୧ କେଜି ଆଲୁର ଦାମ ଲକ୍ଷେ ଟଙ୍କା, ଚା’ କଫି ପିଇବାକୁ ହେଲେ ବ୍ୟାଗରେ ନେବାକୁ ପଡ଼ିବ ପୁଳା ପୁଳା ଟଙ୍କା

ବେନେଜୁଏଲା: ଦିନଥିଲା ଭେନେଜୁଏଲାକୁ ଏକ ଧନୀ ରାଷ୍ଟ୍ର କୁହାଯାଉଥିଲା କିନ୍ତୁ ଆଜି ଏହି ଦେଶର କରେନିଂ କବାଡ଼ି ସହ ସମାନ ହୋଇଯାଇଛି । ମହଙ୍ଗାଇର ଦର ଏଭଳି ହୋଇଛି ଯେ ଲୋକ ଚା’ ବା କଫି ପିଇବା ପାଇଁ ବ୍ୟାଗରେ ପୁଳା ପୁଳା ଟଙ୍କା ଧରି ଘରୁ ବାହାରୁଛନ୍ତି । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଭେନେଜୁଏଲା ସରକାର ପୁଣି ଥରେ ଏକ ବଡ଼ ସଂଖ୍ୟାର ନୋଟ ଜାରି କରିବାକୁ ଯାଉଛନ୍ତି । ବ୍ଲିମବର୍ଗର ରିପୋର୍ଟ ମୁତାବକ, କ୍ୟାସର ଅଭାବ ଯୋଗୁଁ ଭେନେଜୁଏଲା ବ୍ୟାଙ୍କ ନୋଟ ପେପର ମଧ୍ୟ ବାହାରୁ ଆମଦାନୀ କରାଉଛି ।

ଏଯାବତ ଭେନେଜୁଏଲା ଏକ ଇଟାଲିୟମ କମ୍ପାନୀଠାରୁ ୧୭ ଟନ ସିକ୍ୟୁରିଟୀ ପେପର କିଣି ସାରିଛି । ବେନେଜୁଏଲାର କେନ୍ଦ୍ରୀୟ ବ୍ୟାଙ୍କ ଏବେ ୧ ଲକ୍ଷ ବୋଲିଭରର ନୋଟ ଜାରି କରିବାକୁ ଯାଉଛି । ଏହା ବର୍ତ୍ତମାନ ସୁଦ୍ଧା ଜାରି ହୋଇଥିବା ସବୁଠାରୁ ବଡ଼ ମୂଲ୍ୟର ଟଙ୍କା ହେବ । ଅବଶ୍ୟ ୧ ଲକ୍ଷ ବୋଲିଭର ନୋଟର ମୂଲ୍ୟ ମାତ୍ର ୦.୨୩ ଡଲାର ହିଁ ରହିବ ।

ଭେନେଜୁଏଲାରେ ପୂର୍ବ ବର୍ଷ ମହଙ୍ଗାଇ ଦର ଅନୁମାନ ମୁତାବକ ୨୪୦୦ ପ୍ରତିଶତ ଥିଲା । ଏହାପୂର୍ବରୁ ଭେନେଜୁଏଲା ସରକାର ୫୦,୦୦୦ ବୋଲିଭରର ନୋଟ ଛାପି ସାରିଛନ୍ତି । ଏବେ ବେନେଜୁଏଲା ଏହାଠାରୁ ବି ବଡ଼ ନୋଟ ପ୍ରସ୍ତୁତ କରିବାକୁ ଯାଉଛି ।

ଭେନେଜୁଏଲାର ଅର୍ଥବ୍ୟବସ୍ଥା ଲଗାତାର ସାତ ବର୍ଷ ହେବ କ୍ଷତିର ସାମ୍ନା କରୁଛି । ଚଳିତ ବର୍ଷ କରୋନା ମହାମାରୀ ଏବଂ ତେଲ ଦ୍ୱାରା ମିଳୁଥିବା ରାଜସ୍ୱରେ ହ୍ରାସ ପାଇଁ ଭେନେଜୁଏଲାର ଅର୍ଥବ୍ୟବସ୍ଥା ୨୦ ପ୍ରତିଶତ ହ୍ରାସ ପାଇଛି । କରେନ୍ସିକୁ ସ୍ଥିର ରଖିବା ପାଇଁ ସରକାର ନିଜ ନୋଟରୁ ଶୂନର ସଂଖ୍ୟା କମ୍ କରିଦେଇଥିଲା କିନ୍ତୁ ସବୁ କୌଶଳ ପରେ ମଧ୍ୟ ଏହା ଲାଭ ଦାୟକ ହୋଇପାରିଲା ନାହିଁ ।

ଭେନେଜୁଏଲର ସମସ୍ତ ଲୋକ ବର୍ତ୍ତମାନ ଆମେରିକୀୟ ଡଲାରରେ ଦେୟ କରୁଛନ୍ତି । ୨୦୧୭ ମସିହାରୁ ଭେନେଜୁଏଲାରେ ମହଙ୍ଗାଇ ଦେଖାଦେଇଛି । ଅଧିକାଂଶ ଲୋକ ଜରୁରୀ ସାମଗ୍ରୀ ମଧ୍ୟ କିଣିବାକୁ ସକ୍ଷମ ହୋଇପାରୁନାହାନ୍ତି ।

