କେନ୍ଦ୍ର ନିଷ୍ପତ୍ତିରୁ କିଏ ପାଇବେ ଲାଭ ? ଚାଷୀ ନା କର୍ପୋରେଟ କମ୍ପାନୀ !

ଭୁବନେଶ୍ୱର:  ଆଳୁ ପିଆଜ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ପଡ଼ିବା ପରେ ଏହାକୁ ନେଇ ଦେଶ ସାରା ଚର୍ଚ୍ଚା । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଠଗଡ଼ାରେ ଛିଡ଼ା କରିଛନ୍ତି ରାଜ୍ୟ ସରକାର । ଏପରିକି କର୍ପୋରେଟ କମ୍ପାନୀ ବଜାରକୁ ପଶି ଆସିବେ ବୋଲି ଆଶଙ୍କା କରିଛନ୍ତି । ସେପଟେ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ନେଇ ଜୋର ଧରିଛି ରାଜନୀତି ।

ନିୟନ୍ତ୍ରଣ ବାହାରକୁ ଯିବ ଆଳୁ, ପିଆଜ ?

କେନ୍ଦ୍ର କ୍ୟାବିନେଟ ନିଷ୍ପତିକୁ ନେଇ ଏଭଳି ପ୍ରଶ୍ନ ଉଠିଛି । ଏଥି ଯୋଗୁଁ କିଏ ଲାଭ ପାଇବେ ? ଚାଷୀ ନା କର୍ପୋରେଟ କମ୍ପାନୀ । ୬୦ ବର୍ଷର ନିୟମକୁ ବଦଳାଇ ଆଳୁ, ପିଆଜ ଓ ତେଲ ପରି ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ତାଲିକାକୁ ବାଦ୍ ଦେଇଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ଆରମ୍ଭ ହୋଇଛି ବିତର୍କ । କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି ଏସବୁ ସାମଗ୍ରୀ ଅତ୍ୟାବଶ୍ୟକ ତାଲିକାରୁ ବାଦ୍ ପଡ଼ିବା ପରେ ଚାଷୀମାନେ ବେଶ ଉପକୃତ ହେବେ ।

ହେଲେ ରାଜ୍ୟ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛି । ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଯୁକ୍ତି ହେଉଛି କେନ୍ଦ୍ରର ଏପରି ନିଷ୍ପତ୍ତି ଆଶଙ୍କା ସୃଷ୍ଟି କରିଛି । ଏଥିରେ ଚାଷୀଙ୍କ ସ୍ୱାର୍ଥ ରହିବ କି ନାହିଁ ତାହା ଉପରେ ପ୍ରଶ୍ନ ଉଠୁଛି । ଖାଉଟି ଉପରେ ଏହା ବୋଝ ପଡ଼ିବ ବୋଲି କୁହାଯାଉଛି । ଅତ୍ୟାବଶ୍ୟକୀୟ ବଜାର କର୍ପୋରେଟ ନିୟନ୍ତ୍ରଣକୁ ଆସିଯିବ ଓ ଦର ମଧ୍ୟ କାହା ନିୟନ୍ତ୍ରଣରେ ରହିବ ନାହିଁ । କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ନେଇ ଯୋଗାଣ ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ସେପଟେ ଏହାକୁ ନେଇ ଜୋର ଧରିଛି ରାଜନୀତି । କଂଗ୍ରେସ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଥିବା ବେଳେ ବିଜେପି ମାପିଚୁପି ବୟାନ ଦେଇଛି । କହିଛି ଏହାଦ୍ଵାରା ଚାଷୀ ଉପକୃତ ହେବେ ।

ଏବେ ଆଳୁ ଦର କିଲୋ ପ୍ରତି ୨୫ରୁ ୨୮ ଟଙ୍କା ରହିଥିବା ବେଳେ ପିଆଜ ଦର ୨୦ ଟଙ୍କା ରହିଛି । ତେବେ, କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ପରେ ପ୍ରକୃତରେ ଚାଷୀ ଉପକୃତ ହେଉଛନ୍ତି ନା କର୍ପୋରେଟ ସଂସ୍ଥା ଲାଭ ପାଇବେ ତାକୁ ନେଇ ଉଠିଛି ପ୍ରଶ୍ନ ।

ମୋଦି କ୍ୟାବିନେଟ୍ ପାସ କଲା ଦୁଇ ଅଧ୍ୟାଦେଶ,କୃଷକଙ୍କ ପାଇଁ ‘ଗୋଟିଏ ଦେଶ ଗୋଟିଏ ବଜାର’ ନୀତି

Leave a Reply