ପଞ୍ଚାୟତକୁ ମିଳିଛି କେଉଁ କ୍ଷମତା, ଆଗକୁ କେଉଁ କ୍ଷମତା ହେବ ହସ୍ତାନ୍ତର ଜାଣନ୍ତୁ….

1 min read

ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ ମହାମାରୀ ଦ୍ୱାରା ବହୁଳ ପ୍ରଭାବିତ। ଆମ ଦେଶ ଭାରତରେ ଏହାର ପ୍ରକୋପ ମଧ୍ୟ ଶିଖର ଛୁଇଁଛି। ସେହିଦୃଷ୍ଟିରେ ଦେଖିଲେ ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ସୁସ୍ଥତା ହାରରେ ରାଜ୍ୟ ଅନ୍ୟ ରାଜ୍ୟଗୁଡିକଠାରୁ ବହୁତ ଭଲ ସ୍ଥିତିରେ ରହିଛି। କରୋନାଜନିତ ମୃତ୍ୟୁହାର ମଧ୍ୟ କମ୍ ରହିଛି। ରାଜ୍ୟ ସରକାରଙ୍କ ଉପଯୁକ୍ତ କୋଭିଡ ପରିଚାଳନା ପାଇଁ ଏହା ସମ୍ଭବ ହୋଇଛି। ଏକଦା କରୋନା ପ୍ରକୋପ ବୃଦ୍ଧି ପାଇବାକୁ ଯାଉଥିବା ବେଳେ ଏମିତି କିଛି ନିଷ୍ପତ୍ତି ନିଆଯାଇଥିଲା, ଯାହା କୋଭିଡ ନିୟନ୍ତ୍ରଣରେ ସହାୟକ ହୋଇଥିଲା।

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃଣମୂଳସ୍ତରରେ କୋଭିଡ ପରିଚାଳନାକୁ ବ୍ୟାପକ କରିବା ପାଇଁ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଥିଲେ। ଲକଡାଉନ, ସଟଡାଉନ ନିଷ୍ପତ୍ତି, କୋଭିଡ ପାଇଁ ଥିବା ସଙ୍ଗରୋଧ କେନ୍ଦ୍ରଗୁଡ଼ିକର ପରିଚାଳନା ମଧ୍ୟ ସରପଞ୍ଚମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିଲା। ଏହି ନିଷ୍ପତ୍ତି ଗ୍ରାମୀଣ ଓଡ଼ିଶାରେ ସଂକ୍ରମଣକୁ ଅନେକାଂଶରେ ହ୍ରାସ କରିଥିଲା। କେବଳ ଏହି ପ୍ରସଙ୍ଗ ନୁହେଁ। ତୃଣମୂଳସ୍ତରକୁ ଶାସନ କଳର ବିକେନ୍ଦ୍ରୀକରଣ ପାଇଁ ଆଗକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବା ପାଇଁ ଚିନ୍ତା କରିଛନ୍ତି।

ପୂର୍ବରୁ ପଞ୍ଚାୟତମାନଙ୍କୁ 73 ସମ୍ବିଧାନ ସଂଶୋଧନ ଅନୁଯାୟୀ ଧାରା 243(ଜି)ର 11ତମ ଅନୁଚ୍ଛେଦରେ ଥିବା 29 ଗୋଟି ବିଷୟବସ୍ତୁରୁ 21 ବିଷୟ ହସ୍ତାନ୍ତରିତ କରାଯାଇଛି। ଏହିଗୁଡିକ ହେଉଛି-କୃଷି ଏବଂ କୃଷିର ଅନ୍ୟାନ୍ୟ ଆନୁଷଙ୍ଗିକ , ମୃତ୍ତିକା ସଂରକ୍ଷଣ, କ୍ଷୁଦ୍ର ଜଳସେଚନ, ଜଳପରିଚାଳନା ଏବଂ ୱାଟରସେଡ୍ ଉନ୍ନୟନ କାର୍ଯ୍ୟକ୍ରମ, ପ୍ରାଣୀସମ୍ପଦ,ମତ୍ସ୍ୟପାଳନ, କ୍ଷୁଦ୍ର ଜଙ୍ଗଲ ସୃଷ୍ଟି, ଗ୍ରାମୀଣ ଘର, ପାନୀୟ ଜଳ ଇତ୍ୟାଦି ପଞ୍ଚାୟତର ଅଧିନସ୍ଥ। ସେହିପରି ଦାରିଦ୍ର୍ୟ ଦୂରିକରଣ କାର୍ଯ୍ୟକ୍ରମ, ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା, ପୌଢ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ, ମହିଳା ଓ ଶିଶୁ ବିକାଶ, ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ପଞ୍ଚାୟତସ୍ତରୀୟ କୋଠ ସମ୍ପତ୍ତିର ରକ୍ଷଣବେକ୍ଷଣ ସରପଞ୍ଚ କରିଥାଆନ୍ତି ।

କେବଳ ଏତିକି ନୁହେଁ ପଞ୍ଚାୟତକୁ ଆହୁରି ଅଧିକ କ୍ଷମତା ଦେବା ପାଇଁ ଚିନ୍ତା କରାଯାଇଛି । ଏ ନେଇ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷମତା ହସ୍ତାନ୍ତର ହେବାକୁ ବାକି ରହିଛି । ଏହିଗୁଡିକ ହେଉଛି-ଜମି ଉନ୍ନୟନ, ଭୂସଂସ୍କାର ଆଇନ ଲାଗୁ, ଜମିଜମା ସଂକ୍ରାନ୍ତୀୟ ଅନ୍ୟାନ୍ୟ ପ୍ରସଙ୍ଗ, ସାମାଜିକ ଏବଂ ଫାର୍ମ ଫରେଷ୍ଟ୍ରି, ଅଣୁ,କ୍ଷୁଦ୍ର,ମଧ୍ୟମଶିଳ୍ପ ସହ ଖାଦ୍ୟ ପ୍ରକ୍ରିୟାକରଣ ମଧ୍ୟ ପଞ୍ଚାୟତ କ୍ଷମତାର ଅର୍ନ୍ତଭୁକ୍ତ ହେବାକୁ ଯାଉଛି । ଏତଦ୍ ବ୍ୟତୀତ ଜାଳେଣି, ଗ୍ରାମୀଣ ବିଦ୍ୟୁତିକରଣ ଏବଂ ବିଦ୍ୟୁତ ବଣ୍ଟନ, ବୈଷୟିକ ପ୍ରଶିକ୍ଷଣ ଏବଂ ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ପଞ୍ଚାୟତର ଅଧିନସ୍ଥା ହେବାକୁ ପ୍ରସ୍ତାବ ରହିଛି । ସେହିପରି ତୃଣମୂଳରେ ଗଠନଧର୍ମୀ କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପଞ୍ଚାୟତ କ୍ଷମତାର ଅନ୍ତର୍ଭୁକ୍ତ ହେବାର ପ୍ରସ୍ତାବ ରହିଛି ।

ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ବିଧାନସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଉପରୋକ୍ତ ତଥ୍ୟ ପ୍ରଦାନ କରିଛନ୍ତି । ଏସଂକ୍ରାନ୍ତରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ ସରପଞ୍ଚଙ୍କ କ୍ଷମତା ସମ୍ପର୍କରେ ଏବଂ କୋଭିଡ ପରିଚାଳନା ନେଇ ପ୍ରଶ୍ନ ପଚାରିଥିଲେ ।

Leave a Reply