ଖୋକା ଭାଇଙ୍କ ସ୍ୱରର ଯାଦୁରେ ଏବେବି ମତୁଆଲା ସଂଗୀତପ୍ରେମୀ

କଟକ: ଆଜି ଓଲିଉଡ ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ । ଦୀର୍ଘ ୧୮ ବର୍ଷ ହେଲାଣି ସେ ସ୍ୱର୍ଗାବାସ କରିଥିଲେ ସୁଦ୍ଧା ତାଙ୍କୁ ଆଜି ଯାଏଁ ଝୁରୁଛନ୍ତି ସଂଗୀତପ୍ରେମୀ । ତାଙ୍କର ଗୀତର ଯାଦୁ ଏବେବି ଲୋକଙ୍କୁ ମତୁଆଲା କରେ । ପ୍ରତିଟି ମୁହୂର୍ତ୍ତର ସ୍ମୃତିକୁ ସେ ତାଙ୍କ ସଂଗୀତର ଯାଦୁରେ ବାନ୍ଧି ରଖି ଜିଣିଥିଲେ ସଂଗୀତପ୍ରେମୀଙ୍କ ମନ ।

୧୮ ବର୍ଷ ହେଲାଣି ଆମ ଗହଣରେ ନଥିଲେ ବି ଅକ୍ଷୟ ମହାନ୍ତିଙ୍କ ସଂଗୀତ ଆଜି ବି ସ୍ମୃତିରେ ଉଜାଗର ରହିଛନ୍ତି । ଆଜି ସେହି ପ୍ରିୟ ସଂଗୀତ ନିର୍ଦ୍ଦେଶକ, ଗୀତିକାର ଖୋକା ଭାଇଙ୍କ ଜନ୍ମଦିନ । ସେ ଓଡ଼ିଆ କଥାଚିତ୍ର ହେଉ କି ପଲ୍ଲୀଗୀତ ବା ଭଜନ, ତାଙ୍କର କଣ୍ଠରେ ପ୍ରତ୍ୟେକଟି ଗୀତ ଥିଲା ବେଶ ହୃଦୟସ୍ପର୍ଷୀ । ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ଥିଲେ ଅକ୍ଷୟ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ସଙ୍ଗୀତ ସଂଯୋଜନା କରି ଆଜି ବି ଓଡିଆଙ୍କ ହୃଦୟରେ ରାଜ୍ କରୁଛନ୍ତି ।

ଆଧୁନିକ ଯନ୍ତ୍ର ନଥିଲେ ବି ଓଡ଼ିଆ ସଙ୍ଗୀତରେ ତାଙ୍କ ପରଖ ଓ ନୂଆ ନୂଆ ଶବ୍ଦର ଭେଳିକି, ସଂଗୀତ ପ୍ରେମୀଙ୍କ ଆକର୍ଷିତ କରିଥିଲା । ୭୫ଟି ଓଡ଼ିଆ କଥାଚିତ୍ରରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ୯୨ଟି କଥାଚିତ୍ରରେ ରହିଛି ତାଙ୍କ ସ୍ୱରର ଯାଦୁ । ଖାଲି ସେତିକି ନୁହେଁ ତାଙ୍କ କଲମରୁ ଜନ୍ମ ନେଇଛି ପ୍ରାୟ ୧୮ଟିରୁ ଉର୍ଦ୍ଧ ପୁସ୍ତକ । ଆଜି ସେ ନାହାନ୍ତି ସତ ହେଲେ ତାଙ୍କ ସ୍ମୃତି ଚିରଦିନ ପାଇଁ ଲୋକଙ୍କ ହୃଦୟରେ ତାଜା ହୋଇ ରହିଛି ।

Leave a Reply