୪ ଦିନର ଜେରା ପରେ ବି କାହିଁକି ଗିରଫ ହେଉନାହାଁନ୍ତି ରିୟା ?

ମୁମ୍ୱାଇ : ସୁଶାନ୍ତ ସିଂହ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଜାରି ରହିଛି । ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ଜେରା ଆଜିକୁ ୪ଦିନ ହେଲା ଚାଲୁଛି । ବର୍ତ୍ତମାନ ସୁଦ୍ଧା ୨୬ ଘଣ୍ଟାର ଜେରା ସରିଲାଣି । ହେଲେ କୌଣସି ଉପସଂହାରରେ ଏପର୍ଯ୍ୟନ୍ତ ସିିବିଆଇ ପହଞ୍ଚି ପାରିନି ।  ରିୟାଙ୍କ ଜେରା ପରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି ସତ ହେଲେ ଏଭଳି କିଛି ଦୃଢ ତଥ୍ୟ ବାହାରକୁ ଆସୁନି ଯାହା ସିବିଆଇକୁ ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେବାରେ ସହାୟକ ହେବ । ରିୟାଙ୍କୁ ଗିରଫ କରିବା ପାଇଁ ସିବିଆଇକୁ ଯେଉଁ ତଥ୍ୟର ଆବଶ୍ୟକତା ରହିଛି ତାହା ନଆସିବା ହେତୁ ତାଙ୍କୁ ଗିରଫ କରାଯାଇ ପାରୁନି । ସିବିଆଇ ଚାହିଁଲେ ରିୟାଙ୍କୁ ଏବେ ମଧ୍ୟ ଗିରଫ କରିପାରିବ । ହେଲେ ଯଦି ଏଭଳି ହୁଏ ତେବେ ମାମଲାର ଗୁରୁତ୍ୱ କମିଯିବାର ସମ୍ଭାବନା ରହିଛି  । କାରଣ – ରିୟାଙ୍କ ବିରୋଧରେ ଦୃଢ ପ୍ରମାଣ ନଥାଇ ତାଙ୍କୁ ଗିରଫ କରାଗଲେ, ତାଙ୍କୁ ଜାମିନ ମିଳିବା ସହଜ ହେବ ।  ଏଣୁ ସିବିଆଇର ପ୍ରୟାସ ତଦନ୍ତଙ୍କୁ ଅଧିକ ତୃଣମୂଳ ସ୍ତରକୁ ନେଇ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିବା ପରେ ହିଁ କାହାରିକୁ ଗିରଫ କରିବା ।

ଅନ୍ୟପକ୍ଷରେ କେଶବ, ନୀରଜ, ସିର୍ଦ୍ଧାର୍ଥ ପିଠାନୀ ଓ ସେମୁଏଲ ମିରାଣ୍ଡାଙ୍କ ଜେରା ସିବିଆଇ କରିସାରିଛି । ଏମାନେ ସମସ୍ତେ ଏକ ପ୍ରକାରର ପ୍ରତ୍ୟକ୍ଷଦର୍ଶୀ । ତେବେ ଏମାନଙ୍କ ବୟାନରେ ତାଳମେଳ ରହୁନି । ସମସ୍ତେ ଭିନ୍ନ ଭିନ୍ନ କଥା କହୁଛନ୍ତି । କଥାରେ ସାମଞ୍ଜସ୍ୟ ରହୁ ନଥିବା ହେତୁ ସିବିଆଇ, କିଏ ସତ କହୁଛି ଓ କିଏ ମିଛ ସେ ନେଇ କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ନେଇ ପାରୁନାହିଁ ।

ଘଟଣାରେ ଅନ୍ୟ ଏକ ପକ୍ଷ ମଧ୍ୟ ରହିଛି । ସିବିଆଇ ରିୟାଙ୍କ ବିରୋଧରେ ଚାର୍ଜସିଟି ପ୍ରସ୍ତୁତ କରିବା ପୂର୍ବରୁ ଏହି ଦିଗ ଉପରେ ମଧ୍ୟ ଧ୍ୟାନ ଦେଇପାରେ ।  ସୁଶାନ୍ତଙ୍କ ମୃତ୍ୟୁ ପରେ ଶବ ବ୍ୟବଚ୍ଛ୍ୟେଦ ରିପୋର୍ଟ ଓ ଫରେନ୍ସିକ୍ ରିପୋର୍ଟ ଆଧାରରେ ରିୟାଙ୍କୁ ଗିରଫ କରିବା ସହଜ ହେବ । ଏକପ୍ରକାରରେ କହିଲେ ରିୟାଙ୍କ ବିରୋଧରେ ହେବାକୁ ଥିବା ଗିରଫଦାରୀ ପାଇଁ ଏବେ ଏହି ରିପୋର୍ଟ ହିଁ ଏକମାତ୍ର ଭରସା । ଯଦି ରିପୋର୍ଟ ପ୍ରକାଶ ପାଇବା ପରେ ଏଥିରେ ରିୟାଙ୍କ ବିରୋଧରେ ସାମାନ୍ୟତମ ; ମାତ୍ର ତଥ୍ୟପୂର୍ଣ୍ଣ ପ୍ରମାଣ ମିଳେ ତେବେ, ସିବିଆଇ ତାଙ୍କୁ ଗିରଫ କରିବାରେ ସକ୍ଷମ ହେବ । ଏବେ ଫରେନ୍ସିକ୍ ରିପୋର୍ଟକୁ ଏମ୍ସ୍ ଯାଞ୍ଚ କରୁଛି । ଏମ୍ସ୍ ରିପୋର୍ଟ ଆସିବା ପରେ ରିୟାଙ୍କ ଜେରା ଓ ଗିରଫକୁ ନେଇ ସ୍ପଷ୍ଟତା ମିଳିବ ।

Leave a Reply