ଚିକିତ୍ସା ଅବହେଳା ପାଇଁ ପାଚେରୀ ଡ଼େଇ ପଳାଇଲେ ରୋଗୀ, ହାତରେ ଲାଗିଥିଲା ସାଲାଇନ ଝରୁଥିଲା ରକ୍ତ

ବଲାଙ୍ଗୀର: ରାତି ପ୍ରାୟ ୯ଟା ୩୦ମି । ହାତରେ ସାଲାଇନ ଧରି କାନ୍ଧରେ କମ୍ବଳ ପକାଇ ମାଡ଼ି ଚାଲିଥିଲେ ଆଗକୁ ଆଗକୁ । ସାଲାଇନ ଲାଗିଥିବା ହାତରୁ ଝରୁଥିଲା ରକ୍ତ । ଚାଲିଥିଲେ ବଲାଙ୍ଗୀର ସୋନପୁର ରାସ୍ତାର ଜନଗହଳି ପୂର୍ଣ୍ଣ ମହାଦେବ ମନ୍ଦିର ରାସ୍ତାରେ । ସହରର ମୁଖ୍ୟ ରାସ୍ତାରେ ଶୀତୁଆ ରାତିରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ । ଡାକ୍ତରଖାନାରେ ଠିକ୍‌ ଚିକିତ୍ସା ମିଳିଲାନି ବୋଲି ପଳାଇ ଆସିଲେ । ଏମିତି ଦୃଶ୍ୟ ସମସ୍ତଙ୍କ ଆଖିରେ ପଡ଼ୁଥିଲା ହେଲେ କେହି ଦୃଶ୍ୟ ପଛର କାହାଣୀକୁ ଜାଣିବାକୁ ଚେଷ୍ଟା କରୁନଥିଲେ । କିନ୍ତୁ ନନ୍ଦିଘୋଷ ଟିଭିର ପ୍ରତିନିଧି ମାନଙ୍କ ଦୃଦୟକୁ ଟାଣିଧରିଥିଲା ଏଭଳି ଦୃଶ୍ୟ ।

ସୂଚନା ଅନୁଯାୟୀ, ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ପୁରୁଷ ମେଡିସିନ ବିଭାଗରେ ଭର୍ତ୍ତି ହୋଇଥିଲେ ଏହି ବ୍ୟକ୍ତି ଜଣକ । ହେଲେ ସେଠାରେ ଚିକିତ୍ସା ଅବହେଲ ପାଇଁ ହସ୍ପିଟାଲରୁ ପାଚେରୀ ଡ଼େଇଁ ପଳାଇ ଆସିଲେ । ରୋଗୀ ନାଁ ଗୋପାଳ ସୁନା ତାଙ୍କ ଘର ହାତୀସଲାପଡ଼ାରେ । ହାତରୁ ରକ୍ତ ଝରୁଥିବା ଅବସ୍ଥାରେ ସାଲାଇନ ଧରି ଖାଲି ପାଦରେ ଚାଲି ଚାଲି ଯାଉଥିଲେ ।

ଏଭଳି ଦୃଶ୍ୟ ଦେଖି ଆମ ନନ୍ଦିଘୋଷ ଟିଭିର ପ୍ରତିନିଧି ତାଙ୍କୁ ରାସ୍ତା କଡ଼ରେ ଅଟକାଇଥିଲେ । ଘଟଣା ସମ୍ପର୍କରେ ରୋଗୀଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି । ନର୍ସ ଓ କର୍ମଚାରୀ ଅଣଦେଖା କରିବା ସହ ତାଙ୍କୁ ଚିକିତ୍ସା ନ କରିବାରୁ ସେ ଘରକୁ ଚାଲି ଯାଉଥିବା କହିଛନ୍ତି । କାହାର ଅବହେଳା ଯୋଗୁଁ ସହରରେ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଲା ତାହାକୁ ନେଇ ଏବେ ବିରାଟ ପ୍ରଶ୍ନ ସୃଷ୍ଟି ହୋଇଛି ।

ମେଡିକାଲ କଲେଜରେ ପୋଲିସ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୋଲିସ ଫାଣ୍ଡି ମଧ୍ୟ ଅଛି, ଚାରିଆଡ଼େ ସିକ୍ୟୁରିଟି ଗାର୍ଡ ନିୟୋଜିତ ଅଛନ୍ତି । ତଥାପି ତାଙ୍କୁ କେହି ରୋକି ପାରିଲେ ନାହିଁ କେମିତି ? ରାସ୍ତାରେ ପିସିଆର ଭ୍ୟାନ ମଧ୍ୟ ଛିଡା ହୋଇଛି ପୋଲିସ ଦେଖୁଛି ହେଲେ କେହି ରୋକିବାକୁ ଚେଷ୍ଟା କରୁନାହାନ୍ତି । ତେବେ ସରକାର ରୋଗୀ ମାନଙ୍କ ପାଇଁ ଉପଯୁକ୍ତ ଓ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ସତଚେଷ୍ଟା କରୁଛନ୍ତି । ହେଲେ କିଛି କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଦୃଶ୍ୟ ରାଜରାସ୍ତାରେ ଦେଖିବାକୁ ମିଳିଛି ।

Leave a Reply