ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି

ନନ୍ଦିଗ୍ରାମ: ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ବୋଲି ସୋମବାର ଦିନ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ଖାଲି ଏତିକି ନୁହେଁ ସେ ଭବାନୀପୁର ଆସନରୁ ବି ନିର୍ବାଚନ ଲଢିବେ।

ସୂଚନା ଅନୁଯାୟୀ ନନ୍ଦିଗ୍ରାମକୁ ଶୁଭେନ୍ଦୁ ଅଧିକାରୀଙ୍କ ଗଡ ଭାବେ ବିବେଚିତ କରାଯାଇଥାଏ। ଯିଏକି ଟିମସି ଛାଡି ଏବେ ବିଜେପିରେ ସାମିଲ ହୋଇଛନ୍ତି। ଏଥିସହିତ ମମତା ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ ମୁଁ ବଞ୍ଚି ଥାଉଥାଉ ପଶ୍ଚିମବଙ୍ଗକୁ ବିକ୍ରି ହେବାକୁ ଦେବିନାହିଁ।

ଏଥିସହିତ ନନ୍ଦିଗ୍ରାମ ରାଲିରେ ଦିଦି ଶୁଭେନ୍ଦୁଙ୍କ ନାମ ନନେଇ କହିଛନ୍ତି ଯେ, କାହା ଠାରୁ ଜ୍ଞାନ ନେବି ନାହିଁ। ନନ୍ଦିଗ୍ରାମ ଆନ୍ଦୋଳନ କିଏ କରିଛି? କେହି କେହି ଏପଟ ସେପଟ କରିବାକୁ ଚାହୁଁଛନ୍ତି, ହେଲେ ଚିନ୍ତାର ବିଷୟ ନୁହେଁ। ଏହାଛଡା ବିଜେପିକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ “ବିଜେପି ୱାଶିଂ ମେସିନ୍, ଆଉ ବିଜେପି କଳାକୁ ଧଳା କରିବାର ୱାଶିଂ ପାଉଡର ବି”।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଖବରକାଗଜ ଓ ସାମ୍ବାଦିକ ମାନଙ୍କୁ ଡରାଇ ସର୍ଭେ କରାଯାଉଛି। ହେଲେ ମୋତେ ସବୁ କିଛି ଜଣା। ସବୁ ଭିଡିଓ ଓ ହ୍ବାଟ୍ସଆପ ଉପରେ ବିଶ୍ବାସ କରନ୍ତୁନି, ଏସବୁ ମିଛ। ବିଜେପି ମିଛ ଖବର ପ୍ରଚାର କରିବାର କାମ କରୁଛି।

ଏହି ରାଲି ସମୟରେ ମମତା ନିଜ ଭାଷଣରେ ୨୦୦୭ ମସିହାରେ ହୋଇଥିବା ସିଙ୍ଗୁର ଆନ୍ଦୋଳନ ବିଷୟରେ କହିଥିଲେ। ଆନ୍ଦୋଳନ ସିଙ୍ଗୁରରେ ଆରମ୍ଭ ହୋଇଥିଲା ଆଉ ପରେ ନନ୍ଦିଗ୍ରାମରେ ଆରମ୍ଭ ହୋଇଥିଲା। ମୁଁ ପ୍ରାୟ ୨୬ ଦିନ ଅନଶନ କରିଥିଲି, ଯାହାପରେ ଆଇନ୍ ବଦଳି ଥିଲା। ସେ ସମୟରେ ଗୁଳି ଚଳା ହେଉଥିବା ଜାଣିବା ପରେ ତତକ୍ଷଣାତ୍ ସେଠାରେ ପହଞ୍ଚିଥିଲି। ଏମିତିକି ମୋତେ ପେଟ୍ରୋଲ ବମରେ ଜଳାଇବାକୁ ଚେଷ୍ଟା କରାଯାଇଥିଲା।

Leave a Reply