୪ ଅଙ୍କ ବିଶିଷ୍ଟ ମୁଦ୍ରାସ୍ଫୀତି କାରଣରୁ ବେନେଜୁଏଲାର ମୁଦ୍ରାର ଏବେ କୌଣସି ମୂଲ୍ୟ ନାହିଁ । ଗ୍ରାହକମାନେ ପ୍ଲାଷ୍ଟିକ୍ କିମ୍ବା ଇଲେକ୍ଟ୍ରୋନିକ୍ ଟ୍ରାନ୍ସଫର କରିବାକୁ ବାଧ୍ୟ ହେଉଛନ୍ତି କିମ୍ବା ଡଲାର ଆଡକୁ ଯାଉଛନ୍ତି । କିନ୍ତୁ ବସ୍ ସମେତ ଅନେକ ସୁବିଧା ପାଇଁ ବୋଲିଭରରେ ଦେୟ ଆବଶ୍ୟକ ।

ଭେନେଜୁଏଲାରେ ମହଙ୍ଗାଇ ମାଡ଼ ଏମିତି ହୋଇଛି ଯେ, ୧ କେଜି ମାଂସ ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡ଼ୁଛି । ଦାରିଦ୍ରତା ଏବଂ ଭୋକରୁ ବଞ୍ଚିବା ପାଇଁ ପ୍ରାୟ ୩୯ ଲକ୍ଷ ଲୋକ ଭେନେଜୁଆଲା ଛାଡ଼ି ବ୍ରାଜିଲ, ଚିଲୀ, କଲୋମ୍ବିଆ, ଏକ୍ୱାଜୋର ଏବଂ ପୋରୁ ଭଳି ଦେଶକୁ ଯାଇ ବସବାସ କରୁଛନ୍ତି । ଭେନେଜୁଏଲାର ବାସିନ୍ଦାଙ୍କ କହିବା ଅନୁଯାୟୀ, ଏଠାରେ ଆପଣ ଯଦି ଏକ ମାସ କାମ କରିବେ ତେବେ ମାତ୍ର ୨ ଦିନର ଖାଇବା ଖାଇପାରିବେ ।

୨୦୧୪ରେ ଅନ୍ତଃରାଷ୍ଟ୍ରୀୟ ବଜାରରେ ତେଲର ଦାମ ହ୍ରାସ ପାଇବା ପରେ ଭେନେଜୁଏଲା ସମେତ ଅନେକ ଦେଶ ପ୍ରଭାବିତ ହୋଇଥିଲା । ଭେନେଜୁଏଲର ମୋଟ ରପ୍ତାନୀର ୯୬ ପ୍ରତିଶତ କେବଳ ତେଲ ଅଟେ । ଚାରି ବର୍ଷ ପୂର୍ବେ ତେଲର ମୂଲ୍ୟ ଗତ ୩୦ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା। ଆର୍ଥିକ ସଙ୍କଟ ଯୋଗୁଁ ସରକାର ନୋଟ୍ ଛାପିବାରେ ଲାଗିଲେ, ଯାହା ହାଇପର ମୁଦ୍ରାସ୍ଫୀତିର ପରିସ୍ଥିତି ସୃଷ୍ଟି କରିଥିଲା ​​ଏବଂ ମୁଦ୍ରା ବୋଲିଭରର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇଲା।

ବେନେଜୁଏଲାର ରାଷ୍ଟ୍ରପତି ମଦୁରୋ ନିଜ ଦେଶର ଆର୍ଥିକ ମାନ୍ଦାବସ୍ଥା ପାଇଁ ଓପେକ ( ତେଲ ଉତ୍ପାଦକ ଦେଶର ସମୂହ) ଦେଶଗୁଡ଼ିକର ପ୍ରତିବନ୍ଧକକୁ ଆଙ୍ଗୁଠି ଉଠାଇଛନ୍ତି । ବେନେଜୁଏଲାର ରାଷ୍ଟ୍ରପତି ମଦୁରୋଙ୍କୁ ପଦରୁ ବାହାର କରିବା ପାଇଁ ଆମେରିକା ଆର୍ଥିକ ପ୍ରତିବନ୍ଧକ ମାଧ୍ୟମରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରିଆସୁଛି । ତେବେ ମଦୁରୋଙ୍କ ସମାଲୋଚକମାନେ କହିଛନ୍ତି ଯେ ଦୁଇ ଦଶନ୍ଧି ଧରି ମଦୁରୋଙ୍କ ଶାସନ କାଳରେ ବିଶୃଙ୍ଖଳା ଏବଂ ଦୁର୍ନୀତି ବ୍ୟାପିଥିବାରୁ ଦେଶରେ ଏଭଳି ପରିସ୍ଥିତି ଘଟିଛି।

Leave a Reply