ବାରମୁଲାରେ ଆତଙ୍କବାଦୀ ଆକ୍ରମଣ, ୩ ସୁରକ୍ଷାକର୍ମୀ ସହିଦ

1 min read

ଜାମ୍ମୁ କାଶ୍ମୀର: ଆତଙ୍କୀ ହମଲା ଯୋଗୁଁ ଗତ କିଛିଦିନ ହେଲା ଅଶାନ୍ତ ରହିଛି ଜମ୍ମୁ କାଶ୍ମୀର । ଆଜି ପୁଣି ବାରାମୁଲା ଜିଲ୍ଲାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ଜିଲ୍ଲାର କ୍ରେଇରୀ ଅଞ୍ଚଳରେ ଥିବା ସିଆରପିଏଫ କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଆତଙ୍କବାଦୀଙ୍କ ଗୁଳିରେ ଜଣେ ସ୍ପେଶାଲ ପୋଲିସ ଅଫିସର ଓ ଦୁଇଜଣ ସିଆରପିଏଫ ଜବାନ ସହିଦ ହୋଇଛନ୍ତି । ତେବେ ଆକ୍ରମଣ ପରେ ଆତଙ୍କବାଦୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ସୁରକ୍ଷାକର୍ମୀ ପୂରା ଅଞ୍ଚଳକୁ ଘେରିଯିବା ସହ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି । ଆଜି ସକାଳୁ ସକାଳୁ ଏହି କ୍ୟାମ୍ପ ଉପରକୁ କିଛି ଆତଙ୍କବାଦୀ ଗୁଳି ବର୍ଷଣ କରିଥିଲେ ।

ସୂଚନାଯୋଗ୍ୟ ଯେ, ଆହତ ହେବା ପରେ ସୈନିକମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ଚିକିତ୍ସିତ ଅବସ୍ଥାରେ ଜଣେ ପୋଲିସ ଅଫିସର ଓ ଦୁଇଜଣ ସିଆରପିଏଫଙ୍କ ମୃତ୍ୟୁ ହୋଇଥିଲା । ସୋମବାର ଆତଙ୍କବାଦୀମାନେ ବାରାମୁଲାର କ୍ରେଇରୀ ଅଞ୍ଚଳରେ ଥିବା ନାକା ପାର୍ଟିକୁ ଟାର୍ଗେଟ କରିଥିଲେ । ଆତଙ୍କବାଦୀମାନେ ଏହି ଆକ୍ରମଣ କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ CRPF ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆତଙ୍କବାଦୀ ଆକ୍ରମଣ କରିବା ପରେ ନିକଟସ୍ଥ ଗାଁର କୌଣସି ସ୍ଥାନରେ ଲୁଚି ରହିଥିଲେ। ଅଗଷ୍ଟ ମାସ ୧୨ ତାରିଖରେ ଆତଙ୍କବାଦୀମାନେ ବାରାମୁଲ୍ଲାରେ ସେନାର ପାଟ୍ରୋଲିଂ ପାର୍ଟିକୁ ଟାର୍ଗେଟ କରିଥିଲେ। ଏହା ପରେ ଆତଙ୍କବାଦୀମାନେ ସୋପୋରର ହାଇଗାମ ଅଞ୍ଚଳରେ ପାଟ୍ରୋଲିଂ ପାର୍ଟିକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଜଣେ ସୈନିକ ଆହତ ହୋଇଛନ୍ତି। ଆହତ ଯବାନ ୧୫ ଗଢ଼ୱାଲ ରେଜିମେଣ୍ଟର ବୋଲି କୁହାଯାଉଛି । ଏବେ ତାଙ୍କର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

 

Leave a Reply