Budget 2021: ଏଥର ବଜେଟରେ କାହାର ଲଟେରି ଲାଗିଲା, କିଏ ଲୁଟିଲା ?

ନୂଆଦିଲ୍ଲୀ: ବଜେଟ ଆସି ସାରିଛି । ଆଉ ତା’ପରେ ଆରମ୍ଭ ହୋଇଛି ପ୍ରତିକ୍ରିୟା ପର୍ବ । କିଏ କହୁଛି ବିକାଶର ବଜେଟ୍ । କିଏ କହୁଛି ବିକ୍ରୀ ବଜେଟ । ବିରୋଧୀଙ୍କ ଅନୁସାରେ ଏହା ହେଉଛି ଏମିତି ଗୋଟିଏ ବଜେଟ୍ ଯେଉଁଥିରେ କିଛି ନାହିଁ ,ଅଛି କେବଳ ସମ୍ପତି ବିକ୍ରୀର ପ୍ରସ୍ତାବ । ବଜେଟ୍ ଆଗରୁ ଅର୍ଥମନ୍ତ୍ରୀ କହିଥିଲେ ଏହା ଶତାବ୍ଦୀର ବଜେଟ୍ ହେବ । କିନ୍ତୁ ଏବେ ବିରୋଧୀ କହୁଛନ୍ତି ଶତାବ୍ଦୀର ଖରାପ ବଜେଟ । ତେବେ ବଜେଟକୁ ଯଦି ସମୀକ୍ଷା କରାଯିବ ତେବେ ଦେଖିବାକୁ ମିଳିବ ଯେ, ଏହି ବଜେଟ ଦ୍ୱାରା ଅନେକଙ୍କ ଆଶା ପୁରଣ ହୋଇଛି ଓ କିନ୍ତୁ ଏମିତି ବି କିଛି ଅଛନ୍ତି ଯେଉଁମାନଙ୍କ ହାତରେ ନିରାଶା ଲାଗିଛି । ଆସନ୍ତୁ ଜାଣିବା କିଏ ଖୁସୀ, କିଏ ଦୁଃଖୀ ଏବଂ
କିଏ ଜିତିଲା?

ସ୍ୱାସ୍ଥ୍ୟ ସେକ୍ଟର:
ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବାଧିକ ଫାଇଦା ମିଳିଛି । ଏହି ସେକ୍ଟର ପାଇଁ ବଜେଟରେ ୨.୩୮ ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ସ୍ୱାସ୍ଥ୍ୟ ବଜେଟରେ ଏଥର ୧୩୫ ପ୍ରତିଶତ ବୃଦ୍ଧି ଆସିଛି । ଆଗରୁ ସ୍ୱାସ୍ଥ୍ୟ ପାଇଁ ୯୪ ହଜାର କୋଟି ଟଙ୍କା ଥିଲା । ଯାହା ବଢିକରି ହୋଇଛି ୨.୩୮ କୋଟି ଟଙ୍କା ।

ବାପା ଖୁସୀ, ପୁଅ ଦୁଃଖୀ: 
ଏଥରକ ବଜେଟରେ ବରିଷ୍ଠ ନାଗରିକଙ୍କୁ ଆଶ୍ୱସ୍ତି ଦେଇଛନ୍ତି ସରକାର । ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ଆଉ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ନାହିଁ । ଅର୍ଥାତ ସେମାନଙ୍କୁ ଆୟକର ଦେବାକୁ ପଡିବ ନାହିଁ । ତେବେ ସର୍ତ୍ତ ହେଲା ଯଦି ତାଙ୍କ ଆୟ କେବଳ ପେନସନରୁ ଆସୁଥିବ । ଅଲଗା ଆୟ ଥିଲେ ଆୟକର ଦେବାକୁ ପଡିବ ।

