଳୀ ନୌସେନା । ଏମାନଙ୍କ ବୀରତ୍ବର ଇତିହାସ ବହୁତ ଲମ୍ବା । ଦେଶର ପ୍ରତ୍ୟେକଟି ନାଗରିକ ଗର୍ବ କରେ ଭାରତୀୟ ନୌସୈନିକଙ୍କ ଶୌର୍ଯ୍ୟ ପାଇଁ ।

ଆଜି ହେଉଛି ଭାରତୀୟ ନୌସେନା ଦିବସ । ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ଦେଶ ପାଳନ କରେ ଏହି ଦିବସ । ପାଣି ଭିତରର ଲଢ଼ୁଆ ବୀରମାନଙ୍କ ପରାକ୍ରମର ଗାଥା ଗାଏ ଦେଶ । ବିଶାଖାପଟଣାରେ ହୋଇଛି ସ୍ୱତନ୍ତ୍ର ଆୟୋଜନ । କଣ ଆପଣ ଜାଣନ୍ତି କାହିଁକି ପାଳନ ହୁଏ ଏହି ଦିବସ ? କଣ ଏହା ପଛର ଇତିହାସ ?

କାହିଁକି ପାଳନ ହୁଏ ନୌସେନା ଦିବସ ?

୩ ଡିସେମ୍ବର ୧୯୭୧ । ପାକିସ୍ତାନୀ ସେନା ଭାରତୀୟ ବାୟୁସୀମା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆକ୍ରମଣ ପାଇଁ ଉଦ୍ୟମ କରୁଥିଲା । କାଳବିଳମ୍ବ ନକରି ପ୍ରତିଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଗଲା ଭାରତୀୟ ନୌସେନା । ସେତବେଳର ପୂର୍ବ ପାକିସ୍ତାନ ଯାହା ଏବେ ବାଂଲାଦେଶ ନାମରେ ନାମିତ, ତାଉପରେ ହମଲା ପାଇଁ ବିହ୍ୱ ରଚନା କଲେ ନୌ-ସୈନିକ । ‘ଅପରେସନ ଟ୍ରାଇଡେଣ୍ଟ’ ଜରିଆରେ କରାଚୀ ନୌସେନା ଉପରେ ହମଲା କରିଥିଲା ଭାରତ । ସାମିଲ ହୋଇଥିଲେ INS ନିର୍ଘାତ, INS ବୀର, INS ନିପାତ ଭଳି ପରାକ୍ରମୀ ଯୁଦ୍ଧ ଜାହାଜ ।

ଆଡମିରାଲ ଏସ୍‌.ନନ୍ଦାଙ୍କ ନେତୃତ୍ବରେ ଚାଲିଲା ୯୦ ଘଣ୍ଟାର ମାରାଥନ୍ ଅପରେସନ । ପ୍ରଥମଥର ପାଇଁ ଆଣ୍ଟି ସିପ୍‌ ମିସାଇଲ୍‌ରୁ ହୋଇଥିଲା ଆକ୍ରମଣ । ଯାହା ଦ୍ୱାରା ପାକିସ୍ତାନର କିଛି ଜାହାଜ ଓ ତେଲ ଡିପୋ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଧ୍ବଂସର ପ୍ରଭାବ ଏତେ ଥିଲା ଯେ ୭-ଦିନ ଜଳିଲା ଏହି ଡିପୋସମୂହ ।

ଏହାର ଲେଲିହାନ ଶିଖା ଜଳପଥରେ ୬୦ କିଲୋମିଟର ଯାଏ ବି ଦିଶୁଥିଲା । ତେଣୁ ୧୯୭୧ ଡିସେମ୍ବର ୪ରେ ଭାରତୀୟ ନୌସେନା ଦେଶକୁ ଦେଇଥିବା ଏହି ବିଜୟର ଇତିହାସକୁ ମନେପକାଇବା ପାଇଁ ପ୍ରତିବର୍ଷ ଏହି ଦିନରେ ପାଳନ ହୁଏ ଜାତୀୟ ନୌସେନା ଦିବସ ।

Leave a Reply