ସମ୍ବିଧାନର ପ୍ରଥମ ଓ ହାତ ଲେଖା କପି କେଉଁଠି ଅଛି ?

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଗଣତନ୍ତ୍ର ଭାରତ । ସମ୍ବିଧାନ ବି ସେତିକି ବୃହତ । ଆପଣଙ୍କ ମଧ୍ୟରୁ କେହି କେହି ଏହାକୁ ଦେଖିଥିବେ ନିଶ୍ଚୟ । ତେବେ, ଆପଣ ଜାଣିଛନ୍ତି କି ସମ୍ବିଧାନର ପ୍ରଥମ ଓ ହାତ ଲେଖା କପି କେଉଁଠି ଅଛି ? କେତେ ସୁରକ୍ଷା ମଧ୍ୟରେ ଅଛି ?ସଂସଦ, ଦେଶର ମନ୍ଦିର । ଏଇଠି ତିଆରି ହୁଏ ଆଇନ୍ । ସର୍ବଦା କଡ଼ା ସୁରକ୍ଷା ବଳୟ ଭିତରେ ଥିବା ସଂସଦରେ ରହିଛି ୨ଟି ଦୁର୍ଲଭ ହୀରା । ଯାହାକୁ ଜଗି ରହିଛନ୍ତି ଯବାନ । ତେବେ, ଏହି ହୀରା କଣ ? କାହିଁକି ଯବାନ ଦିନରାତି ପହରା ଦେଉଛନ୍ତି । ଚୋରି ଭୟ ନା ସୁରକ୍ଷା କାରଣ ?ଗଣତନ୍ତ୍ର ମନ୍ଦିର ସଂସଦରେ ରହିଛି ସମ୍ବିଧାନର ପ୍ରଥମ ହାତ ଲେଖା କପି । ସଂସଦ ଲାଇବ୍ରେରୀ ରୁମରେ ଯାହାକୁ ଜଗି ରହିଛନ୍ତି ଯବାନ । ସଂସଦର ପ୍ରଥମ ମହଲା ଲାଇବ୍ରେରୀର ସାଂସଦ କନଫରେନ୍ସ ରୁମ୍ ପରେ ରହିଛି ଏକ ଡୋର୍ । ଯାହା ପରେ ରହିଛି ଏକ ସିଡି ଘର ତାପରେ ଏକ ଟେବୁଲ୍ । ଆଉ ଟେବୁଲ୍ ଉପରେ ରହିଛି ଏକ ଟ୍ରଙ୍କ୍ । ଯେଉଁ ଟ୍ରଙ୍କରେ ରହିଛି ହାତଲେଖା ୨ଟି ସମ୍ବିଧାନ ।

ପ୍ରତୀକାତ୍ମକ ଚିତ୍ର

କେମିତି ଦେଖିବେ ମୂଳ ସମ୍ବିଧାନ ?

ହିନ୍ଦୀ ଓ ଇଂରାଜୀ ଭାଷାରେ ଲିଖିତ ହାତଲେଖା ସମ୍ବିଧାନକୁ ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଯେଉଁଠିକୁ କେହି ପହଞ୍ଚିବା ଅସମ୍ଭବ । ଏହାକୁ ସମସ୍ତେ ବି ଦେଖିପାରିବେ ନାହିଁ । ହାତଲେଖା କପିକୁ ଦେଖିବାକୁ ଲମ୍ବା ପ୍ରକ୍ରିୟା ଦେଇ ଯିବାକୁ ହେବ । ଏହାକୁ ଦେଖିବାକୁ ହେଲେ ଲୋକସଭା ସଚିବ, ସଂସଦର ସୁରକ୍ଷା ମୁଖ୍ୟ, ରୁମ୍ ଇନଚାର୍ଜ, ୨ ଜଣ ସାକ୍ଷୀଙ୍କୁ ଉପସ୍ଥିତ ରହିବାକୁ ପଡ଼ିବ । ତା ଛଡ଼ା ୨ଟି ରେଜିଷ୍ଟରରେ ଏହା ସମ୍ବନ୍ଧୀୟ ତଥ୍ୟ ଉଲ୍ଲେଖ କରିବାକୁ ପଡ଼ିବ ।ଦୁନିଆର ସବୁଠୁ ବଡ଼ ଗଣତନ୍ତ୍ରର ବୃହତ ସମ୍ବିଧାନକୁ ସାଇତି ରଖିବା ପ୍ରକ୍ରିୟା ବି ବେଶ୍ ରୋଚକ । ସମ୍ବିଧାନର ହାତ ଲେଖାକୁ ସାଇତି ରଖିବା ପାଇଁ ଭାରତରୁ ଆମେରିକା ଯାଏଁ ବହୁ ଗବେଷଣା ହୋଇଛି । ତାପରେ ୨ଟି ବାକ୍ସ ତିଆରି କରାଯାଇ ରଖାଯାଇଛି । ସୁରକ୍ଷା କାରଣରୁ ନାଇଟ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି କରାଯାଇଥିବା ବେଳେ ଲାଗିଛି ୨ଟି ମିଟର । ପ୍ରତି ବର୍ଷ ଏହି ନାଇଟ୍ରୋଜେନ୍ ଗ୍ୟାସକୁ ଖାଲି କରାଯିବା ସହ ମୂଳକପିର ସ୍ଥିତି ଯାଞ୍ଚ କରାଯାଇ ପୁଣି ଗ୍ୟାସ୍ ଭର୍ତ୍ତି କରି ସେହି ଟ୍ରଙ୍କରେ ରଖି ଦିଆଯାଏ ।୨୨ ଅଧ୍ୟାୟ ବିଶିଷ୍ଟ ଭାରତୀୟ ସମ୍ବିଧାନ ବହନ କରେ ଦେଶର ଐତିହ୍ୟ ଓ ପୁରାଣର କଥା । ସର୍ବଧର୍ମକୁ ସମ୍ମାନ ଦେଉଥିବା ଭାରତର ସମ୍ବିଧାନ ପ୍ରତିଟି ଅଧ୍ୟାୟରେ ପ୍ରାରମ୍ଭରେ ଅଙ୍କା ଯାଇଛି ଏସବୁ । ଯେଉଁଥିରେ ନଟରାଜ, ଶ୍ରୀକୃଷ୍ଣ, ବୁଦ୍ଧଙ୍କ ଠାରୁ ଆରମ୍ଭ କରି ରାଣୀ ଲକ୍ଷ୍ମୀବାଇଙ୍କ ଛବି ରହିଛି । ଆଉ ସମ୍ବିଧାନର ପ୍ରଥମରେ ରହିଛି ଅଶୋକ ସ୍ତମ୍ଭ । ଯାହାକୁ ସୁନାର ପ୍ରଲେପ ଦେଇ ସୁସଜ୍ଜିତ କରିଥିଲେ ଶାନ୍ତି ନିକେତନର ନନ୍ଦଲାଲ୍ ବୋଷ ।

Leave a Reply