ଆର୍ଜେଣ୍ଟିନାର ନିଷ୍ପତି; ଧନୀ ଲୋକଙ୍କ ଟିକସରେ ଟିକା ନେବେ ଗରିବୀ

ଆର୍ଜେଣ୍ଟିନା: କୋଭିଡରେ ଭୁଶୁଡ଼ିପଡିଛି ଅର୍ଥବ୍ୟବସ୍ଥା । ସମଗ୍ର ଅର୍ଥନୈତିକ ମେରୁଦଣ୍ଡରେ ଦେଖାଦେଇଛି ଜଖମ୍ । ମହାମାରୀର ଭୟାବହତା ଠାରୁ ବଳିଯାଇଛି ଭୋକ । ଏହା ଠାରୁ ଆହୁରି ବଳିପଡିଛି ବେରୋଜଗାରୀ । ତେଣୁ ଏପରି ସ୍ଥିତିରେ ଗରିବୀ ଲୋକେ କିପରି ନେବେ ଭ୍ୟାକ୍ସିନ ? କେଉଁଠୁ ଆଣିବେ ଅର୍ଥ ? ଲ୍ୟାଟିନ ଆମେରିକାର ଏକ ଦେଶ ଆର୍ଜେଣ୍ଟିନା ଏହି ସଙ୍ଗୀନ ସ୍ଥିତିକୁ ଆଡେଇବା ପାଇଁ ଗରିବ ଲୋକଙ୍କ ପାଇଁ ପ୍ରଣୟନ କରିଛି ନୂଆ ବ୍ୟବସ୍ଥା । ଦେଶରେ ରହିଥିବା ଧନୀ ଲୋକଙ୍କ ଟିକସ ଅର୍ଥରେ ଗରିବୀ ପରିବାର ନେବେ ଭ୍ୟାକ୍ସିନ ।

ପାରିତ ହୋଇଥିବା ଆଇନ ମୁତାବକ ୨୫ ଳକ୍ଷ ଡଲାରରୁ ଅଧିକ ସମ୍ପତ୍ତି ଥିବା ବ୍ୟକ୍ତି ମାନଙ୍କୁ ଏହି ସ୍ୱତନ୍ତ୍ର ଟିକସ ଦେବାକୁ ହେବ । ଦେଶରେ ୧୨ ହଜାରରୁ ଅଧିକ ଧନୀକଶୀଳ ବ୍ୟକ୍ତିଙ୍କୁ ଚିହ୍ନଟ କରିଛନ୍ତି ସରକାର । ଦେଶରେ ଥିବା ଏହି ନାଗରିକମାନେ ୩.୫ ପ୍ରତିଶତ ଟିକସ ଦେବାକୁ ନିର୍ଣ୍ଣୟ ହୋଇଥିବାବେଳେ ବିଦେଶରେ ରହୁଥିବା ବ୍ୟକ୍ତି ୫.୨୫ ପ୍ରତିଶତ ଟିକସ ଦେବାକୁ ବ୍ୟବସ୍ଥାରେ ନୂତନ ଆଇନ ଆଣିଛନ୍ତି ଆର୍ଜେଣ୍ଟିନା ସରକାର ।

ଆସିଥିବା ନୂତନ ଆଇନ ଦ୍ୱାରା ଦେଶର ୦.୮ ପ୍ରତିଶତ ଟିକସଦାତା ପ୍ରଭାବିତ ହେବେ । ସେପଟେ ଧନୀକ ବ୍ୟକ୍ତିଙ୍କ ଠାରୁ ଆଦାୟ ହେବାକୁ ଥିବା ଅର୍ଥରୁ ୨୦ ପ୍ରତିଶତ ମେଡିକାଲ ସପ୍ଲାଏରେ ଖର୍ଚ୍ଚ ହେବାକୁ ନିଷ୍ପତି ହୋଇଛି । ସେହିପରି ୨୦ ପ୍ରତିଶତ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ବିକାଶ ପାଇଁ ଖର୍ଚ୍ଚ କରାଯିବାକୁ ଥିବାବେଳେ ୨୦ ପ୍ରତିଶତ ଶିକ୍ଷାର୍ଥୀଙ୍କ ପାଠପଢା ପାଇଁ ଖର୍ଚ୍ଚ କରାଯିବ । ଆବଶିଷ୍ଟ ଅର୍ଥରୁ ୧୫ ପ୍ରତିଶତ ସାମାଜିକ ବିକାଶ କାର୍ଯ୍ୟ ଏବଂ ୨୫ ପ୍ରତିଶତ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ବିନିଯୋଗ କରାଯିବାକୁ ନିଷ୍ପତି ନେଇଛି ଲାଟିନ୍ ଆମେରିକାର ଏହି ଦେଶ । ଆର୍ଜେଣ୍ଟିନାର ଏହି ନିଷ୍ପତିକୁ ସାରା ବିଶ୍ୱରୁ ମିଳୁଛି ଭୁରି ଭୁରି ପ୍ରଶଂସା ।

Leave a Reply