ମୋଦିଙ୍କ କାମ ଉପରେ ବିଶ୍ୱାସ କଲେ କିନ୍ତୁ ତେଜସ୍ୱୀଙ୍କ ପ୍ରତିଶ୍ରୁତି ଉପରେ କାହିଁକି ଭରସା କଲେନି ବିହାର ଭୋଟର ?

1 min read

ପାଟନା: ବିହାର ଭୋଟର କହିଲେ ପୁଣିଥରେ ନୀତୀଶ କୁମାର । ବିଜେପି ଓ ଜେଡିୟୁ ୧୨୫ ସିଟ୍ ସହ ମ୍ୟାଜିକ୍ ନମ୍ବର ୧୨୨କୁ ପାର କରିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ୧୦ ଲକ୍ଷ ଚାକିରି ସହ ଆହୁରି ଅନେକ କିଛି ପ୍ରତିଶ୍ରୁତି ଦେଇଥିବା ତେଜସ୍ୱୀଙ୍କୁ କାହିଁକି ଭୋଟର ନିରାଶ କଲେ । କ’ଣ ପାଇଁ ସେମାନେ ତେଜସ୍ୱୀଙ୍କୁ ପୁର୍ଣ୍ଣ ବିଶ୍ୱାସ କରିପାରିଲେନି ? ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଖୋଜିବା ।

ମୋଦି ଡଙ୍ଗାରେ ନୀତୀଶ
ନୀତୀଶଙ୍କ ବିରୋଧରେ ଅସନ୍ତୋଷ ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଣ୍ଟ୍ରି ଏନଡିଏକୁ ବଂଚାଇ ଦେଇଥିଲା । ମୋଦି ରାଜ୍ୟରେ ୧୨ଟି ରାଲି କରିଥିଲେ । ୧୨ଟି ରାଲିରେ ସେ କେନ୍ଦ୍ର ସରକାରଙ୍କ ଯୋଜନା କଥା କହିଥିଲେ । କେନ୍ଦ୍ର ପ୍ୟାକେଜ୍ ଓ ଯୋଜନା ଦ୍ୱାରା ବିହାରର କେମିତି ମଙ୍ଗଳ ହୋଇଛି ତାହା ବୁଝାଇ କହିବାରେ ସେ ସଫଳ ହୋଇଥିଲେ । କେନ୍ଦ୍ରୀୟ ଯୋଜନା ଦ୍ୱାରା ମୋଦି ବିହାରର ଅତି ଦଳିତ ଓ ଗରିବଙ୍କ ମଧ୍ୟରେ ନିଜ ପାଇଁ ସ୍ଥାନ ବନେଇବାରେ ସଫଳ ହୋଇଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ମୋଦି ଡଙ୍ଗାରେ ନୀତୀଶ ନିର୍ବାଚନ ବୈତରଣୀ ପାର ହୋଇଛନ୍ତି ।

ତେଜସ୍ୱୀ କାହିଁକି ଭୋଟରଙ୍କ ପୁରା ବିଶ୍ୱାସ ପାଇଲେ ନାହିଁ ?
ପିତା ଲାଲୁ ଯାଦବଙ୍କ ଅନୁପସ୍ଥିତିରେ ତେଜସ୍ୱୀ ନିଜ ଦମରେ ନିର୍ବାଚନ ଲଢୁଥିଲେ । ସେ ବିହାରରେ ସର୍ବାଧିକ ରାଲି କରିଛନ୍ତି । ମୋଟ ୨୫୦ ରାଲି କରିଥିଲେ । ରାଲିରେ ଭିଡ ବି ଅଧିକ ଥିଲା । କିନ୍ତୁ ଭିଡ ଭୋଟରେ ବଦଳି ନଥିଲା । ୧୦ ଲକ୍ଷ ଚାକିରିର ପ୍ରତିଶ୍ରୁତି ବି ଭୋଟ ଟାଣି ପାରିଲାନାହିଁ । ଅବଶ୍ୟ ଆରଜେଡି ସର୍ବାଧିକ ସିଟ୍ ଓ ଭୋଟ ସେୟାର ସହ ରାଜ୍ୟର ବଡ ଦଳ ଭାବେ ଉଭା ହୋଇଛି କିନ୍ତୁ ସରକାର ଗଠନ କରିବା ଲାଗି ଆବଶ୍ୟକ ମ୍ୟାଜିକ ନମ୍ବର ପାଇ ନାହିଁ । ତେବେ ଏମିତି କାହିଁକି ହେଲା ? ମୋଦିଙ୍କ ଦ୍ୱାରା ତିଆରି କରାଯାଇଥିବା ନୂଆ ଭୋଟ୍ ବ୍ୟାଙ୍କ ତେଜସ୍ୱୀଙ୍କ ପାଇ କାଳ ହୋଇଥିଲା ।

ମୋଦି ତିଆରି କରିଛନ୍ତି ବଂଚିତଙ୍କ ନୂଆ ଭୋଟ୍ ବ୍ୟାଙ୍କ୍

୨୦୧୪ରେ କ୍ଷମତାକୁ ଆସିବା ପରେ ମୋଦି ଗରିବଙ୍କ ପାଇଁ ଜନଧନ ଆକାଉଣ୍ଟ୍ ଖୋଲିଥିଲେ । ସରକାରୀ ଯୋଜନାକୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ସହ ଯୋଡା ଯାଇଥିଲା । ଫଳରେ ସିଧା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପହଂଚି ପାରୁଛି । ପିଏମ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତରେ ସେ କୋଭିଡ୍-୧୯ ମହାମାରୀ ସମୟରେ ବିହାରକୁ ୧୭ ହଜାର କୋଟିର ଆର୍ଥିକ ପ୍ୟାକେଜ୍ ଦେଇଥିଲେ । ଏପିଏଲ ଓ ବିପିଏଲ ପରିବାରକୁ ମାଗଣା ରାସନ ମଧ୍ୟ ଯୋଗାଇ ଦିଆଯାଇଥିଲା । କେନ୍ଦ୍ରର ଏହି ଯୋଜନା ସବୁ ଭୋଟରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲେ । ତେଜସ୍ୱୀଙ୍କ ପ୍ରତିସ୍ରୁତିକୁ ଭୋଟର ଗ୍ରହଣ ନକରିବାର ଏହା ହେଉଛି ଗୋଟିଏ ବଡ କାରଣ ।

ତେବେ ତେଜସ୍ୱୀ କ’ଣ ପୁରା ସଫଳ ?
ତେଜସ୍ୱୀଙ୍କ ନେତୃତ୍ୱରେ ଦଳ ରାଜ୍ୟର ସବୁଠୁ ବଡ ଦଳ ଭାବେ ଉଭା ହୋଇଛି ସତ କିନ୍ତୁ ୨୦୧୫ରେ ସେ ପାଇଥିବା ସିଟଠାରୁ କମ ସିଟ୍ ପାଇଛି । ୨୦୧୫ରେ ଆରଜେଡି ୮୦ ସିଟ୍ ପାଇଥିଲା । ଏଥର କିନ୍ତୁ ୭୫ ସିଟରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏହାସହ ସୀମାଂଚଳରେ ଆରଜେଡି ଖାତା ଖୋଲିବାରେ ମଧ୍ୟ ବିଫଳ ହୋଇଛି ।

Leave a Reply