ଅନ୍‌ଲକ୍‌ ୩.୦ରେ କ’ଣ ରହିବ ସ୍ଥିତି ? ବିଜେପି କହୁଛି ଲକ୍‌ଡାଉନ୍‌ ବଢ଼ୁ, କଂଗ୍ରେସ ଚାହୁଁଛି ଶ୍ରମିକଙ୍କୁ ଟଙ୍କା !

UNLOCK 3.0

ଭୁବନେଶ୍ୱର: ଜୁଲାଇ ୩୧ରେ ଦେଶରେ ସରୁଛି ଅନଲକ୍ ଇଣ୍ଡିଆ ୨.୦ । ଅଗଷ୍ଟ ୧ରୁ ଆରମ୍ଭ ହେବ ଅନଲକ୍ ୩.୦ । ଯାହାକୁ ନେଇ ଆରମ୍ଭ ହୋଇଗଲାଣି ଅନେକ କଳ୍ପନା ଜଳ୍ପନା । ଭୂତାଣୁ ବନ୍ଦୀରୁ ମୁକୁଳିବାର ରାହା ଦେଖୁଥିବା ଦେଶବାସୀଙ୍କ ମନରେ ଉଙ୍କି ମାରୁଛି ଆଶ ଓ ଆଶଙ୍କା । କ’ଣ ରହିବ ଖୋଲା, କ’ଣ ବନ୍ଦ, କେନ୍ଦ୍ରର ନିଷ୍ପତ୍ତି ଉପରେ ନିର୍ଭର କରୁଥିବା ବେଳେ, ଚର୍ଚ୍ଚା ହେଉଛି କଟକଣା ଭିତରେ ଖୋଲିପାରେ ସିନେମା ହଲ ଓ ଜିମ୍‌ । ସେହିପରି ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଓ ପର୍ଯ୍ୟଟନ କ୍ଷେତ୍ରରେ ବି କଟକଣା କୋହଳ ହୋଇପାରେ । ତେବେ ମେଟ୍ରୋ ସେବା ଓ ସ୍କୁଲ ଖୋଲିବା ନିଷ୍ପତ୍ତି ଉପରେ ନାସ୍ତିବାଣୀ ଶୁଣାଇଛନ୍ତି କେନ୍ଦ୍ର ସରକାର ।

 Corona

ଲକ୍‌ଡାଉନ୍‌ ବଢ଼ିବ ନା କଟକଣା ଭିତରେ ଚାଲିବ ଜୀବନ ଜୀବିକା ?  ନୂଆ ରୂପରେ ଆସିବ କି ଅନଲକ୍ 3.0 ? ତାଲାବନ୍ଦୀରେ ଘାଣ୍ଟି ହେଉଥିବା ଦେଶବାସୀଙ୍କ ନଜର ଏବେ କେନ୍ଦ୍ରର ନୂଆ ଘୋଷଣା ଉପରେ । ଆଶା କରାଯାଉଛି କଟକଣାରେ କିଛିଟା କୋହଳ କରିପାରନ୍ତି କେନ୍ଦ୍ର ସରକାର । ସିନେମା ହଲ୍‌ ଓ ଜିମ ଖୋଲିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏନେଇ ଖୁବଶୀଘ୍ର ଏସଓପି ଜାରି କରିପାରେ କେନ୍ଦ୍ର ।

Corona

ସିନେମା ହଲ୍‌ ମାଲିକ ନିୟମ ମାନି ହଲ ଖୋଲିବା ସପକ୍ଷରେ ଯୁକ୍ତି ବାଢିଥିବା ବେଳେ, ୨୫ ପ୍ରତିଶତ ଦର୍ଶକଙ୍କୁ ନେଇ ପ୍ରେକ୍ଷାଳୟ ଆରମ୍ଭ କରିବା ସପକ୍ଷରେ ଅଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ମାତ୍ର ମେଟ୍ରୋ ସେବା ଓ ସ୍କୁଲ ଖୋଲିବା ନେଇ ପୂର୍ବବତ କଟକଣା ଜାରି ରହିବ । ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଓ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ କଟକଣା ଭିତରେ ପରିଚାଳନା କରିବାକୁ କେନ୍ଦ୍ର ବିଚାର କରୁଥିବା ସୂଚନା ମିଳିଛି ।

Corona

ଦିନକୁ ଦିନ ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲକ୍‌ଡାଉନ୍‌ ବୃଦ୍ଧି କରିବା ସପକ୍ଷରେ ଯୁକ୍ତି ବାଢିଛି ରାଜ୍ୟ ବିଜେପି । ବିଜେପି କହିଛି, ଜୀବନ ବଞ୍ଚାଇବା ପାଇଁ ଲକ୍‌ଡାଉନକୁ ଆଉ କିଛିଦିନ ବୃଦ୍ଧି କରାଯିବା ଉଚିତ୍‌ । ସେହିପରି କଂଗ୍ରେସ କହିଛି, ପ୍ରଥମେ ଗରିବ ଲୋକଙ୍କୁ ମାସିକ ୧୦ହଜାର ଟଙ୍କା ସହାୟତା ରାଶି ଦିଆଯାଉ ।

Corona

ତା’ ପରେ ଲକ୍‌ଡାଉନ୍‌ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବା କଥା ନିଅନ୍ତୁ । ବିଜେଡି କହିଛି, ଲକ୍‌ଡାଉନ୍‌ ବୃଦ୍ଧି ହେବ କି ନାହିଁ, ସେନେଇ ବିଚାରବିମର୍ଶ ଚାଲିଛି । କେନ୍ଦ୍ର ସରକାର ଓ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଠିକ୍‌ ସମୟରେ ଠିକ ନିଷ୍ପତ୍ତି ନେବେ ବୋଲି ବିଜେଡି କହିଛି ।

ଦୀର୍ଘ ୪ ମାସ ହେଲା ଭୂତାଣୁ ସହ ଚାଲିଛି ଯୁଦ୍ଧ । ସଟଡାଉନ୍‌, ଲକଡାଉନର ବନ୍ଦୀ ଭିତରୁ ମୁକୁଳି ଦେଶ ଏବେ ଜୀବନଜୀବିକା ସ୍ୱାଭାବିକ କରିବାକୁ ଜାରି ରଖିଛି ଅନ୍‌ଲକ୍‌ ଇଣ୍ଡିଆ । ପ୍ରଥମ ଦୁଇ ପର୍ଯ୍ୟାୟରେ କୋହଳ ସୀମା ବୃଦ୍ଧି କରିଥିବା ବେଳେ ତୃତୀୟ ପର୍ଯ୍ୟାୟରେ କଟକଣା ପରିସର ବୃଦ୍ଧି ହୋଇପାରେ ବୋଲି ମଧ୍ୟ ଆଶା କରାଯାଉଛି ।

Leave a Reply