କରୋନା ଚିକିତ୍ସା ନେଇ ବିଭ୍ରାନ୍ତିକର ଖବର ପରିବେଷଣ ଅଭିଯୋଗ, ଘରୋଇ ନ୍ୟୁଜ୍ ଚ୍ୟାନେଲ ନାମରେ ବିଏମ୍‌ସିର ଏତଲା

ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ବିଭ୍ରାନ୍ତିକର ଖବର ପରିବେଷଣ ଅଭିଯୋଗ । ରାଜ୍ୟର ଏକ ଘରୋଇ ଚ୍ୟାନେଲ ବିରୋଧରେ ଏ ନେଇ ଥାନାରେ ଏତଲା । ଭୁବନେଶ୍ୱର ମହାନଗର ନିଗମ ସମ୍ପୃକ୍ତ ଚ୍ୟାନେଲ ବିରୋଧରେ ମାମଲା ରୁଜ୍ଜୁ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିଏମ୍‌ସି ଓ ସ୍ୱାସ୍ଥ୍ୟକର୍ମୀ କୋଭିଡ୍ ମୁକାବିଲା ପାଇଁ ରାତିଦିନ ଏକ କରି ଦେଇଥିବା ବେଳେ ଏହି ଚ୍ୟାନେଲ ନ୍ୟୁଜ୍ ଆଳରେ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରୁଛି । ଉଦ୍ଦ୍ୟେଶମୂଳକ ଭାବେ ଏକତରଫା ମିଥ୍ୟା ଖବର ପ୍ରସାରଣ କରି ଆସୁଥିବା ବିଏମ୍‌ସି ନିଜ ପ୍ରେସ୍ ରିଲିଜ୍‌ରେ ଉଲ୍ଳେଖ କରିଛି ।

ମହାମାରୀ ସମୟରେ ଏଭଳି ମିଥ୍ୟା ଖବର କରୋନା ଯୋଦ୍ଧାଙ୍କୁ ହତୋତ୍ସାହିତ କରିବ । ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ୍‌ରେ ଏଭଳି ମିଛ ଖବର ପ୍ରସାରଣ ଉପରେ କଟକଣା ମଧ୍ୟ ରହିଛି । ପୂର୍ବରୁ ମଧ୍ୟ ସଂପୃକ୍ତ ଚ୍ୟାନେଲ୍ ଏଭଳି ଏକତରଫା, ଭିତ୍ତିହୀନ ଖବର ପ୍ରସାରଣ କରିଥିଲା । ଯାହାକୁ ନେଇ ତଥ୍ୟ ପ୍ରମାଣ ସହ ବିଏମ୍‌ସି ସୋସିଆଲ୍ ମିଡିଆରେ ସ୍ପଷ୍ଟୀକରଣ ରଖିଥିଲା ।

ବିଏମସି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଅଗଷ୍ଟ ୬ ତାରିଖ ଦିନ ସଂପୃକ୍ତ ଚ୍ୟାନେଲରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ମଧ୍ୟରେ ଫୋନ କଥାବାର୍ତା ରେକର୍ଡିଂକୁ ପ୍ରସାରଣ କରାଯାଇଥିଲା । ଚ୍ୟାନେଲ୍ ଦ୍ୱାରା ପ୍ରସାରିତ ଖବରରେ ସଂପୃକ୍ତ ଅଜ୍ଞାତ ବ୍ୟକ୍ତି ଦ୍ୱୟ  ପଜିଟିଭ୍ ରିପୋର୍ଟ ନଆସି ମଧ୍ୟ ଲୋକଙ୍କୁ କରୋନା ରୋଗୀ କହି ହାଇଟେକ୍, କିମ୍‌ସ ଓ ସମ୍ ହସପିଟାଲକୁ ପଠାଯାଉଛି । ଦିନକୁ ଶହେ ରୋଗୀଙ୍କୁ ଏସବୁ ହସପିଟାଲ୍‌କୁ ପଠାଇବାକୁ ବିଏମ୍‌ସିର ଟାର୍ଗେଟ୍ ରହିଛି । ଏପରିକି ରୋଗୀଙ୍କ ପିଛା ଏନେଇ କେନ୍ଦ୍ର ସରକାରଙ୍କ ଠାରୁ ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଚିକିତ୍ସା ବାବଦରେ ଆସୁଛି ଭଳି କଥା ହେଉଥିଲେ । ଯାହାର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଉକ୍ତ ଚ୍ୟାନେଲ ଖବର ପ୍ରସାରଣ କରିଛି ବୋଲି ବିଏମସି ଅଭିଯୋଗ କରିଛି । ଏଭଳି ଖବରକୁ ମିଥ୍ୟା ଓ ଭିତ୍ତିହୀନ କହିଛି ବିଏମ୍‌ସି । ତଥ୍ୟ ଓ ପ୍ରମାଣକୁ ଯାଞ୍ଚ ନକରି ସଂପୃକ୍ତ ଚ୍ୟାନେଲ୍ ଗୋଟିଏ ପରେ ଗୋଟିଏ ଖବର ପ୍ରସାରଣ କରି ଚାଲୁଥିବାରୁ ବିଏମ୍‌ସି ବାଧ୍ୟ ହୋଇ ଥାନାରେ ଫେରାଦ୍ ହୋଇଛି ।

 

Leave a Reply