ମାତ୍ର ଦୁଇଶହ ଟଙ୍କା ପାଇଁ ସଂଘର୍ଷ, ଚାଲିଗଲା ଦୁଇ ଭାଇଙ୍କ ଜୀବନ…

200 Rupees Died

ଯାଜପୁର: ମାତ୍ର ୨ଶହ ଟଙ୍କା ପାଇଁ ଯାଇଛି ୨ଭାଇଙ୍କ ଜୀବନ । ମଜୁରୀ ଟଙ୍କା ଭାଗ ବଣ୍ଟାକୁ ନେଇ ମହାଭାରତ । ଯାଜପୁର ଜିଲ୍ଲା କାଳିଆପାଣି ମହ୍ଲାରସାହି ମାଙ୍କେଡିଆ ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଜୁରୀ ଟଙ୍କା ଭାଗ ବଣ୍ଟାକୁ ନେଇ ଭାଇ ଭାଇ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମଜୁରୀ ବାବଦ ୨ ଶହ ଟଙ୍କାକୁ ନେଇ ଟାଙ୍ଗିଆରେ ହଣା ହଣି ହୋଇ ୨ ଭାଇଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି ।

ସବୁଦିନ ପରି ସୋମବାର ସକାଳୁ ମଧ୍ୟ ଦୁଇ ଭାଇ ନଣ୍ଡା ମାଙ୍କେଡିଆ (୫୦) ଓ ରସି ମାଙ୍କେଡିଆ (୪୬) କାମ କରିବାକୁ ଯାଇଥିଲେ । ପରେ ମାଲିକ ମଜୁରୀ ଟଙ୍କା ଦେବା ବେଳେ ଖୁଚୁରା ନଥିବାରୁ ବଡ଼ଭାଇ ପାଇବାକୁ ଥିବା ଅବଶିଷ୍ଟ ୨ଶହ ଟଙ୍କା ପ୍ରାପ୍ୟକୁ ସାନଭାଇକୁ ଦେଇଥିଲେ । ପରେ ସନ୍ଧ୍ୟାରେ ଘରକୁ ଫେରିବା ପରେ ବଡ଼ଭାଇ ସାନ ଭାଇକୁ ଟଙ୍କା ମାଗିଥିଲେ । ହେଲେ ସାନ ଭାଇ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଟଙ୍କା ଦେବାକୁ ମନା କରିଦେଇଥିଲେ । ଏଇଠୁ ଉଭୟଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ।

ସାନଭାଇ ରସି ହଠାତ୍‌ ଘରୁ ଏକ ଟାଙ୍ଗିଆ ଆଣି ବଡଭାଇ ନଣ୍ଡା ଉପରେ ଆକ୍ରମଣ କରିଥିଲା । ନଣ୍ଡା ମଧ୍ୟ ସେହି ଟାଙ୍ଗିଆ ଛଡାଇ ସାନଭାଇ ରସି ଉପରେ ଆକ୍ରମଣ କରିଥିଲା । ଫଳରେ ଉଭୟେ ଘଟଣା ସ୍ଥଳରେ ହିଁ ଟଳି ପଡିଥିଲେ । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ବଡଭାଇ ନଣ୍ଡାକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଚିକିତ୍ସା ସମୟରେ ସାନଭାଇ ରସିର ମୃତ୍ୟୁ ହୋଇଯାଇଥିଲା । ଏହାକୁ ନେଇ ପୂରା ପରିବାରରେ ଏବେ ଶୋକାକୂଳ ପରିବେଶ ।

ଦୁଇ ଭାଇଙ୍କ ଗଣ୍ଡଗୋଳ ଖବରପାଇ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସଦଳବଳ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥି‌ଲେ । ସେତେବେଳେ ନଣ୍ଡା ମାଙ୍କେଡ଼ିଆ ଭୂଇଁରେ ଲୋଟି ଛଟପଟ ହେଉଥିଲା । ନିଶାସକ୍ତ ଅବସ୍ଥାରେ ଥିବା ସାନଭାଇ ରସିକଙ୍କୁ ଲୋକେ କାବୁ କରି ମାଡ଼ ମାରିବାରୁ ସେ ଲହୁ ଲୁହାଣ ହୋଇଥିଲା । ଗୁରୁତର ନଣ୍ଡା ଓ ରସିଙ୍କୁ ଆମ୍ବୁଲାନ୍ସରେ ୨୫ କିଲୋମିଟର ଦୂର ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇବା ବେଳକୁ ଦେଢ଼ଘଣ୍ଟା ବିତିଯାଇଥିଲା ।

Leave a Reply