ଜୀବନ ଦି ଛକିରେ ବୟସର ସଂଘର୍ଷ, ଏକମାତ୍ର ଔଷଧୀୟ ଚାରା ସାହା

ହଜି ଯାଇନି ମାନବିକତା । ଅନ୍ୟର ଉପକାର କରିବାର ନିଶା କିଛି ଲୋକଙ୍କ ମଧ୍ୟରେ ଏବେ ମଧ୍ୟ ଜୀବିତ ରହିଛି । ଆଉ ଏଥିପାଇଁ ଉତ୍ତମ ମାଧ୍ୟମ ସାଜିଛି ସୋସିଅଲ ମିଡିଆ । ନିକଟରେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଦିଲ୍ଲୀର ମାଲବୀୟ ନଗରରେ । ଭାଇରାଲ ହୋଇଥିଲା ବାବା କା ଢାବା ଭିଡ଼ିଓ। ଲକଡାଉନରେ ପ୍ରଭାବିତ ହୋଇଥିବା ବାବାଙ୍କ ଦୋକାନକୁ ଗ୍ରାହକ ଆସୁନଥିବାରୁ କଇଁ କଇଁ ହୋଇ କାନ୍ଦୁଥିଲେ ବୟସ୍କ ବାବା । ଭିଡ଼ିଓ ଭାଇରାଲ ହେବାପରେ ବାବାଙ୍କୁ ସହାୟତାର ହାତ ବଢାଇଥିଲେ ଏକାଧିକ ଲୋକ । ଯେଉଁଥିରେ ବାବାଙ୍କୁ ମିଳିଥିଲା ଲକ୍ଷାଧିକ ଟଙ୍କା । ଯାହା ବାବାଙ୍କ ଦୁଃଖ ଦୂର କରିବା ପାଇଁ ଯଥେଷ୍ଟ ଥିଲା । ତେବେ ପୁଣିଥରେ ସେହିଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଭିଡ଼ିଓରେ ନଜର ଆସିଛି ୮୦ ବର୍ଷୀୟଙ୍କ କରୁଣ କାହାଣୀ ।

ଘଟଣା ବାଙ୍ଗାଲୁରୁର । ବୟସର ଅପରାହ୍ନରେ ଦି ଓଳିର ଆହାର ପାଇଁ ଚାଲିଛି ଅହରହ ସଂଘର୍ଷ । ଦୁଇ ପ୍ରାଣୀର ପେଟ ପୋଷିବା ପାଇଁ ଦି ପଇସା ରୋଜଗାର କରିବାର ଉଦ୍ୟମ ବୟସକୁ ମାତ୍‌ ଦେଇଛି । ସେଥିପାଇଁ ରାସ୍ତାକଡ଼ରେ ବିକ୍ରି କରୁଛନ୍ତି ନିଜ ହାତରେ ଲଗାଇଥିବା ଔଷଧୀୟ ଚାରା । ଯାହାର ମୂଲ୍ୟ ୩୦ ଟଙ୍କା । ଆଉ ଯଦି ଗ୍ରାହକ ମୁଲଚାଲ କରୁଛନ୍ତି ତେବେ ୧୦ ଟଙ୍କାରେ ବାଧ୍ୟ ହୋଇ ବିକ୍ରି କରୁଛନ୍ତି । ତାହା ପୁଣି ଦିନକୁ ମାତ୍ର ଦୁଇ ତିନି ଜଣ ଗ୍ରାହକ । ଏତେ କମ ଟଙ୍କାରେ ପରିବାର ଗୁଜୁରାଣ ହେବ କେଉଁଭଳି? ଏଭଳି ପରିସ୍ଥିତିରେ ଦେବଦୂତ ସାଜିଲେ ଅବଦୁଲ ଅଲିମ ନାମକ ଜଣେ ଯୁବକ । ସୋସିଆଲ ମିଡିଆରେ ବୟସ୍କ ବାବାଙ୍କ ଭିଡ଼ିଓ ଶେୟାର କରିବା ପରେ ତାହା ଭାଇରାଲ ହେବାରେ ଲାଗିଲା, ଯାହାପରେ ବିଭିନ୍ନ ସ୍ଥାନରୁ ତାଙ୍କୁ ଫୋନ କଲ ଆସିବାରେ ଲାଗିଲା । ଏବେ ଉକ୍ତ ବାବାଙ୍କ ଚାରା ଷ୍ଟଲରେ ଲାଗୁଛି ଏକାଧିକ ଗ୍ରାହକଙ୍କ ଭିଡ଼ ।
ତେବେ ଅଲିମଙ୍କ ଏଭଳି ପଦକ୍ଷେପକୁ ସୋସିଅଲ ମିଡିଆରେ ବେଶ୍‌ ପ୍ରଶଂସା କରାଯାଉଛି ।

Leave a Reply