୫୦ ତଳେ ପରିବା ନାହିଁ, କେବଳ ଆଳୁ ୩୫

ଭୁବନେଶ୍ୱର : ରାଜଧାନୀରେ ପରିବାର ଦର ବଢିଛି । ୫୦ ଟଙ୍କା ତଳେ ପରିବା ନାହିଁ । ଯୋଉ ପରିବାରେ ହାତ ମାର ଦର ଅତିକମରେ ୫୦ । ଲଗାଣ ବର୍ଷା ଯୋଗୁଁ ଏଭଳି ହୋଇଛି । ପରିବା ଚାଷୀଙ୍କଠୁ ଆସି ଗୋଦାମରେ ପହଞ୍ଚିବା ସମ୍ଭବ ହେଉନି । ଫଳରେ ଗୋଦାମରେ ଅଭାବ ଦେଖା ଦେଲାଣି । ବଜାରରେ ଅଭାବ ଦେଖାଯିବା ହେତୁ ଦର ବଢିବା ସ୍ୱାଭାବିକ ବୋଲି ବ୍ୟବସାୟୀମାନେ କହିଛନ୍ତି । ୧ ଓ ୪ ନମ୍ୱର ମାର୍କେଟ ରାଜଧାନୀର ସବୁଠୁ ବଡ଼ ମାର୍କେଟ  । ମୋଟା ଆକାରରେ ପରିବା ଏଇଠୁ ମିଳେ । ସେହିଭଳି ଅଧିକାଂଶ ଘରୋଇ ଲୋକେ ଏଇ ଦୁଇ ମାର୍କେଟରୁ କିଣାକିଣି କରନ୍ତି ।

ଏବେ ପରିବାର ଦର ଏହି ମାର୍କେଟରେ ଆକାଶଛୁଆଁ ହେବା ପରେ ଛୋଟ ବଜାରର ସ୍ଥିତି ନକହିବା ଭଲ ବୋଲି ଗ୍ରାହକମାନେ କହିଛନ୍ତି । ଟମାଟୋ ୫୦ ଉପରେ, ବିନ୍ସ୍ ୫୦ ଓ ଏପରିକି ଆଳୁ ୩୫ରେ ପହଞ୍ଚିଲାଣି । ପିଆଜି ଏବେ ସୁଦ୍ଧା ବଢିନଥିଲେ ମଧ୍ୟ ଖୁବ୍ ଶୀଘ୍ର ବଢିଯାଇ ପାରେ ବୋଲି ବ୍ୟବସାୟୀ ସଂଘ ଆଶଙ୍କା କରି ସାରିଲେଣି । ବର୍ଷା ଲାଗି ରହିଲେ ଦର କୁଆଡ଼େ  ଯିବ ତା’ ଥଳକୁଳ କେହି ପାଇବେନି । ଏକ ନମ୍ୱର ପରିବା ମାର୍କେଟ ସଭାପତି କବିରାଜ ସ୍ୱାଇଁଙ୍କ କହିବା କଥା ଯେ ମାର୍ଚ୍ଚ ୨୪ ପରଠୁ ପରିବା ପରିବହନ କମିଛି । ଯେତେ ମାତ୍ରାରେ ଆସୁଥିଲା ସେତେ ମାତ୍ରାରେ ଆସିବା ସମ୍ଭବ ହେଉନି ବୋଲି ପରିବା ଦର ଉପର ମୁହାଁ ହୋଇଛି ।

ସେହିଭଳି ଚାଷୀ ପରିବାର ବିକିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରିବହନ ସୁବିଧା ନଥିବା ହେତୁ ପରିବା ଅଯଥା ନଷ୍ଟ ହେଉଛି । ଅନ୍ୟପକ୍ଷରେ କିଛି ଜିଲ୍ଲାର ବନ୍ୟାସ୍ଥିତି ମଧ୍ୟ ଚାଷକୁ ନଷ୍ଟ କରିଛି । ଫଳରେ ବର୍ଷା କମିବା ପରେ ମଧ୍ୟ କିଛି ଦିନ ପାଇଁ ପରିବାର ଦରକୁ ନେଇ ସମସ୍ୟା ରହିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

Leave a Reply