ଶୀତରେ ଥରୁଛି ସାରା ରାଜ୍ୟ, ୨୪ ଘଣ୍ଟାରେ ସ୍ୱାଭାବିକ ହେବ ତାପମାତ୍ରା

ଭୁବନେଶ୍ୱର: ଥରୁଛି ଓଡ଼ିଶା, ବଢୁଛି ଶୀତ । ଗତକାଲି ରାଜ୍ୟର ୬ଟି ସହରର ତାପମାତ୍ରା ୧୨ ଡିଗ୍ରୀ ସେଲ୍‌ସିଅସ ତଳେ ରହିଥିଲା । ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ସହ ସୋନପୁର ଗତକାଲି ବି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିଲା ।  ଦାରିଙ୍ଗବାଡ଼ି ୯.୫, ଫୁଲବାଣୀ ୯.୮, କୋରାପୁଟ ୧୦.୬ ଡିଗ୍ରୀ, ଅନୁଗୁଳ ୧୦.୮, ଭବାନୀପାଟଣାରେ ତାପମାତ୍ରା ୧୧ ଡିଗ୍ରୀ, କଟକରେ ୧୬.୪ ଓ ଭୁବନେଶ୍ବରରେ ତାପମାତ୍ରା ୧୭.୪ ଡିଗ୍ରୀ ରହିଥିଲା  । ଆଗାମୀ ଦିନରେ ତାପମାତ୍ରା ଆହୁରି ତଳକୁ ଖସିବା ସହ  ଶୀତ ଆହୁରି ବଢ଼ିବ ।

ଏହା ସହ କିଛି  ଜିଲ୍ଲାରେ ଘନ କୁହୁଡି ଲାଗି ରହିବ ବୋଲି ପାଣିପାଗ ବିଭାଗ  ଜାରି କରିଛି । ତେବେ ପୂର୍ବ ବଙ୍ଗୋପ ସାଗରରୁ ତରଙ୍ଗାୟିତ ବାୟୁ ପ୍ରବାହ ଯୋଗୁ ଆଜି ଉପକୂଳ ଓଡ଼ିଶା ଓ ୧୨ ତାରିଖରେ ଦକ୍ଷିଣ ଓଡ଼ିଶାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଲଗାତାର ୫ ଦିନ ଧରି ତାପମାତ୍ରା ଖସିବାରେ ଲାଗିଥିବା ବେଳେ ଫେବ୍ରୁଆରିର ଶୀତ ଏବେଠାରୁ ଅନୁଭୂତ ହେଉଥିଲା। କିନ୍ତୁ ଆସନ୍ତା ୨୪ ଘଣ୍ଟାରେ ପୁଣି ସ୍ୱାଭାବିକ ସ୍ତରକୁ ଆସିଯିବ ରାଜ୍ୟର ତାପମାତ୍ରା ।

ରାଜ୍ୟକୁ ପୂର୍ବ ତରଙ୍ଗାୟିତ ପବନର ପ୍ରବାହ ଫଳରେ ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅଧିକାଂଶ ସ୍ଥାନରେ ତାପମାତ୍ରା ଏବେ ୩/୪ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି । କିଛି ସ୍ଥାନରେ ପାରଦସ୍ତର ୫ ଡିଗ୍ରି ପର୍ଯ୍ୟନ୍ତ ବି ଖସିଛି । ଏବେ ପୂର୍ବ ତରଙ୍ଗାୟିତ ପବନର ପ୍ରଭାବରେ ଆସନ୍ତା ୨/୩ ଦିନରେ ତାପମାତ୍ରା ୩/୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Leave a Reply