କରୋନା କାଳରେ ସାହା ହେବକି କେନ୍ଦ୍ରର ବଜେଟ: ଶିକ୍ଷା, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ର ପାଇଁ ବଡ଼ ଘୋଷଣା ସମ୍ଭାବନା

ନୂଆଦିଲ୍ଲୀ : କ’ଣ ହେବ ବଜେଟର ରୂପରେଖ ? ବେତନଭୋଗୀ ଓ ମଧ୍ୟବିତ୍ତ ପରିବାର ବଜେଟ୍‌ରୁ ଅନେକ ଆଶା ରଖିଛନ୍ତି । ଦୈନନ୍ଦିନ ସାମଗ୍ରୀର ଦର ହ୍ରାସ ନିହାତି ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି । ସେପଟେ ଓଡ଼ିଶାକୁ କେତେ ଅନୁଦାନ ମିଳିବ ତା’ ଉପରେ ବି ନଜର ରହିଛି । ବିଶେଷକରି ରେଳ ଓ ଇଣ୍ଟରନେଟ ପାଇଁ ଅଧିକ ଅର୍ଥ ଆଶା ରଖିଛି ଓଡ଼ିଶା ।

କରୋନା ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଏବେ ଦୁର୍ବଳ ହୋଇପଡ଼ିଛି । ଏହି ସମୟରେ ଦେଶରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ବେତନଭୋଗୀ ଓ ମଧ୍ୟବିତ୍ତଶ୍ରେଣୀର ଲୋକ । ଦରମା କାଟ ଓ ଅତିରିକ୍ତ ବୋଝ ସେମାନଙ୍କ ଦୁଖଃକୁ ଦୁଇଗୁଣା କରିଦେଇଛି । ଦେଶରେ ବେରୋଜଗାର ସଂଖ୍ୟା ମଧ୍ୟ ବଢିଚାଲିଛି । ମହାମାରୀ ସମୟରେ ହଜାର ହଜାର ସଂଖ୍ୟାରେ କାର୍ମଚାରୀ ଛଟେଇ ହୋଇଛନ୍ତି । ସବୁ ସାମଗ୍ରୀର ଦରଦାମ ଆକାଶ ଛୁଆଁ । ତେଲ ଠାରୁ ଡାଲି ପର୍ଯନ୍ତ ସବୁ ସାମଗ୍ରୀର ମୂଲ୍ୟ ବଡ଼ିଚାଲିଛି । ଏପରି ସ୍ଥିତିରେ ଅର୍ଥମନ୍ତ୍ରୀଙ୍କ ପାଇଁ ଏଥର ବଜେଟ୍ ଅଧିକ ଚ୍ୟାଲେଞ୍ଜିଂ ରହିବ ବିଶେଷଜ୍ଞମାନେ କହିଛନ୍ତି ।

ପରବର୍ତ୍ତୀ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଖୋଲିବେ ପେଡ଼ି । ମହାମାରୀ ସମୟରେ ଟିକସ ଛାଡ଼ କିମ୍ବା ଟିକସ ରିହାତି ଘୋଷଣା କରାଯାଇନପାରେ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ଅନ୍ୟପଟେ ଓଡ଼ିଶା ମଧ୍ୟ ଏଥର ବଜେଟରେ ଅନେକ କିଛି ଆଶା କରୁଛି । ବିଶେଷ କରି ରେଳ ଓ ଇଣ୍ଟରନେଟ ପାଇଁ ଅଧିକ ଅର୍ଥ ଆଶା କରାଯାଉଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ରେଳ ବଜେଟ୍‌ରେ ଅତି କମ୍‌ରେ ୭୨୦୦ କୋଟି ଟଙ୍କା ବ୍ୟବସ୍ଥା କରିବା ତଥା ରାଜ୍ୟର ଦୁର୍ଗମ ଅନଗ୍ରସର ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ପାଇଁ ବଜେଟ୍‌ରେ ୫,୬୫୦ କୋଟି ଟଙ୍କାର ବ୍ୟୟ ବରାଦ କରିବାକୁ ପ୍ରମୁଖ ଭାବେ ଦାବି ଉପସ୍ଥାପନ କରିଥିଲେ। ଜାତୀୟ ରାଜପଥର ନିର୍ମାଣ ଓ ରକ୍ଷାବେକ୍ଷଣ ପାଇଁ ଆବଶ୍ୟକ ବଜେଟ୍ ବ୍ୟବସ୍ଥା କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହା ଉପରେ କେନ୍ଦ୍ର ସରକାର କି ଆଭିମୁଖ୍ୟ ରଖୁଛନ୍ତି, ତାହାକୁ ଓଡ଼ିଶା ଅପେକ୍ଷା କରୁଛି।

Leave a Reply