ଆଜି ଦେଶ ଦେଖିବ ବିରାଟ ଟ୍ରାକ୍ଟର ପରେଡ୍… ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡିବ ହଜାର ହଜାର ଟ୍ରାକ୍ଟର

1 min read

ନୂଆଦିଲ୍ଲୀ: ଆଜି ବିଶ୍ୱ ଦେଖିବ ବିରାଟ ଟ୍ରାକ୍ଟର ପରେଡ୍ । ଦିଲ୍ଲୀର ରାଜପଥରେ ଗଣତନ୍ତ୍ର ଦିବସ ପାଇଁ ପରେଡ୍ ହେଉଥିବା ବେଳେ ଏପଟେ ହକ୍ ପାଇଁ ଟ୍ରାକ୍ଟର ପରେଡ୍ ବା ‘କିଷାନ ଗଣତନ୍ତ୍ର ପରେଡ୍‌’ କରିବେ ଅନ୍ନଦାତା। ରାଲି ବେଳେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସଜାଗ ରହିଛନ୍ତି ସୁରକ୍ଷାକର୍ମୀ । ପରେଡ୍‌ ଉପରେ ନଜର ରଖିବ ଡ୍ରୋନ୍‌ । ଦିନ ୧୨ଟାରୁ ୫ଟା ପର୍ଯ୍ୟନ୍ତ ପରେଡ୍‌ କରିବାକୁ ଚାଷୀଙ୍କୁ ଦିଲ୍ଲୀ ପୋଲିସ ଅନୁମତି ଦେଇଛି । ଏହି ପରେଡ୍‌ରେ ପ୍ରାୟ ୨୦ହଜାର ଟ୍ରାକ୍ଟର ସାମିଲ ହେବ । ପ୍ରତି ଟ୍ରାକ୍ଟରରେ ୩ଜଣ ଲେଖାଏଁ ବସିବାକୁ ଅନୁମତି ମିଳିଛି ।

ତେବେ ଟ୍ରାକ୍ଟର ଛଡ଼ା ଅନ୍ୟ କୌଣସି ଗାଡ଼ି ଯଥା-ବାଇକ୍, ଜେସିବି, ଟ୍ରଲି, ବଳଦଗାଡ଼ି, ଘୋଡ଼ାଗାଡ଼ି ଆଦିକୁ ରାଲିରେ ସାମିଲ ହେବାକୁ ବାରଣ କରାଯାଇଛି । ଏହାଛଡ଼ା ରାଲି ବେଳେ ଚାଷୀମାନେ କୌଣସି ସମାବେଶ, ଧାରଣା ମଧ୍ୟ ନ କରିବାକୁ ସର୍ତ୍ତ ରଖିଛି ଦିଲ୍ଲୀ ପୋଲିସ । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ୧୨ଟା ବେଳେ ଆରମ୍ଭ ହେବ ଟ୍ରାକ୍ଟର ପରେଡ୍‌ । ଏ ନେଇ ଟିକ୍ରି, ସିଂଘୁ, ଗାଜିପୁର ସୀମାରେ ପ୍ରସ୍ତୁତ ରହିଛନ୍ତି ଚାଷୀ ।

ଟିକ୍ରି ସୀମାରେ ୬୩ରୁ ୬୪ କିଲୋମିଟର, ସିଂଘୁ ସୀମାରେ ୬୨ରୁ ୬୩ କିଲୋମିଟର ଓ ଗାଜିପୁରରେ ୪୬ କିଲୋମିଟର ରାସ୍ତା ଦେଇ ଟ୍ରାକ୍ଟର ପରେଡ ହେବ । ପୋଲିସ ସୂଚନା ଅନୁସାରେ ପରେଡ ସମୟରେ ବନ୍ଦ ରହିବ ଦିଲ୍ଲୀର ରିଙ୍ଗ ରୋଡର ସମସ୍ତ ଦୋକାନବଜାର । କୋଣ ଅନୁକୋଣରେ ଛାଇ ହୋଇ ରହିବେ ସୁରକ୍ଷାକର୍ମୀ । କୃଷକମାନଙ୍କ ପାଇଁ ମୁତୟନ ହେବେ ୧ ହଜାର ସ୍ବେଚ୍ଛାସେବୀ । ଟ୍ରାକ୍ଟରରେ ଲାଗି ପାରିବ ତିନି ପ୍ରକାର ପତାକା । କୃଷକ ସଙ୍ଗଠନ, ତ୍ରିରଙ୍ଗା ଓ ଖାଲସା ପନ୍ତ ପତାକା ଲଗାଇ ପାରିବେ ଚାଷୀ । ଯଦି କୌଣସି ବିଶୃଙ୍ଖଳା ପରିସ୍ଥିତ ସୃଷ୍ଟି ହୁଏ ତେବେ ଏଥିପାଇଁ କୃଷକ ନେତା ଦାୟୀ ରହିବେ ବୋଲି ପୋଲିସ ଚେତାଇ ଦେଇଛି । ତେବେ କୃଷି ମନ୍ତ୍ରୀ କହିଛନ୍ତି ସମସ୍ତ ଚାଷୀ ନୁହଁନ୍ତି, ପଞ୍ଜାବର କିଛି ଚାଷୀ ଆଇନକୁ ବିରୋଧ କରୁଛନ୍ତି । ତେବେ ଦିଲ୍ଲୀରେ ଚାଲିଥିବା କୃଷି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଦେଶର ଅନେକ ଚାଷୀ ସଙ୍ଗଠନ ।

Leave a Reply