ଜାଣନ୍ତୁ କ’ଣ ରହିଛି ଛେରାପହଁରାର ବିଶେଷତ୍ତ୍ୱ…

ଗଜପତି ମହାରାଜଙ୍କ ଦ୍ୱାରା ହେଉଥିବା ଏକ ଆକର୍ଷଣୀୟ ନୀତି ହେଲା ତିନି ରଥରେ ଛେରାପହଁରା । ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ, ଚଳନ୍ତି ବିଷ୍ଣୁ ଭାବେ ସମ୍ମାନିତ ଗଜପତି ମହାରାଜା ଶ୍ରୀନଅରରୁ ବାଜା ପଟୁଆର ସହିତ ରାଜାବେଶରେ ତାମଯାନରେ ବସି ଆସନ୍ତି । ପ୍ରଥମେ ବଳଭଦ୍ର ଠାକୁରଙ୍କ ରଥରେ ଉଠନ୍ତି । ସେ ଦଣ୍ଡପ୍ରଣାମ କରି ହାଟୁଆଣି ନେଇ (ହାତ ଧୋଇ) ନିଉଛାଳି ହୋଇ ପୁଷ୍ପାଞ୍ଜଳି ଦିଅନ୍ତି । ରାଜା ତା’ପରେ  ସୁନା ଦାନିରେ କର୍ପୂର ଆଳତି କରି, ସୁନା ଚାମର ଆଳତି କରନ୍ତି । ତାପରେ ରଥର ସିଂହାସନରୁ ଓହ୍ଲେଇ ଛେରାପହଁରା କରନ୍ତି ।

ରାଜଗୁରୁ ସୁନାଖଡ଼ିକା ସଂସ୍କାର କରି ରାଜାଙ୍କ ହାତକୁ ବଢ଼େଇ ଦିଅନ୍ତି । ଭଣ୍ଡାର ମେକାପ ରଥର ଚାରି ପାଖରେ ବୁଲି ଧଳାଫୁଲ ଆଗରେ ପକାନ୍ତି, ରାଜା ଚାରି ପାଖରେ ବୁଲି ପହଁରା କରନ୍ତି । ପହଁରା ପରେ ରଥର ଚାରିପଟେ ସଂସ୍କାର କରାଯାଇଥିବା ଚନ୍ଦନପାଣି ଓ ଚନ୍ଦନ ଗୁଣ୍ଡ ଛିଞ୍ଚନ୍ତି । ଏହିପରି ଭାବରେ ତା’ ପରେ ଶ୍ରୀଜଗନ୍ନାଥଙ୍କ ରଥ ଓ ଦେବୀଙ୍କ ରଥରେ ଛେରାପହଁରା ନୀତି ହୁଏ ।

ଛେରାପହଁରା ନୀତି ପରେ ଗଜପତି ମହାରାଜା ନଅରକୁ ଫେରିଥାନ୍ତି । ତିନି ରଥର ଚାରମାଳ (ରଥକୁ ଚଢ଼ିବା ନିମନ୍ତେ ପଡ଼ିଥିବା କାଠପଟା) ଖୋଲାଯାଏ ଏବଂ ସାରଥି ଓ ଘୋଡ଼ା ଯୋଚାଯାଏ । ଏହା ଭୋଇ ସେବକମାନେ କରନ୍ତି । ଏହାପରେ ରଥମାନଙ୍କରେ ଦଉଡ଼ି ବନ୍ଧାଯାଏ । ରଥମାନଙ୍କୁ ପୋଲିସ ଦ୍ୱାରା କର୍ଡନ କରାଯାଏ । ରଥମାନଙ୍କ ଉପରେ ସଂପୃକ୍ତ ସେବକମାନେ, ଡାହୁକ, ଆବଶ୍ୟକ କର୍ମଚାରୀ ଉପସ୍ଥିତ ରହିଥାନ୍ତି । କ୍ରମାନ୍ୱୟରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ରଥ ଟଣା ହୋଇ ଗୁଣ୍ଡିଚା ଘର ଅଭିମୁଖେ ଯାଏ । ବାଟରେ କେତେକ ମଠବାଡ଼ିରେ ପନ୍ତି ଭୋଗ ହୁଏ ।

Leave a Reply