ନୂତନ ସଂସଦ ଭବନ ନିର୍ମାଣ ପରେ ୯୨ ବର୍ଷ ପୁରୁଣା ସଂସଦ ଭବନର କ’ଣ ହେବ ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀରେ ନୂତନ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି । ୨୦୨୨ ସୁଦ୍ଧା ନୂତନ ସଂସଦ ଭବନ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆ ସଂସଦ ଭବନ ଭବିଷ୍ୟତର ଆବଶ୍ୟକତା, ଅଧିକ ସାଂସଦଙ୍କ ସଂଖ୍ୟା ଆଧାରରେ ନିର୍ମାଣ କରାଯାଉଛି। ତେବେ ନୂଆ ସଂସଦ ଭବନ ନିର୍ମାଣ ହେବାପରେ ପୁରୁଣା ତଥା ବର୍ତ୍ତମାନର ସଂସଦ ଭବନ କ’ଣ ହେବ ଏବଂ ତାହା କେଉଁ କାମରେ ଲାଗିବ ତାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି ।

ସରକାରଙ୍କ ଯୋଜନା ମୁତାବକ ପୁରୁଣା ସଂସଦ ଭବନକୁ ବିଭିନ୍ନ ସମୟରେ ସଂସଦୀୟ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯିବ। ଏହା ବ୍ୟତୀତ କିଛି ଅଂଶକୁ ଏକ ମ୍ୟୁଜିୟମ ଭାବେ ମଧ୍ୟ ବ୍ୟବହାର କରାଯିବ। ବର୍ତ୍ତମାନର ସଂସଦ ଭବନରେ ୫୬୦ ଫୁଟର ଡାୟାମିଟର ରହିଛି, ଯାହାକି ବଡ଼ କାର୍ଯ୍ୟକ୍ରମ ଆୟୋଜନ ପାଇଁ କ୍ଷମତା ରଖୁଛି ।

ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି ଯେ ପୁରୁଣା ସଂସଦ ଏବେ ୯୨ ବର୍ଷ ପୁରୁଣା ହୋଇଯାଇଛି ଏବଂ ଏହି ସଂସଦ ଭବନ ଦେଶର ସ୍ୱାଧୀନତା ଏବଂ ସମ୍ବିଧାନ ରଚନା ସମେତ ବିଭିନ୍ନ ଐତିହାସିକ ଘଟଣାର ସାକ୍ଷୀ ରହିଛି । ବର୍ତ୍ତମାନର ସଂସଦ ଭବନର ଶିଳାନ୍ୟାସ ୧୨ ଫେବ୍ରୁଆରି ୧୯୨୧ରେ କରାଯାଇଥିଲା ଏବଂ ୬ ବର୍ଷରେ ୮୩ ଲକ୍ଷ ଟଙ୍କା ଖର୍ଚ୍ଚରେ ଏହା ତିଆରି ହୋଇଥିଲା। ଏହାର ଉଦ୍‌ଘାଟନ ଭାରତର ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ ଇରୱିନ୍‌ଙ୍କ ଦ୍ୱାରା ୧୮ ଜାନୁଆରି ୧୯୨୭ରେ ହୋଇଥିଲା।

ବିଶ୍ୱରେ ସବୁଠାରୁ ପୁରୁଣା ସଂସଦ ଭବନ ନେଦରଲ୍ୟାଣ୍ଡ୍‌ରେ ରହିଛି । ହେଗ୍‌ ସହରରେ ଥିବା ଏହି ସଂସଦ ଭବନର ନିର୍ମାଣ ତ୍ରୟୋଦଶ ଶତାବ୍ଦୀରେ ହୋଇଥିଲା। ଇଟାଲିର ସଂସଦ ଭବନ ୧୫୦୫ରେ ନିର୍ମାଣ ହୋଇଥିବା ବେଳେ ଫ୍ରାନ୍ସର ସଂସଦ ଭବନ ୧୬୧୫ରୁ ୧୬୪୫ ମଧ୍ୟରେ ନିର୍ମାଣ ହୋଇଥିଲା। ଆମେରିକାର ସଂସଦ ଭବନ ହେଉଛି ୨୦୦ ବର୍ଷ ପୁରୁଣା।

Leave a Reply