ପ୍ରତିକୂଳ ପରିସ୍ଥିତିରେ ୬ ମାସରେ ନିର୍ମାଣ ହୋଇଛି ୧,୪୮,୦୦୦ ବିଜୁ ପକ୍କାଘର, UNDPର ପ୍ରଶଂସା

1 min read

ଭୁବନେଶ୍ୱର:  କରୋନା ମହାମାରୀ ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି । କରୋନା ଉପଚାର ପାଇଁ ପ୍ରତିଷେଧକ ଆସି ନ ଥିବାରୁ ଏବେ ବି ବିଭିନ୍ନ ସ୍ଥାନରେ ଲକଡାଉନ ଜାରି ରହିଛି । ଆମ ଦେଶରେ ମାର୍ଚ୍ଚ ଶେଷ ସପ୍ତାହରୁ ବିଭିନ୍ନ କ୍ଷେତ୍ରର କାର୍ଯ୍ୟ ବହୁଳ ପ୍ରଭାବିତ ହୋଇଛି । ଓଡ଼ିଶାରେ ମଧ୍ୟ ସମାନ ଭାବେ ଲକଡାଉନ କରାଯାଇଥିଲା । ଏତଦ୍ ବ୍ୟତୀତ କରୋନାକୁ ମୁକାବିଲା ପାଇଁ ଅନ୍ୟ ରାଜ୍ୟ ତୁଳନାରେ ଭିନ୍ନ ପଦକ୍ଷେପ ନିଆଯାଇଥିଲା । ଏହି କାରଣରୁ ଓଡ଼ିଶାରେ ସୁସ୍ଥତା ହାର ଅଧିକ ଏବଂ କରୋନାଜନିତ ମୃତ୍ୟୁହାର ସର୍ବନିମ୍ନ ରହିଛି । ଏହି ମହାମାରୀ ସମୟରେ କେବଳ କରୋନା ମୁକାବିଲା ନୁହେଁ, ନିର୍ମାଣ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଛି।

ୟୁନାଇଟେଡ଼ ନେସନ ଡେଭଲପମେଣ୍ଟ ପ୍ରୋଗ୍ରାମ(ୟୁଏନଡିପି) ପକ୍ଷରୁ ଗ୍ରାମୀଣ ଓଡ଼ିଶାରେ ବିଗତ ୬ ମାସରେ ପକ୍କାଘର ନିର୍ମାଣ କାର୍ଯ୍ୟକୁ ପ୍ରଶଂସା କରାଯାଇଛି । କରୋନା ପରି ପ୍ରତିକୂଳ ପରିସ୍ଥିତିରେ ବିଗତ ୬ ମାସରେ ରାଜ୍ୟରେ ୧,୪୮,୫୦୦ ପକ୍କାଘର ନିର୍ମାଣ ହୋଇସାରିଛି । ବିଜୁ ପକ୍କାଘର ଯୋଜନା ଅଧିନରେ ହୋଇଥିବା ଏହି ପକ୍କାଘର କରୋନା କାଳରେ ହୋଇଥିବାରୁ ରାଜ୍ୟରୁ ୟୁଏନଡିପି ପକ୍ଷରୁ ପ୍ରଶଂସା କରାଯାଇଛି । ଏସଂକ୍ରାନ୍ତରେ ୟୁଏନଡିପି ଇଣ୍ଡିଆ ଟୁଇଟର ଆକାଉଣ୍ଟରୁ ସୂଚନା ଦିଆଯାଇଛି । ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଏହି ଘର ନିର୍ମାଣ କାର୍ଯ୍ୟ କରାଯାଉଛି ।

୩ ଘଣ୍ଟା ତଳେ ୟୁଏନଡିପି ପକ୍ଷରୁ କରାଯାଇଥିବା ଏହି ଟୁଇଟକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ପକ୍ଷରୁ ରିଟୁଇଟ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ, କରୋନା ପରି ପ୍ରତିକୂଳ ପରିସ୍ଥିତିରେ ୧,୪୮,୦୦୦ ପକ୍କାଘର ନିର୍ମାଣ କରାଯାଇପାରିଲା । କଚ୍ଛାଘରେ ରହୁଥିବା ପ୍ରତିଟି ନାଗରିକଙ୍କ ପାଇଁ ପକ୍କାଘର ନିର୍ମାଣ କାର୍ଯ୍ୟ ସବୁବେଳେ ସରକାରଙ୍କ ପ୍ରାଥମିକତା ଦିଆଯିବ ବୋଲି କୁହାଯାଇଛି । କେବଳ ପକ୍କାଘର ନୁହେଁ, ପୂର୍ବରୁ ଗ୍ରାମୀଣ ରାସ୍ତା ନିର୍ମାଣରେ ମଧ୍ୟ ଓଡ଼ିଶାକୁ ପ୍ରଶଂସା କରାଯାଇଛି ।

 

Leave a Reply