କନ୍ଧମାଳ: ଦିବ୍ୟାଙ୍ଗ ପ୍ରତିଭା ‘ସୁନେଲି’ଙ୍କୁ ସହାୟତା ପାଇଁ ଜିଲାପାଳଙ୍କୁ ଟୁଇଟ୍ କରି ଅନୁରୋଧ କଲେ ବର୍ଷା ପ୍ରିୟଦର୍ଶିନୀ

1 min read

ଭୁବନେଶ୍ୱର:କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକର ବାଡ଼ାବାଙ୍ଗା କଲୋନୀର ସୁନା ଝିଅ ସୁନେଲି । ବୟସ ମାତ୍ର ଏଗାର ବର୍ଷ । ପିଲାଟି ଦିନରୁ ଦିବ୍ୟାଙ୍ଗ, ହେଲେ ଏହା ତା ମନୋବଳ ଭାଙ୍ଗି ଦେଇନି । କଳାକୁ ଯେମିତି ଜନ୍ମରୁ ନିଜ ସାଙ୍ଗରେ ନେଇ ଆସିଛି, ସେହି ଭଳି ପ୍ରତିଭାର ଅଧିକାରିଣୀ ସୁନେଲି । ନୃତ୍ୟ ପାଇଁ ଦୁର୍ବଳତା । ଘରେ ହେଉ କି ସାଇ ପଡିଶାରେ ଗୀତ ତା କାନରେ ବାଜିଲେ, ଥୟ ଧରନ୍ତିନି ସୁନେଲି  । ସଂଗୀତ ତାଳେ ତାଳେ ନାଚି ଉଠନ୍ତି ସେ । ଭିନ୍ନ ଭିନ୍ନ ଅଙ୍ଗଭଙ୍ଗୀରେ । ସବୁବେଳେ ତାଙ୍କ ମୁହଁରେ ଶୋଭାପାଉଥାଏ କେରାଏ ମିଠା ହସ ।

ଏହି ଅନନ୍ୟ ପ୍ରତିଭାଙ୍କ ସମ୍ପର୍କରେ ସୋସିଆଲ ମିଡିଆରୁ ଜାଣିବାକୁ ପାଇଥିଲେ ଓଲିଉଡ ନାୟିକା ବର୍ଷା ପ୍ରିୟଦର୍ଶିନୀ । ସୁନେଲିଙ୍କ ନାଚ ଶିଖିବାର ଆଗ୍ରହ, ପାଠ ପଢିବାର ଇଚ୍ଛା, ଅଭିନୟ ଯାଦୁ ଦେଖାଇବାର ଉତ୍ସାହ ବର୍ଷାକୁ ମୁଗ୍ଧ କରିଥିଲା । ତେଣୁ ସୁନେଲିର ସୁନେଲି ଭବିଷ୍ୟତକୁ ଆହୁରି ସୁନିଶ୍ଚିତ କରିବା ପାଇଁ କନ୍ଧମାଳ ଜିଲାପାଳ ଡକ୍ଟର ବୃନ୍ଦା ଦେବରାଜନଙ୍କୁ ଅନୁରୋଧ କରିଛନ୍ତି । ବର୍ଷା ନିଜ ଟୁଇଟ୍ ର ହ୍ୟାଣ୍ଡେଲରୁ ଟୁଇଟ୍ କରି ଶୁକ୍ରବାର ଜିଲାପାଳଙ୍କୁ ଅନୁରୋଧ କରିଥିବା ଜଣାପଡିଛି । ସୁନେଲିଙ୍କ ବାପାଙ୍କ ନାଁ  ସୁକ୍ରୁ ଦିଗାଲ । ମା ଟୁନି ଦିଗାଲ । ସୁନେଲି ଅନ୍ୟ ଦୁଇ ଭଉଣୀ ଅଞ୍ଜଳି ଓ ରାହେଲ ।

ସାହି ପଡିଶାରେ ସୁନେଲି କୁନି ସେଲିବ୍ରେଟି । ତା ବୟସ ପିଲାମାନଙ୍କ ମଧ୍ୟରେ ସେ ତାରକା। ପିଲାଟିର ଇଚ୍ଛା ଅଛି, ତେଣୁ ତାକୁ ନିଶ୍ଚୟ ଭଲ ସୁଯୋଗ ମିଳିବ ବୋଲି ବନ୍ଧୁ, ପରିଜନ ଆଶାବାଦୀ ଅଛନ୍ତି ।

 

 

Leave a Reply