ଦୁର୍ନୀତି ଗ୍ରସ୍ତଙ୍କୁ ନିସ୍ତାର ନାହିଁ, ଭିଜିଲାନ୍ସ ଜାଲରେ ଦୁଇ କୋଟିପତି ବାବୁ

ଭୁବନେଶ୍ୱର,୨ ।୯(ନନ୍ଦିଘୋଷ ବ୍ୟୁରୋ): ଦୁର୍ନୀତିକୁ ପ୍ରଶୟ ନାହିଁ । ଦୁର୍ନୀତି ଗ୍ରସ୍ତଙ୍କୁ ନିସ୍ତାର ନାହିଁ । ଅପରାଧୀ ଯେତେ ବି ନିଜକୁ ଚାଲାକ ଭାବୁ । ଦିନେ ତାର କଳାକାରନାମାର ପର୍ଦ୍ଦାଫାଶ ହେବ । ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ପଦକ୍ଷେପ ବହୁ ଅସାଧୁ ବାବୁ କ୍ୟାରିୟରର ଦ ଏଣ୍ଡ କରିସାରିଛି । ସମୟ ଗଡିବା ସହ ଦୁର୍ନୀତି ବିରୋଧୀ ପଦକ୍ଷେପ ମଧ୍ୟ ଶାଣିତ ହୋଇଛି । ଏହି କ୍ରମରେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଦୁଇ ଅଫିସର । ଜଣେ ହେଉଛନ୍ତି ବ୍ରଜରାଜନଗର ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ପଟେଲ  ଏବଂ ଅନ୍ୟ ଜଣେ ହେଉଛନ୍ତି  ଢେଙ୍କାନାଳ କୋ ଅପରେଟିଭ ସୋସାଇଟିର ସବଆସିଷ୍ଟାଣ୍ଟ ରେଜିଷ୍ଟାର ବିଦ୍ୟାଧର ବେହେରା ।

ଦୀର୍ଘଦିନ ଧରି ବେଆଇନ ଭାବେ ସମ୍ପତ୍ତି ଠୁଳ କରି ଚାଲିଥିଲେ ଝାରସୁଗୁଡା ଜିଲା ବ୍ରଜରାଜନଗର ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ପଟେଲ  । ହେଲେ ବେଶୀ ଦିନ ଚାଲିଲା ନାହିଁ ତାଙ୍କ କଳାକାରନାମା । ଶେଷର ପ୍ରମାଣ ସହ ଧରାପଡିଲେ ରାଜ୍ୟ ଭିଜିଲାନ୍ସ ହାତରେ । ଭିଜିଲାନ୍ସ ବିଭାଗ ପକ୍ଷରୁ ଏ ନେଇ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିଲ୍ଲୀପଙ୍କ  ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

ଭିଜିଲାନ୍ସର ସମ୍ବଲପୁର ଡିଭିଜନ ପକ୍ଷରୁ ବୁଧବାର ଦିଲ୍ଲୀପଙ୍କ ଝାରସୁଗୁଡାସ୍ଥିତ ସରକାରୀ ବାସଭବନ, କୋଲାବିରା ଅନ୍ତର୍ଗତ ବେଲମୁଣ୍ଡା ଏବଂ ଦେବଡିହିରେ ଥିବା ଦୁଇ ମହଲା କୋଠାଘର, ସମସିଂଘାରେ ଥିବା ଦିଲ୍ଲୀପଙ୍କ ସମ୍ପର୍କୀୟଙ୍କ ପେଟ୍ରୋଲ ପମ୍ପ, କୋଦବାହାଲରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର ଏବଂ ବ୍ରଜରାଜନଗରସ୍ଥିତ ତାଙ୍କ ଅଫିସ ପ୍ରକୋଷ୍ଠ ଉପରେ ମିଳିତ ଭାବେ ଏକ ସମୟରେ ଚଢଉ କରାଯାଇଥିଲା । ଏହି ଚଢ଼ଉ ଦ୍ୱାରା ମିଳିଥିବା ସମ୍ପତ୍ତିର ପରିମାଣର ପ୍ରାୟ ୩ କୋଟି ୩୫ ଲକ୍ଷ ୮୨ ହଜାର ୬୪୧ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏଥିରେ ୨ଟି ଦୁଇ ମହଲା କୋଠା , ୧୪ଟି ଜାଗା, ଗୋଟିଏ ଲେଖାଏ ପେଟ୍ରୋଲ ପମ୍ପ, ଚାରି ଚକିଆ ଗାଡ଼ି, ୨ଟି ଦୁଇ ଚକିଆ ଗାଡି, ସୁନା ଓ ରୂପା ସମେତ ଅନ୍ୟାନ୍ୟ ଗହଣା, ଘରୋଇ ଜିନିଷପତ୍ର ଏବଂ ବିଭିନ୍ନ ବ୍ୟାଙ୍କ୍ ରେ ଜମା କରାଯାଇଥିବା ଟଙ୍କାର ସନ୍ଧାନ ମିଳିଛି । ଏହି ସମସ୍ତ ସମ୍ପତ୍ତି ବେଆଇନ ଭାବେ ଦିଲ୍ଲୀପ ଏବଂ ତାଙ୍କ ପରିବାରବର୍ଗଙ୍କ ଦ୍ୱାରା ଉପାର୍ଜନ କରାଯାଇଛି ।

