ସାଉଥ୍ ଅଭିନେତ୍ରୀ ଚିତ୍ରାଙ୍କ ଆତ୍ମହତ୍ୟା; ବିଳମ୍ବିତ ରାତି ଯାଏଁ କରିଥିଲେ ସୁଟିଂ

ହାଇଦ୍ରାବାଦ: ଲୋକପ୍ରିୟ ସାଉଥ୍ ଅଭିନେତ୍ରୀ ତଥା ଭିଜେ ଚିତ୍ରାଙ୍କର ବୁଧବାର ସକାଳେ ଏକ ହୋଟେଲ ରୁମରେ ମୃତଦେହ ମିଳିଛି ।

ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି କୁହାଯାଉଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

କୁହାଯାଉଛି ଯେ ଭିଜେ ଚିତ୍ରା ଗତକାଲି ବିଳମ୍ବିତ ରାତି ଯାଏଁ ସୁଟିଂ କରିଥିଲେ । ସୁଟିଂ ପରେ ସେ ତାଙ୍କ ହୋଟେଲ ରୁମରେ ଚେକ୍ ଇନ୍ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ହୋଟେଲର ରିସେପ୍ସନିଷ୍ଟଙ୍କୁ ତାଙ୍କ ମୃତ୍ୟୁ ବିଷୟରେ ଖବର ମିଳିଥିଲା । ସେ ଏନେଇ ପୋଲିସକୁ ସୂଚନା ଦେଇଥିଲେ।

ଚିତ୍ରାଙ୍କ ପରିବାର ଚେନ୍ନାଇରେ ରହୁଥିବା ବେଳେ ଚଳିତ ଅଗଷ୍ଟ ମାସରେ ତାଙ୍କର ବ୍ୟବସାୟୀ ହେମନ୍ତ ରବିଙ୍କ ସହ ନିର୍ବନ୍ଧ ହୋଇଥିଲା । ଏଭଳି ପରିସ୍ଥିତିରେ ଚିତ୍ରାଙ୍କ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଚକିତ କରୁଛି । ଯଦିଓ ଏଯାଏଁ ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ଦିଆଯାଇନାହିଁ ।

ତେବେ ଚିତ୍ରାଙ୍କ ବିୟୋଗରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

Leave a Reply