ହାର ମାନିଲେ ସରକାର ! କୃଷିମନ୍ତ୍ରୀ କହିଲେ ଆନ୍ଦୋଳନ ବନ୍ଦ କର, ସରକାର ଆଲୋଚନା ପାଇଁ ରାଜି

ନୂଆଦିଲ୍ଲୀ: ଚାଷୀଙ୍କ ଜିଦ୍ ଆଗରେ ହାର ମାନିଲେ ସରକାର । ପ୍ରଥମେ ଦିଲ୍ଲୀରେ ଏଣ୍ଟ୍ରି ପାଇଁ ଦେଲେ ଅନୁମତି । ଏବେ କେନ୍ଦ୍ରମନ୍ତ୍ରୀ କହିଲେ ‘ଆସ ଆଲୋଚନା କରିବା’ । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀମାନଙ୍କୁ ନିବେଦନ କରିଛନ୍ତି ଯେ, ଦୟାକରି ଆନ୍ଦୋଳନ ବନ୍ଦ କରନ୍ତୁ । କରୋନା ଏବଂ ଥଣ୍ଡା ଦିନ ହୋଇଥିବାରୁ ଏହା ଚାଷୀଙ୍କ ସ୍ୱାସ୍ଥ୍ୟ ପ୍ରତି ଘାତକ ହୋଇପାରେ । ତେଣୁ ଆନ୍ଦୋଳନ ବନ୍ଦ କରନ୍ତୁ ଏବଂ ଆସନ୍ତା ୩ ତାରିଖ ଦିନ ଆଲୋଚନା ପାଇଁ ପ୍ରସ୍ତୁତ ହୁଅନ୍ତୁ । କେନ୍ଦ୍ର ସରକାର ଚାଷୀଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଚାଷୀଙ୍କ ହୀତ ପାଇଁ କେନ୍ଦ୍ର ସରକାର ସବୁବେଳେ ବିହିତ ପଦକ୍ଷେପ ନେବାକୁ ତୟାର ଅଛନ୍ତି । ଚାଷୀମାନଙ୍କ ଏକ ପ୍ରତିନିଧି ଦଳ ସହ କେନ୍ଦ୍ର ସରକାର ଆସନ୍ତା ୩ ତାରିଖ ଦିନ ଆଲୋଚନା କରିବାକୁ ରାଜି ହୋଇଛନ୍ତି ।

Farmer Protest Against Modi govt Details

ତେବେ ଶୁକ୍ରବାର ସକାଳୁ ଚାଷୀଙ୍କୁ ଦିଲ୍ଲୀରେ ପ୍ରଥମେ ଏଣ୍ଟ୍ରି କରିବାକୁ ଦେଇ ନଥିଲା ପୋଲିସ । ଏହାପରେ ଚାଷୀଙ୍କ ଆନ୍ଦୋଳନ ଭଙ୍ଗ କରିବା ପାଇଁ ପାଣି ମାଡ଼ କରିଥିଲା । ହେଲେ ସବୁ ବାଧା ବିଘ୍ନକୁ ଏଡ଼ାଇ ଚାଷୀମାନେ ଆଗକୁ ବଢ଼ିଥିଲେ । ଶେଷରେ ଚାଷୀଙ୍କ ଜିଦ୍‌ ଆଗରେ ହାର ମାନିଥିଲେ ସରକାର । ପରେ ଦିଲ୍ଲୀରେ ଏଣ୍ଟ୍ରି ସହ ବୁରାଡିରେ ଚାଷୀଙ୍କୁ ଆନ୍ଦୋଳନ କରିବା ପାଇଁ ଅନୁମତି ଦେଇଥିଲେ ।

କୃଷି ଆଇନକୁ ବିରୋଧ କରି ଦ୍ୱିତୀୟ ଦିନରେ ପହଞ୍ଚିଛି ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ । ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବା ପାଇଁ ଜିଦ୍‌ରେ ଅଟଳ ଥିଲେ ଚାଷୀ । ରାତି ତମାମ ପାନିପତ ଟୋଲ ପ୍ଲାଜା ନିକଟରେ ଚାଷୀ ଶୋଇଥିବା ବେଳେ ସକାଳୁ ସକାଳୁ ପୁଣି ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ସିନ୍ଧୁ ସୀମା ଦେଇ ସେମାନେ ଦିଲ୍ଲୀରେ ପ୍ରବେଶ କରିବା ପୂର୍ବରୁ ସେଠାରେ ତାଙ୍କୁ ପୋଲିସ ଅଟକାଇଥିଲା ।

ହେଲେ ବୁରାଡିରେ ଆନ୍ଦୋଳନ କରିବାକୁ ସିଧା ସିଧା ମନାକରିଛନ୍ତି ଚାଷୀ । ଆନ୍ଦୋଳନ ପାଇଁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ ସାଙ୍ଗରେ ରଖିଛନ୍ତି ଚାଷୀ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଜାରି ରହିବ । ସରକାର ସେମାନଙ୍କ ଦାବି ନମାନିଲେ ଆନ୍ଦୋଳନ ଆହୁରି ତେଜିବ ବୋଲି ଚେତାବନୀ ଦେଇଛନ୍ତି । ତେବେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଦିଲ୍ଲୀବାସୀଙ୍କ ଜୀବନ ବ୍ୟାପକ ପ୍ରଭାବିତ ହୋଇଛି । ଟ୍ରାଫିକ ଜାମ୍ ଥିବା ବେଳେ ମେଟ୍ରୋ ଓ ରେଳ ଚଳାଚଳ ବନ୍ଦ ରହିଛି । ହରିୟାଣାରୁ ଦିଲ୍ଲୀ ଯାଉଥିବା ଲୋକଙ୍କର ଯାଞ୍ଚ କରାଯାଉଛି । ଆନ୍ଦୋଳନ ଯୋଗୁଁ ଘଣ୍ଟା ଘଣ୍ଟା ଧରି ରାସ୍ତା ବନ୍ଦ ରହୁଛି ।

Leave a Reply