ବାଲୁକା କଳା ମାଧ୍ୟମରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି

1 min read

ଭୁବନେଶ୍ୱର: ବାଲୁକା କଳା ଜରିଆରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ପ୍ରସ୍ତୁତ କରିଛନ୍ତି ବାଲୁକା କଳା  । ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ନିର୍ମିତ ବାଲୁକା କଳାଟି ସୁନ୍ଦର ହୋଇଥିବା ବେଳେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ବାର୍ଷିକୀ ଅବସରରେ ନିର୍ମିତ ହୋଇଛି । ବାଲୁକା କଳା ମାଧ୍ୟମରେ ସୁଦର୍ଶନ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ବେଳେ  କଳାକୃତିଟି ବେଳାଭୂମିରେ ସାଧାରଣ ଲୋକଙ୍କୁ ବେଶ୍ ଆକର୍ଷିତ କରିଥିବା ଲକ୍ଷ କରାଯାଇଛି।

ଅପରପକ୍ଷରେ ପ୍ରବାଦ ପୁରୁଷଙ୍କ ଜୟନ୍ତୀ ଅବସରରେ ବିଜୁ ଛାତ୍ରଜନତା ଦଳ ପକ୍ଷରୁ ସାଇକେଲ ରାଲି ଅନୁଷ୍ଠିତ ହୋଇଛି । ଜନ୍ମସ୍ଥାନ ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାଏଁ ଗଡ଼ିଛି ଶହ ଶହ ସାଇକେଲ । ଏଥିରେ ବହୁ ସଂଖ୍ୟାରେ ଯୁବକ ଯୁବତୀ, ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।  ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଦଳୀୟ ରାଜନେତା ଓ ବହୁ ବୁଦ୍ଧିଜୀବୀ ବି ରାଲିରେ ସାମିଲ ହୋଇଛନ୍ତି । ଆନନ୍ଦଭବନରୁ ରାଲି ବାହାରି ଯୋବ୍ରା-ଶିଖରପୁର-ପ୍ରେସ ଛକ-ଗୋପାଳପୁର-ନଖରା-ପଳାଶୁଣୀ-ରସୁଲଗଡ଼-ବାଣୀବିହାର-ରାମମନ୍ଦିର-ହାଉସିଂ ବୋର୍ଡ ଛକ- ପିଏମଜି-ଏଜି ଛକ ଦେଇ ବିମାନବନ୍ଦର ପହଞ୍ଚିଛି । ୧୯୩୨ ମସିହାରେ କଟକରୁ ପେଶାଓ୍ବାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ଦୁଃସାହସିକ ସାଇକେଲ ଯାତ୍ରା କରିଥିଲେ ବିଜୁ ପଟ୍ଟନାୟକ । ସେହି ମୁହୂର୍ତ୍ତକୁ ପୁଣି ଥରେ ଉଜ୍ଜୀବିତ କରିବା ପାଇଁ ବିଜୁ ଜନତା ଦଳ ଆୟୋଜନ କରିଛି ସାଇକେଲ ଶୋଭାଯାତ୍ରା । ସେପଟେ ଆଜିଠୁ ଅପ୍ରେଲ ୧୭ ତାରିଖ ଯାଏ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ସାରା ରାଜ୍ୟରେ ରକ୍ତଦାନ ଶିବିରର ଆୟୋଜନ କରିବ ବିଜୁ ଯୁବ ଛାତ୍ର ଜନତା ଦଳ ।

Leave a Reply