ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେର ଏନ୍‌କାଉଣ୍ଟରକୁ ନେଇ ସନ୍ଦେହ ଘନିଭୂତ, ପୁରା ଘଟଣାକ୍ରମର ଭବିଷ୍ୟବାଣୀ କରିଥିଲେ ବରିଷ୍ଠ ଆପିଏସ୍‌

1 min read
IPS Officer Amitabh Thakur Tweets On Gangster Vikash Dubey Goes Viral

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମୋଷ୍ଟ ୱାଣ୍ଟେଡ୍ ବିକାଶ ଦୁବେର ଏନ୍‌କାଉଣ୍ଟର ହୋଇସାରିଛି । ସେ ଏବେ ଏହି ଦୁନିଆରେ ନାହିଁ । ହେଲେ ବିକାଶ ୮ ଜଣ ପୋଲିସ୍‌ଙ୍କୁ ହତ୍ୟା କରିବା ପରେ, ଫେରାର ହେବାଠାରୁ ଆରମ୍ଭ କରି ସରେଣ୍ଡର ହେବା ପର୍ଯ୍ୟନ୍ତ ଏବଂ ପରେ ଏନ୍‌କାଉଣ୍ଟର ପର୍ଯ୍ୟନ୍ତ, ସମ୍ପୂର୍ଣ୍ଣ ଘଟଣାକୁ ନେଇ ଏବେ ସନ୍ଦେହ ଉପୁଜିଛି ।

ଏହି ଘଟଣାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ହେଉଛି । ଏମିତିକି କେହି କେହି କହୁଛନ୍ତି ଏହା ପ୍ରି-ପ୍ଲାନ୍‌ ଏନ୍‌କାଉଣ୍ଟର । କେହି କେହି କହୁଛନ୍ତି ଫିଲ୍ମ ଷ୍ଟାଇଲ୍‌ରେ ଏନ୍‌କାଉଣ୍ଟର କରାଗଲା । ସୋସିଆଲ ମିଡିଆରେ ବିକାଶ ଦୁବେର ଏନ୍‌କାଉଣ୍ଟରକୁ ନେଇ ଅନେକ ଲୋକ ପ୍ରଶଂସା ମଧ୍ୟ କରିଛନ୍ତି । ବିକାଶ ଦୁବେକୁ ଏନ୍‌କାଉଣ୍ଟର କରି ଠିକ୍‌ କରିଛି ପୋଲିସ, ବୋଲି ଅନେକ ମତ ଦେଇଛନ୍ତି । ତେବେ ସାଧାରଣ ଲୋକ ଘଟଣାକୁ ନେଇ ଏଭଳି ସନ୍ଦେହ ଜନକ ମନ୍ତବ୍ୟ ଓ ବୟାନ୍‌ ଦେବା ସ୍ୱାଭାବିକ୍‌ । କାରଣ ଏଭଳି ସମାନ ସନ୍ଦେହ ଜଣେ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ କରିଛନ୍ତି ।

ବରିଷ୍ଠ ଆଇପିଏସ୍‌ ଅଫିସର୍‌ ଅମିତାଭ ଠାକୁର ବିକାଶ ଦୁବେର ଏନ୍‌କାଉଣ୍ଟରକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ସେ ପରୋକ୍ଷରେ ଏହି ଏନ୍‌କାଉଣ୍ଟରକୁ ନେଇ ସନ୍ଦେହ କରିଛନ୍ତି । ଏନ୍‌କାଉଣ୍ଟରର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଏହି ବରିଷ୍ଠ ଆଇପିଏସ୍‌ ଅଧିକାରୀ, ବିକାଶ ଦୁବେର ଏନ୍‌କାଉଣ୍ଟରକୁ ନେଇ ଯେଉଁଭଳି ଭବିଷ୍ୟବାଣୀ କରିଥିଲେ ଠିକ୍‌ ତା ପରଦିନ ସେହି ସମାନ ଘଟଣା ଘଟିଥିଲା ।

ସେ ନିଜ ଟ୍ୱିଟ୍‌ରରେ ଲେଖିଥିଲେ ଯେ, ‘ବିକାଶକୁ ପୋଲିସ ଗିରଫ କରିପାରିଲା ନାହିଁ । ସେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଲୁଚୁଥିଲା । ପରେ ସେ ବହୁତ ଦୂରକୁ ଚାଲିଯାଇଥିଲା । ଆଉ ସେଠାରେ ଯାଇ ଆତ୍ମ ସମର୍ପଣ କଲା । ଆସନ୍ତାକାଲି ସେ ପୋଲିସୁ ହେଫାଜତରୁ ଖାସି ପଳାଇବାକୁ ଚେଷ୍ଟା କରିବ । ଆଉ ମରିବ ।’

