ଦଲାଲ ମୁକ୍ତ ହେବ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଡିଲର ପଏଣ୍ଟରେ ହିଁ ହେବ ଗାଡ଼ି ରେଜିଷ୍ଟ୍ରେସନ୍

ଭୁବନେଶ୍ୱର: ପରିବହନ ବିଭାଗର ବଡ଼ ନିଷ୍ପତ୍ତି । ଲାଇସେନ୍ସ ହେଉ କି ରେଜିଷ୍ଟ୍ରେସନ୍, ସବୁ କିଛି ଅନ୍ଲାଇନରେ ହେବ । ଏଣିକି ଆଉ ଲୋକଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡିବନି । ଦିର୍ଘ ସମୟ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡ଼ିବନି । ପରିବହନ ବିଭାଗର ସମସ୍ତ ସେବା ଅଫ୍ ଲାଇନ୍ ପରିବର୍ତ୍ତେ ଅନ୍ ଲାଇନରେ ଉପଲବ୍ଧ ହେବ ।

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି । ଗାଡ଼ି କିଣିଲେ ଆରଟିଓ ପରିବର୍ତ୍ତେ ଡିଲର ପଏଣ୍ଟରେ ହିଁ ରେଜିଷ୍ଟ୍ରେସନ୍ ହେବ । ଦୁଇ ଚକିଆ ହେଉ କି ଚାରି ଚକିଆ । ଯେ କୌଣସି ଗାଡି କିଣିଲେ, ରେଜିଷ୍ଟ୍ରେସନ୍ ଭଳି କାର୍ଯ୍ୟ ବି ଡିଲର ପଏଣ୍ଟରେ ହୋଇପାରିବ । ଏଥିପାଇଁ ସମସ୍ତ ଗାଡ଼ି ଡିଲରଙ୍କୁ ସ୍ୱତନ୍ତ୍ର ତାଲିମ୍ ମଧ୍ୟ ପ୍ରଦାନ କରାଯାଇଛି ।

ଅନଲାଇନ ସେବା ପରେ ଖାଁ ଖାଁ ଲାଗୁଛି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ । ପୂର୍ବଭଳି ଆଉ ଗହଳି ଚହଳି ଦେଖିବାକୁ ମିଳୁନି । ତେବେ ଏହାକୁ ନେଇ ମିଶ୍ର ପ୍ରତିକ୍ରୀୟା ଦେଖିବାକୁ ମିଳିଛି । ଅନ୍ ଲାଇନ୍ ଦ୍ୱାରା ଲୋକଙ୍କୁ ସୁବିଧାରେ ତଥା କମ୍ ସମୟରେ ସେବା ଉପଲବ୍ଧ ହେଉଥିବା ବେଳେ ଉଭୟ ଅନ୍ ଲାଇନ୍ ସହିତ ଅଫ୍ ଲାଇନ୍ ସେବା ଜାରି ରହିବା ନେଇ ଅନେକେ ମତ ଦେଇଛନ୍ତି ।

ତେବେ ଏବେ ନୂଆ ଗାଡ଼ି ରେଜିଷ୍ଟ୍ରେସନ୍ ଅନ୍ ଲାଇନରେ ହେଉଥିବା ବେଳେ ଆଗକୁ ପୁରୁଣା ଗାଡ଼ି କିଣାବିକାକୁ ମଧ୍ୟ ଅନ୍ ଲାଇନ୍ ସେବାରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ପରିବହନ ବିଭାଗ ।

Leave a Reply