ବଢ଼ୁଛି ଭରସା, ବିଜେପୁରରେ ହେବ ବିକାଶ

1 min read

ବିଜେପୁରରେ ବିଜେଡିକୁ ମିଳିଲା ବିପୁଳ ଭୋଟ । ଶଙ୍ଖନାଦରେ ପଦ୍ମରୁ ପାଖୁଡ଼ା ଖସିବା ସହ ଭାଙ୍ଗିଲା ହାତ । ରେକର୍ଡ ସଂଖ୍ୟକ ୯୭୯୯୦ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିଜୟ ହାସଲ କଲେ । ଓଡ଼ିଶା ବିଧାନସଭା ନିର୍ବାଚନ ଇତିହାସରେ ଏହା ସର୍ବାଧିକ ବ୍ୟବଧାନ ବୋଲି କୁହାଯାଉଛି । ସବୁ ଆକଳନକୁ ଭୁଲ ପ୍ରମାଣିତ କରି ବିଜେପୁରବାସୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଉପରେ ଭରସା କରିଛନ୍ତି । ଏଥର କିନ୍ତୁ ବିଜେପୁରବାସୀଙ୍କ ବିଜେଡି ପ୍ରତି ଭରସାର ମାତ୍ରା ପୂର୍ବାପେକ୍ଷା ବଳିଯାଇଛି ।

rita sahu

       ଦେଖିବାକୁ ଗଲେ ପ୍ରାୟ ବର୍ଷେ ବ୍ୟବଧାନରେ ବିଜେଡି ତୃତୀୟ ଥର ପାଇଁ ବିଜେପୁରକୁ ଦଖଲକୁ ନେଇଛି । ଗତ ବର୍ଷ ୨୦୧୮ ଉପ ନିର୍ବାଚନରେ ବିଜେଡ଼ିର ରୀତା ସାହୁ ୧୦୨୮୭୧ ଭୋଟ ପାଇଥିଲା ବେଳେ, ଗତ ସାଧରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ ବିଜେପୁରବାସୀ ପୂର୍ବାପେକ୍ଷା ଆହୁରି ଅଧିକା ଭୋଟ ଦେଇଥିଲେ । ନବୀନ ପାଇଥିଲେ ୧୧୦୬୦୯ ଭୋଟ । ଏଥର ପୁଣି ସେହି ଧାରା ଜାରି ରହିଛି । ଉପ ନିର୍ବାଚନରେ ରୀତାଙ୍କୁ ମିଳିଛି ୧୩୫୯୯୯ ଭୋଟ ।  ଗତ ଉପନିର୍ବାଚନ ଅପେକ୍ଷା ଏଥର ଉପନିର୍ବାଚନରେ ବିଜେଡିର ୩୩୦୭୮ ଭୋଟ ବଢ଼ିଛି । ଏହି ହିସାବକୁ ଦେଖିଲେ ଗତ ଉପ ନିର୍ବାଚନ ଅପେକ୍ଷା ଏଥର ୩୧୯୮୩ ଭୋଟ ହରାଇଛି ବିଜେପି । ୧୮ ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶୋକ କୁମାର ପାଣିଗ୍ରାହୀ ୬୯୯୩୮ ଭୋଟ ପାଇଥିବାବେଳେ, ନବୀନଙ୍କ ବିରୋଧରେ ଗତ ସାଧାରଣ ନିର୍ବାଚନରେ ବିଜେପିର ସନତ ଗଡ଼ତିଆ ୫୩୪୮୨ ଭୋଟ ପାଇଥିଲେ । ସନତଙ୍କ ଉପରେ ଏଥର ପୁଣି ବିଜେପି ଭରସା କରିଥିଲା । ମାତ୍ର ଆହୁରି ତଳକୁ ଖସି ଏଥର ସନତ କେବଳ ୩୭୯୫୫ଟି ଭୋଟ ପାଇବାରେ ସକ୍ଷମ ହୋଇଥିଲେ ।

କଂଗ୍ରେସ କଥା ତ ନକହିବା ଭଲ । ଜୋରସୋର ପ୍ରଚାର ସତ୍ତ୍ୱେ ଦଳର ଅମାନତ ରହିବନି ବୋଲି କଂଗ୍ରେସ ନେତାଏ ଆଗରୁ ହାତ ଟେକିଦେଇଥିଲେ । ଫଳହେଲା କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ୫୮୭୧ଟି ଭୋଟରେ ସୀମିତ ରହିଥିଲେ ।

ବିଜେପୁର ପାଇଁ ବିକାଶ ଏବେ ବଡ଼ ପ୍ରସଂଗ ପାଲଟିଛି । ନବୀନ ହିଞ୍ଜିଳିକୁ ରଖି ବିଜେପୁର ଛାଡ଼ିବା ପରେ, ବିରୋଧୀ ବିଜେପି ଏଥିରୁ ବେଶ୍ ଫାଇଦା ଉଠେଇବ ବୋଲି ଭାବିଥିଲା । ପ୍ରଚାର ବେଳେ ଇମୋସନାଲ କାର୍ଡ ମଧ୍ୟ ଖେଳିଥିଲା । ଦଳର ୨ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସହ ପ୍ରମୁଖ ନେତାମାନେ ବିଜେପୁର ଗସ୍ତକରି ଜୋରଦାର ପ୍ରଚାର କରିଥିଲେ ।

ବିଜେଡି ମଧ୍ୟ ପ୍ରଚାରରେ ପଛରେ ନଥିଲା । ଦଳର ତୁଙ୍ଗ ନେତାମାନେ ବିଜେପୁରରେ ଏଥର କିପରି ଆହୁରି ଅଧିକ ଭୋଟ ଆସିବ ସେଥିପାଇଁ ବେଶ୍ ଜୋରସୋରରେ ଲାଗିଥିଲେ । ନିଜେ ନବୀନ ମଧ୍ୟ ଥରେ ଯାଇ ବିଜେପୁର ବାସୀଙ୍କ ବିକାଶର ଦାୟିତ୍ୱ ତାଙ୍କର ବୋଲି କହିଥିବା ପୂର୍ବ ଘୋଷଣାକୁ ପୁଣି ଦୋହରାଇଥିଲେ । ନବୀନଙ୍କ ପ୍ରତିଶ୍ରୁତି ଆଗରେ  ବିରୋଧୀଙ୍କ ସବୁ ରଣନୀତି ଫିକା ପଡ଼ିଯାଇଥିଲା । ବିଜେଡିର ରୀତା ସାହୁ ଗତ ସାଧାରଣ ନିର୍ବାଚନ ଖାଲି କାହିଁକି, ଅତୀତର ସବୁ ରେକର୍ଡକୁ ଭାଙ୍ଗି ସର୍ବାଧିକ ଭୋଟ ବ୍ୟବଧାନରେ ବିଜେପୁର ହାସଲ କରିପାରିଛନ୍ତି । ଏସବୁକୁ ଲକ୍ଷ୍ୟକଲେ କେବଳ ଗୋଟିଏ କଥା କୁହାଯାଇପାରିବ-ଯେତେ ଯିଏ ବିରୋଧ କରୁନା କାହିଁକି , ନବୀନ ଏବେବି ନିରଙ୍କୁଶ ରହିଛନ୍ତି ଓ ତାଙ୍କ ଭାବମୂର୍ତ୍ତି ମଳିନ କରିବା ଏତେ ସହଜ ନୁହେଁ ।

')}

Leave a Reply