ଡେରାସ୍‌ରେ ଖୁବ୍‌ଶୀଘ୍ର ବୋଟିଂ ବ୍ୟବସ୍ଥା, ଜଙ୍ଗଲୀ କଟେଜ୍‌ ସହ ଜଙ୍ଗଲ ସଫାରୀ ସୁବିଧା

ଭୁବନେଶ୍ୱର: ଶୀତ ଆସିଲେ ଲୋକେ ବୁଲିବାକୁ ପସନ୍ଦ କରିଥାନ୍ତି । ବିଭିନ୍ନ ପର୍ଯ୍ୟଟନ ସ୍ଥଳିକୁ ଛୁଟିଥାଏ ପର୍ଯ୍ୟଟକଙ୍କ ସୁଅ । ହେଲେ ଏଥର କୋଭିଡ୍‌ କଟକଣା ଯୋଗୁଁ ପର୍ଯ୍ୟଟନସ୍ଥଳି ଗୁଡ଼କ କିଛି ମାତ୍ରାରେ ଫିକା ପଡ଼ିଯାଇଛି । ପର୍ଯ୍ୟଟକଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‌ ରହିଛି । ଦୂରଦୂରାନ୍ତରେ ଥିବା ପର୍ଯ୍ୟଟନସ୍ଥଳିକୁ ନଯାଇ ଆଖପାଖରେ ଥିବା ଅଞ୍ଚଳରେ ବୁଲିବା ପାଇଁ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି ।

ଖାସ୍‌ ଏଥିପାଇଁ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଡମପଡ଼ାରେ ଥିବା ଡେରାସ୍‌ ଡ୍ୟାମ୍‌ ପ୍ରତି ପ୍ରଶାସନର ନଜର ପଡ଼ିଛି । ଡେରାସ୍‌ ଡ୍ୟାମ୍‌କୁ ବୁଲିବାକୁ ଭୁବନେଶ୍ୱରବାସୀ ଆଗ୍ରହ ପ୍ରକାଶ କରୁଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଚେଷ୍ଟା କରାଯାଇଛି ।‌ ଭୁବନେଶ୍ୱରବାସୀଙ୍କ ପାଇଁ ମାତ୍ର ୨୦ କିଲୋମିଟର ଦୂରରେ ଏହି ଡ୍ୟାମ । ତେଣୁ ଆଗକୁ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶା ରହିଛି । ଆଉ ଏହି ପର୍ଯ୍ୟଟକଙ୍କୁ ପ୍ରଶାସନ ପକ୍ଷରୁ ଏବେ ବୋଟିଂ ବ୍ୟବସ୍ଥା କରାଯାଉଛି । ଆସନ୍ତା ଡିସେମ୍ବରରୁ ଏଠାରେ ଆରମ୍ଭ ବୋଟିଂ ଆରମ୍ଭ ହେବ ।

ଡମପଡା ଅଭୟାରଣ୍ୟ ମଧ୍ୟରେ ରହିଛି ଡେରାସ ଡ୍ୟାମ୍ । ଗଭୀର ଜଳଭଣ୍ଡାର ଚାରିପଟେ ଜଙ୍ଗଲ ଭରା ପାହାଡ ସହ ପ୍ରାକୃତିକ ମନୋରମ ଦୃଶ୍ୟ ।  ଖାଲି ସେତିକି ନୁହେଁ ଚନ୍ଦକା ଜଙ୍ଗଲର ପ୍ରାକୃତିକ ପରିବେଶ ସହ ବାଉଁଶ ଘର, କାଠ ଘର, ଜଙ୍ଗଲୀ କଟେଜ ଓ ଜଙ୍ଗଲ ସଫାରୀ ସହ ରାତ୍ରିଯାପନର ସୁବିଧା ମଧ୍ୟ ରହିଛି । ସେପଟେ ବୋଟିଂ ବ୍ୟବସ୍ଥା ହେଲେ ପର୍ଯ୍ୟଟକମାନେ ବୋଟିଂ କରି ପ୍ରାକୃତିକ ମନୋରମ ଦୃଶ୍ୟ ଉପଭୋଗ କରିବାର ସୁଯୋଗ ପାଇବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ୧୦ ସିଟ୍ ବିଶିଷ୍ଟ ବୋଟରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଯୋଜନା ରହିଛି ।

Leave a Reply