ବେଲମୁଣ୍ଡାରେ ଥିବା କୋଠାର ପରିମାଣ ୨୦ ଲକ୍ଷ ୧୯ ହଜାର ୮୫୨ ଟଙ୍କା ବୋଲି ଆକଳନ କରାଯାଇଛି । ହେଲେ ଏହାକୁ ଯଦି ଆଜିର ବଜାର ମୂଲ୍ୟ ସହ ହିସାବ କରାଯାଏ, ତେବେ ଏହା କୋଟିଏ ଛୁଇଁବ ବୋଲି କୁହାଯାଉଛି । ସେହିପରି ଅନ୍ୟ ଏକ ୨ ମହଲା କୋଠାର ପ୍ରାଥମିକ ମୂଲ୍ୟ ୩୭,୮୧,୦୩୧ ଟଙ୍କା ହେବ ବୋଲି କୁହାଯାଇଛି । ୧୪ଟି ଜାଗାର ମୂଲ୍ୟ ଏକ କୋଟି ୬୫ ଲକ୍ଷ ୮୯ ହଜାର ୨୮୫ ଟଙ୍କା ରହିଛି । ହେଲେ ଏହି ଆକଳନ ପ୍ରାଥମିକ , ଆଜିର ବଜାର ଦର ସହ ଯଦି ଏହା ଜାଗାକୁ ହିସାବ କରାଯାଏ, ତେବେ ଏହାର ମୂଲ୍ୟ କେତେ କୋଟି ଛୁଇଁବ , ତାହାର କଳନା ନାହିଁ । ଅନୁରୂପ ଭାବେ ପେଟ୍ରୋଲ ପମ୍ପର ମୂଲ୍ୟ ୭,୭୨,୦୪୦ ଟଙ୍କା, ୧୦ ଲକ୍ଷର ୪ ଚକିଆ ଯାନ, ୧,୦୨,୭୬୪ ଟଙ୍କାର ୨ଟି ୨ ଚକିଆଯାନ ରହିଛି । ବିଭିନ୍ନ ବ୍ୟାଙ୍କରେ ୫୯,୮୫,୯୮୮ ଟଙ୍କା ରହିଥିବା ବେଳେ ଦିଲ୍ଲୀପଙ୍କର ୩,୩୫,୦୧୫ ମୂଲ୍ୟର ସୁନାରୂପା ରହିଛି । ସେହିପରି ତାଙ୍କର ନଗଦ ୨୨,୫୪,୭୧୫ ଟଙ୍କା ଏବଂ ୭,୪୧,୯୫୧ ଟଙ୍କାର ଆସବାପତ୍ର ରହିଛି ।

ସେହିପରି ଢେଙ୍କାନାଳ କୋଅପରେଟିଭ ସୋସାଇଟି ସବ ଆସିଷ୍ଟାଣ୍ଟ ରେଜିଷ୍ଟାର ବିଦ୍ୟାଧର ବାରିକଙ୍କ ଭୁବନେଶ୍ୱରସ୍ଥିତ ୩ ମହଲା କୋଠା ଉପରେ ଚଢଉ କରାଯାଇଥିଲା । ଏହା ଛଡା ତାଙ୍କର ଗୋଟିଏ ଟୁ ବିଏଚ କେ ଫ୍ଲାଟ୍ , ଭଦ୍ରକ କୁମ୍ଭାରିଆସ୍ଥିତି ପୈତୃକ ଗାଁ ଏବଂ ଢେଙ୍କାନାଳ ସ୍ଥିତ ଅଫିସରେ ଏକ ସମୟରେ ଚଢଉ କରାଯାଇଥିଲା । କଟକ ଭିଜିଲାନ୍ସ ଡିଭିଜନ ପକ୍ଷରୁ ଚଢଉ କରାଯାଇଥିବା ସମ୍ପତ୍ତିର ପରିମାଣ ପ୍ରାୟ ଏକ କୋଟି ୮୦ ଲକ୍ଷ ୨୭ ହଜାର ୬୪ ଟଙ୍କା ହେବ ବୋଲି କୁହାଯାଉଛି । ଏହା ମଧ୍ୟରେ ରହିଛି ୯୨ ଲକ୍ଷ ମୂଲ୍ୟର ୩ ମହଲା କୋଠା, ୪୦ ଲକ୍ଷର ଟୁ ବିଏଚ କେ ଫ୍ଲାଟ, ୧,୧୩,୧୬୦ ଲକ୍ଷ ଟଙ୍କାର ଜାଗା, ବିଭିନ୍ନ ବ୍ୟାଙ୍କରେ ଥିବା ୧୭ ଲକ୍ଷ୭୫ ହଜାର ୯୮୪ ଟଙ୍କା, ୮ ଲକ୍ଷ ୩୩ ହଜାର ୩୩୯ ଟଙ୍କାର ସୁନାଗହଣା ରହିଛି । ଏହାକୁ ବାଦ୍ ଦେଲେ ୭,୪୯,୪୩୮ ଟଙ୍କାର ବୀମା ପୁଞ୍ଜିନିବେଶ, ୪ ଲକ୍ଷ ୩୩ ହଜାର ୫୭୪ ଟଙ୍କାର ୱାଗନର, ଲକ୍ଷେ ୪୦ ହଜାର ୫୪୩ ଟଙ୍କାର ୨ଟି ଦୁଇ ଚକିଆ ଯାନ ଏବଂ ନଗଦ ୧୦,୫୦୦ ଟଙ୍କା ରହିଛି ।

Leave a Reply