ତାରା ପଟ୍ଟନାୟକଙ୍କ କଂପାନୀରେ କେମିତି ହେଲା ଗ୍ୟାସ୍ ଲିକ୍ ?

1 min read

ଭୁବନେଶ୍ୱର : ବାଲେଶ୍ୱରର ଅନ୍ୟତମ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ‘ଫାଲକନ’ ଏବେ ବିବାଦ ଘେରରେ । ଗ୍ୟାସ୍ ଲିକ ପରେ ତାରା ପଟ୍ଟନାୟକଙ୍କ କଂପାନୀର କାର୍ଯ୍ୟକଳାପକୁ ନେଇ ଉଠିଛି ପ୍ରଶ୍ନ । ବୁଧବାର ରାତି ପ୍ରାୟ ୯ଟା ସମୟରେ ହଠାତ୍ ଶତାଧିକ ଶ୍ରମିକ ଅସୁସ୍ଥ ହୋଇପଡ଼ିଥିଲେ । ପ୍ରଥମେ ଖନ୍ତାପଡ଼ା ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସମସ୍ତ ଅସୁସ୍ଥଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୧୩ ଜଣଙ୍କ ଅବସ୍ଥା ସଂକଟ୍ଟାପନ୍ନ ହେବାରୁ ସେମାନଙ୍କୁ ଫକୀରମୋହନ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ଦେଇଥିଲେ ସିଡିଏମଓ । ଏବେବି ୮୮ କର୍ମଚାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସମସ୍ତଙ୍କୁ ଅବଜରଭେସନରେ ରଖାଯାଇଥିବା ପ୍ରଫେସର କହିଛନ୍ତି । ଏହି ଗ୍ୟାସ ସଂକ୍ରମଣରେ ଭବିଷ୍ୟତକୁ କୌଣଶି ଅସୁବିଧାର ଆଶଙ୍କାକୁ ଦୃଷ୍ଟିରେ ରଖି ଆହତଙ୍କୁ ଏବେ ସ୍ୱତନ୍ତ୍ର ଦୃଷ୍ଟିରେ ରଖାଯାଇଛି ।

ଅସୁସ୍ଥ କର୍ମଚାରୀଙ୍କୁ ବାଲେଶ୍ୱର ହସ୍ପିଟାଲକୁ ଅଣାଯାଉଛି

ତେବେ ଏଭଳି ଘଟଣା ଘଟିଲା କେମିତି ? ଚିଙ୍ଗୁଡି ପ୍ଲାଣ୍ଟରୁ କେମିତି ହେଲା ଗ୍ୟାସ୍ ଲିକ୍ ? ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଫାଲକନ୍ ପ୍ରୋସେସିଂର ୫ ନମ୍ବର ପ୍ଲାଣ୍ଟ ବାଲେଶ୍ୱରରୁ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଏହାପରେ ଏସି ରୁମରେ ବସି ଚିଙ୍ଗୁଡିକୁ ଛଡ଼ାଇ ପ୍ୟାକିଂ କରୁଥିବା ମହିଳାମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । କେହି କେହି ମୂର୍ଛାଯିବା ଭଳି ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଜଣଙ୍କ ପରେ ଜଣେ ଏହିପରି ଶତାଧିକ ଶ୍ରମିକ ମାତ୍ର କେଇ ମିନିଟ୍ ମଧ୍ୟରେ ଅସୁସ୍ଥ ହୋଇପଡ଼ିଥିଲେ ।

ଶତାଧିକ ସଂଖ୍ୟାର ଅସୁସ୍ଥଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବାର ଦୃଶ୍ୟ

ମାତ୍ର ଏ ଘଟଣାକୁ ଏକ ଭିନ୍ନ ରୂପ ଦେବା ସହ ଅତ୍ୟନ୍ତ ହାଲୁକା ଭାବେ କଂପାନୀ କର୍ତ୍ତୃପକ୍ଷ ନେଇଥିବା ଅଭିଯୋଗ ହୋଇଛି । ପ୍ରଥମେ ବ୍ଲିଚିଂ ପାଉଡର ଉପରେ ପାଣି ପଡ଼ି ଯିବାରୁ ଗ୍ୟାସ ବାହାରି କର୍ମଚାରୀ ଅସୁସ୍ଥ ହୋଇଥିବା ତାରା ପଟ୍ଟନାୟକଙ୍କ କଂପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାକୁ କ୍ଲୋରିନ୍ ଗ୍ୟାସର ରୂପ ଦେବାକୁ ମଧ୍ୟ ପ୍ରୟାସ କରାଯାଇଥିଲା । ବିପଦଜନକ ଆମୋନିଆ ପରିବର୍ତ୍ତେ କ୍ଲୋରିନ୍ ଗ୍ୟାସର ଆଳ ଦେଖାଇବା, କଂପାନୀ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବର ପରିଚୟ ଦେଇଥିଲା । ଆମୋନିଆ ଗ୍ୟାସ୍ ଅତ୍ୟନ୍ତ ବିପଦ ଜନକ ହୋଇଥିବା ବେଳେ ଏ ଦିଗରେ କୌଣସି ସତର୍କତା ନଥିଲା କାହିଁକି ?


ଚିଙ୍ଗୁଡି ପ୍ରୋସେସିଂ ୟୁନିଟ୍ ପରିସରରେ ଉପଯୁକ୍ତ ପରିମାଣର ସୁରକ୍ଷା ସଂରଞ୍ଜାମ ରହିଥିଲା କି ? ପ୍ଲାଣ୍ଟକୁ ରାତାରାତି ସିଜ୍ କରାନଯାଇ ପ୍ରମାଣ ନଷ୍ଟ କରିବାକୁ ସୁଯୋଗ ଦିଆଗଲାନି ତ ? ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ନେଇ କାମ କରୁଥିବା ଫାଲକନ ମାଲିକ ତାରା ପଟ୍ଟନାୟକ ମାମଲାକୁ ଚପାଇବାକୁ ଉଦ୍ୟମ କରୁଛନ୍ତି କି ? ଯଦି ନା ତେବେ ଗ୍ୟାସ୍ ଲିକ୍ ସଂପର୍କରେ ଜଣାପଡ଼ିବା ପରେ କଂପାନୀ ପକ୍ଷରୁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ? ଏଭଳି ବହୁ ପ୍ରସଙ୍ଗ ରହିଛି ଯାହାକୁ ତଦନ୍ତ ବେଳେ ସାମ୍ନା କରିବେ ତାରା ପଟ୍ଟନାୟକ ଓ ତାଙ୍କ କଂପାନୀ କର୍ତ୍ତୃପକ୍ଷ

ଫାଲକନରେ କାର୍ଯ୍ୟରତ ଜଣେ ସଂପର୍କୀୟାଙ୍କୁ ଧରି ହସ୍ପିଟାଲରେ ଜଣେ ସ୍ଥାନୀୟ ବାସିନ୍ଦା

ଭୋପାଳ ଗ୍ୟାସ୍ ଦୁର୍ଘଟଣାର ଦାଗ ଆଜି ବି ଭାରତୀୟଙ୍କ ମନରେ ରହିଥିବା ବେଳେ ବାଲେଶ୍ୱରରେ ଏକ ବଡ଼ ବିପଦ ଟଳିଯାଇଥିବା ସମସ୍ତେ କହୁଛନ୍ତି । କିନ୍ତୁ ଯେଉଁମାନେ ବେପାର ନାଁରେ ମୃତ୍ୟୁ ବିକୁଛନ୍ତି ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ ?

https://nandighoshatv.compolice-sealed-falcon-marine-after-poisoning-gas-leak/ ')}

Leave a Reply