୧୯ ପରେ ହାଡ଼ଭଙ୍ଗା ଜାଡ଼ରେ ଥରିବ ଓଡ଼ିଶା, ଉପାନ୍ତରୁ ଉପକୂଳ ସବୁଠି କମିବ ତାପମାତ୍ରା

1 min read

ଭୁବନେଶ୍ୱର: କିଛିଦିନ ହେବେ ରାଜ୍ୟରେ ଶୀତର ଲହରୀ କମ ରହିଛି । ଗତ କିଛି ଦିନ ହେଲା ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଥିଲା । କିଛି କିଛି ସ୍ଥାନରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିବା ବେଳେ ସମ୍ବଲପୁରଠାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୭ ଡିଗ୍ରି ଅଧିକ ରହିଛି । ତେବେ ଆଗକୁ ହାଡଭଙ୍ଗା ଜାଡରେ ଥରିବ ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି କମିବ ତାପମାତ୍ରା । ସ୍ୱାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ ।

୧୯ ତାରିଖ ପରଠାରୁ ରାଜ୍ୟକୁ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ଫଳରେ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ଶୀତ ଲହରୀ ଜାରି ରହିବ । ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜରେ ତାପମାତ୍ରା ୧୦ରୁ ୧୨ ଡିଗ୍ରିକୁ ଖସି ଆସିବ ।

ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନବରଙ୍ଗପୁରରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଖସିଆସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Leave a Reply