ସାଧାରଣ ଲୋକଙ୍କ କଥାକୁ ଗୁରୁତ୍ୱ ଦିଆଯାଇ ନପାରେ, କିନ୍ତୁ ଜଣେ ଆଇପିଏସ୍‌ ଅଧିକାରୀଙ୍କ କଥାକୁ ନିଶ୍ଚିତ ଗୁରୁତ୍ୱ ଦିଆଯାଇପାରେ । ଏନ୍‌କାଉଣ୍ଟରର ଗୋଟିଏ ଦିନ ପୂର୍ବରୁ ଏଭଳି କାହିଁକି ସନ୍ଦେହ କରିଥିଲେ ଆଇପିଏସ୍‌ ଅମିତାଭ । ସେ କ’ଣ ଜାଣିଥିଲେ ଏଭଳି କିଛି ଘଟଣା ଘଟିବ ଏବେ ବିକାଶ ଦୁବେର ଏନ୍‌କାଉଣ୍ଟର କରାଯିବ ? ତାହାଲେ ସତରେ କ’ଣ ଏହା ଉତ୍ତରପ୍ରଦେଶ ପୋଲିସର ପ୍ରି-ପ୍ଲାନ୍‌ ଏନ୍‌କାଉଣ୍ଟର । ଏଭଳି ବିଭିନ୍ନ ଦିଗକୁ ନଜର ପକାଇଲେ ନିଶ୍ଚିତ ଭାବେ ଏହି ଏନ୍‌କାଉଣ୍ଟରକୁ ନେଇ ପ୍ରଶ୍ନ ସୃଷ୍ଟି ହେଉଛି ।

ତେବେ ଏହି ଆଉ ଏକ ପ୍ରଶ୍ନ ଉଠୁଛି କାହିଁକି ବିକାଶ ଦୁବେ ଭଳି କୁଖ୍ୟାତ ଅପରାଧୀକୁ ଧରାଯିବା ପରେ ମଧ୍ୟ ଏନ୍‌କାଉଣ୍ଟର କରାଗଲା ? ଯଦି ଏନ୍‌କାଉଣ୍ଟର ନ ହୋଇଥାନ୍ତା ତେବେ ତା ପଛରେ ଥିବା କେଉଁ ବଡ଼ ବଡ଼ ହସ୍ତିଙ୍କ ନାଁ ସାମ୍ନାକୁ ଆସିଥାନ୍ତା ? ତା’ ପଛରେ କେବଳ ବଡ଼ ବଡ଼ ନେତାଙ୍କ ହାତ ଥିଲା ନାଁ, କିଛି ବଡ଼ ବଡ଼ିଆ ପୋଲିସ ବାବୁ ମଧ୍ୟ ତା’ସହ ଯୋଗାଯୋଗରେ ଥିଲେ ?

ତେବେ ଏଦିଗରେ ମଧ୍ୟ ଆଇପିଏସ୍‌ ଅମିତାଭ ନିଜ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି କିଛି ଦିନ ପୂର୍ବରୁ ବିକାଶ ଦୂବେ ସହ ଅନେକ ବଡ଼ ବଡ଼ ଅଫିସର ଓ ନେତାଙ୍କ ନାଁ ଯୋଡ଼ି ହୋଇଥିଲା । ଆଉ ଏବେ ବିକାଶ ଧରାପଡ଼ିବା ପରେ ଯଦି ତାକୁ ଜେରା କରାଯାଇଥାନ୍ତା ତେବେ ସେମାନଙ୍କ ନାଁ ବୋଧ ହୁଏ ସାମ୍ନାକୁ ଆସିଥାନ୍ତା । ତେଣୁ ତାକୁ ଏନ୍‌କାଉଣ୍ଟର କରାଯାଇଛି ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି ଆଇପିଏସ୍‌ ଅମିତାଭ । ସେ ଆହୁରି ମଧ୍ୟ କହିଛନ୍ତି ଏହି ଏନ୍‌କାଉଣ୍ଟରର ଏକ ନିରପେକ୍ଷ ତଦନ୍ତ ହେବା ଉଚିତ୍‌ ।

Leave a Reply