ଗଜପତିରେ ପହଞ୍ଚିଲେ ଜଗପତି, ପାରମ୍ପରିକ ରୀତିରେ ପାଛୋଟି ନେଲେ ଗାଁ ଲୋକ

ଗଜପତି: ବାଜା ବାଜୁଛି, କିଏ ଗୋଡ଼ ଧୋଇ ଦେଉଛି ତ ଆଉ କିଏ ନମସ୍କାର କରି ଆଲିଙ୍ଗନ କରୁଛି । ୩୫ ବର୍ଷ ପରେ ଜଗପତିଙ୍କୁ ପାଇ ଆତ୍ମହରା ହୋଇ ପଡ଼ିଛି ପୂରା ପରିବାର । ସାରା ଗାଁ ଖୁସିରେ ହୋଇପଡ଼ିଛି ଭାବବିହ୍ୱଳ । ଅରୁଣାଚଳ ପ୍ରଦେଶରୁ ଜଗପତି ଓରଫ୍ ଦୟା ଭୂୟାଁ ଜନ୍ମ ମାଟିକୁ ଫେରିବା ପରେ ତାଙ୍କୁ ସେଠି ମିଳିଛି ଉତ୍ସସିତ ସମ୍ବର୍ଦ୍ଧନା । ପାରମ୍ପରିକ ରୀତିନୀତିରେ ତାଙ୍କୁ ପାଛୋଟି ନେଇଥିଲେ ସମସ୍ତେ ।

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରୁ ସୁଦୂର ଅରୁଣାଚଳ ପ୍ରଦେଶକୁ ଯାଇ ଦୀର୍ଘ ୩୫ ବର୍ଷ ଧରି ରହୁଥିଲେ ଜଗପତି । ଦେହ ଖରାପ ପରେ ଦୁଇ ବର୍ଷ ହେଲା ଜଙ୍ଗଲର ପଥର କୋରଡ଼ରେ ରହୁଥିଲେ ସେ । ରାଜ୍ୟ ସରକାର ତଥା ଓଡ଼ିଶା ମୋ ପରିବାରର ଉଦ୍ୟମରେ ଜନ୍ମ ମାଟିକୁ ଫେରିଛନ୍ତି । ଗାଁରେ ତାଙ୍କୁ ଲୋକେ ପାଛୋଟି ନେଇ ଯାଇଥିବା ବେଳେ ଗ୍ରାମବାସୀଙ୍କ ମୁହଁରେ ଥିଲା ଉଲ୍ଲସିତ ହସ । ସମୂହ ଭାବେ ହୁଳହୁଳି ବନ୍ଦାପନା କରି ସ୍ୱାଗତ କରିଥିଲେ ଦୟାଙ୍କୁ । ଦୀର୍ଘ ବର୍ଷ ପରେ ପରିବାରର ବୟୋଜ୍ୟେଷ୍ଠଙ୍କୁ ପାଇ ପାରମ୍ପରିକ ରୀତିରେ ପ୍ରଣାମ କରି ଘରକୁ ନେଇଥିଲେ ଭାଇ ଓ ପରିବାର ବର୍ଗ ।

ନିଜ ଆତ୍ମୀୟଙ୍କୁ ଦେଖି ଭାବ ବିହ୍ଵଳିତ ହୋଇ ଉଠିଥିଲେ ଦୟା । ଦୟାଙ୍କୁ ଫେରି ପାଇଥିବାରୁ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ଅପରପକ୍ଷରେ ଦୟା ଭୂୟାଁଙ୍କ ଥଇଥାନ ନିମନ୍ତେ ବୟସ ପ୍ରମାଣପତ୍ର, ଆଧାର କାର୍ଡ, ଭୋଟ ପରିଚୟ ପତ୍ର, ଶ୍ରମିକ କାର୍ଡ, ରାସନ୍ କାର୍ଡ, ଭତ୍ତା ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ନଥିପତ୍ର ପ୍ରସ୍ତୁତ କରିଛି ପ୍ରଶାସନ । ଏଥିସହ ମାସକ ପାଇଁ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଇଛି ।

Leave a Reply