ବ୍ୟାଙ୍କିଂ ଓ ବୀମା କ୍ଷେତ୍ରରେ ବଢିଲା ଏଫଡିଆଇ:
ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବୈଦେଶିକ ପୁଂଜି ନିବେଶ ସୀମାକୁ ୭୪ ପ୍ରତିଶତ ବଢାଯାଇଛି । ଯାହା ଆଗରୁ ୪୯ ପ୍ରତିଶତ ଥିଲା । ଏହା ସହିତ ନିବେଶକଙ୍କ ପାଇଁ ଚାର୍ଟର ତିଆରି କଥା ମଧ୍ୟ କୁହାଯାଇଛି । ସେହିଭଳି ବ୍ୟାଙ୍କର ବ୍ୟାଡ୍ ଲୋନ୍ ବା ଆଦାୟ ହୋଇ ପାରୁନଥିବା ଋଣ ଟଙ୍କା ଫେରାଇ ଆଣିବା ପାଇଁ ଅଲଗା ଆସେଟ୍ ମ୍ୟାନେଜମେଣ୍ଟ୍ କମ୍ପାନୀ ଗଠନ କଥା ବଜେଟରେ ରହିଛି ।

କିଏ ହାରିଲା ?
ଚାକିରିଆ ନିରାଶ
ଏହି ବଜେଟ୍ ଚାକିରିଆଙ୍କ ପାଇଁ ଆଣିଛି ନିରାଶା । ସେମାନଙ୍କ ଆଶା ଥିଲା ଆୟକର ସ୍ଲାବ୍ ବଦଳିବ । ଆୟକରରେ ରିହାତି ମିଳିବ । କିନ୍ତ ସେମିତି କିଛି ହୋଇ ନାହିଁ । ଧାରା ୮୦ ସି ଅନ୍ତର୍ଗତରେ ମିଳୁଥିବା ରିହାତି ସୀମା ବଢିବ ବୋଲି ଆଶା, ଆଶାରେ ରହିଗଲା । ସେହିଭଳି ୨.୫ ଲକ୍ଷ ଟଙ୍କା ଆୟ ଉପରେ ମିଳିବାକୁ ଥିବା ରିହାତି ସୀମା ବଢିବା ଆଶା ମଧ୍ୟ ପୁରଣ ହୋଇନାହିଁ । ୨୦୧୪ରେ ଏହା ୨ ଲକ୍ଷରୁ ବଢି ୨.୫ ଲକ୍ଷ ହୋଇଥିଲା । ତେଣୁ ୭ ବର୍ଷ ପରେ ଏଥିରେ ରିହାତି ମିଳିବ ବୋଲି ଆଶା ଥିଲା ।

ଆମ୍ ଆଦମୀ ପାଇଁ କିଛି ନାହିଁ

ଏହି ବଜେଟ୍ ସାଧାରଣ ଲୋକଙ୍କ ବଜେଟ୍ ନୁହେଁ । ଏଥିରେ ସାଧାରଣ ଲୋକଙ୍କ ପାଇଁ କିଛି ମଧ୍ୟ ବ୍ୟବସ୍ଥା ନାହିଁ । ଓଲଟା ସମସ୍ତ ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ଓ ସରଚାର୍ଜ ବଢିବା କାରଣରୁ ମୋବାଇଲ ସହ ଆହୁରି ଅନେକ କିଛି ମହଙ୍ଗା ହେବ । ଆମ ଆଦମୀ ପାଇଁ ବଜେଟ୍ ନୈରାଶଜନକ ରହିଛି ।

ମହିଳାଙ୍କ ପାଇଁ କିଛି ଖାସ୍ ନାହିଁ
ନିର୍ମଳା ସୀତାରମଣ ବଜେଟରେ ମହିଳାଙ୍କୁ ଉପହାର ଦେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ବଜେଟ ଭାଷଣରୁ ମହିଳା କିଛି ମଧ୍ୟ ପାଉ ନାହାନ୍ତି ତାହା ସ୍ପଷ୍ଟ ହୋଇଯାଇଛି ।

Leave a Reply